ନେସ୍କୋ, ୱେସ୍କୋ ଓ ସାଉଥକୋ ଉପଭୋକ୍ତାଙ୍କ ପାଇଁ ଇ-ସର୍ଭିସ ସେବା

ବିଦ୍ୟୁତ ବିଲ୍‌ ପଇଠ ପାଇଁ ‘ଓଡ଼ିଶା ୱାନ୍‌’ ପୋର୍ଟାଲ୍‌

ଓକାକ୍‌ ଓ ୩ଟି ବିଦ୍ୟୁତ ବଣ୍ଟନ କମ୍ପାନି ଭିତରେ ଚୁକ୍ତିନାମା ସ୍ବାକ୍ଷରିତ
ଅନ୍‌ଲାଇନ୍‌ରେ ବିଲ୍‌ ପଇଠ କଲେ ୨% ରିହାତି

ଭୁବନେଶ୍ୱର : ନେସ୍କୋ, ଓ୍ବେସ୍କୋ ଓ ସାଉଥକୋର ବିଦ୍ୟୁତ ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର। ଏଣିକି ଏହି ବିଦ୍ୟୁତ ବଣ୍ଟନ କମ୍ପାନିରୁ ସେବା ପାଉଥିବା ଉପଭୋକ୍ତାମାନେ ‘ଓଡ଼ିଶା ୱାନ୍‌’ ପୋର୍ଟାଲ୍‌ ଯଥା www.odishaone.gov.in ଜରିଆରେ ସେମାନଙ୍କ ବିଦ୍ୟୁତ ବିଲ୍‌ ପଇଠ କରିପାରିବେ। ଏ ନେଇ ଆଜି ଭୁବନେଶ୍ବରରେ ଭିଡିଓ କନଫରେନ୍‌ସିଂ ଜରିଆରେ ୩ଟି ବିଦ୍ୟୁତ ବଣ୍ଟନ କମ୍ପାନି ଓ ଓକାକ୍‌ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏଥିରେ ୬୩ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ। ଅନ୍‌ଲାଇନ୍‌ରେ ବିଦ୍ୟୁତ ବିଲ୍‌ ପଇଠ ଉପରେ ଗ୍ରାହକଙ୍କୁ ୨% ରିହତି ସୁବିଧା ମିଳିବ ଗ୍ରିଡକୋ କର୍ତ୍ତୃପକ୍ଷ ଜଣାଇଛନ୍ତି।

ଏ ସମ୍ପର୍କରେ ଗ୍ରି଼ଡକୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ସୂଚନା ଦେଇ କହିଛନ୍ତି, ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ଉଭୟ ବିଦ୍ୟୁତ ଗ୍ରାହକ ଓ ସମସ୍ତ ହିତାଧିକାରୀ ନିଜ ଘରେ ଥାଇ ସୁବିଧାରେ ବିଲ୍‌ ପଇଠ କରିପାରିବେ। ଗ୍ରାମାଞ୍ଚଳ ଗ୍ରାହକମାନେ ମଧ୍ୟ ପଞ୍ଚାୟତ ସ୍ତରରେ ଥିବା ୯୦୦୦ଟି ‘ମୋ ସେବା କେନ୍ଦ୍ର’ ଜରିଆରେ ଏହି ଅନ୍‌ଲାଇନ୍‌ ସେବା ଯୋଗେ ବିଲ୍‌ ପଇଠ କରିପାରିବେ। ଏହାସହିତ ସମ୍ପୃକ୍ତ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କ ସାମଗ୍ରିକ ବ୍ୟାବସାୟିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଘଟିବ। ଏହି ଅବସରରେ ଗ୍ରିଡକୋ ଅଧ୍ୟକ୍ଷ ତଥା ନେସ୍କୋ, ସାଉଥକୋ ଏବଂ ଓ୍ବେସ୍କୋ ୟୁଟିଲିଟି କମ୍ପାନିର ପ୍ରଶାସକ ସୌରଭ ଗର୍ଗ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ଓକାକ୍, ଗ୍ରିଡକୋ (ଡି.ଏମ୍‌.ୟୁ) ଓ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କର ମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେହିପରି ସୂଚନାବିଜ୍ଞାନ ସଚିବ ମନୋଜ ମିଶ୍ର କହିଛନ୍ତି, ଏହି ପୋର୍ଟାଲରେ ଆହୁରି ୭୫ଟି ଗ୍ରାହକ କୈନ୍ଦ୍ରିକ ଇ-ସେବା ସମନ୍ବିତ କରାଯାଇଛି। ଏହି ପୋର୍ଟାଲ୍‌ ମାଧ୍ୟମରେ ବିଦ୍ୟୁତ ବିଲ୍‌ ପଇଠ କଲେ ଉପଭୋକ୍ତାମାନେ ବିଲ୍‌ ପଇଠ ଉପରେ ୨% ରିହାତି ପାଇବେ। ଏହି କାର୍ଯ୍ୟକ୍ରମରେ ଗ୍ରିଡକୋ ଅର୍ଥ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଓକାକ୍‌ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକଙ୍କ ସମେତ ୩ଟି ୟୁଟିଲିଟି କମ୍ପାନିର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର