ହାଇକୋର୍ଟରେ ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କ ସତ୍ୟପା‌ଠ ଦାଖଲ

ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସ˚ଗ

କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାଇକୋର୍ଟରେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଏସ୍.କେ.ମିଶ୍ରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ଅଦାଲତ ସହିତ ବିଚାରବିଭାଗୀୟ ଅଧିକାରୀ ଓ ରାଜସ୍ବ ଅଧିକାରୀଙ୍କ ସୁରକ୍ଷା ପ୍ରସଂଗରେ ପୁଲିସ ଡିଜି ଓ ଆଇଜିଙ୍କୁ ୨୦୧୮, ଡିସେମ୍ବର ୨୨ରେ ଚିଠି ଲେଖା ଯାଇଥିଲା। ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ରିପୋର୍ଟ ଦାଖଲ ପାଇଁ ଗୃହ ବିଭାଗ ପକ୍ଷରୁ କୁହାଯାଇଥିଲା। ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏହି ଚିଠିର ନକଲ ଉତ୍ତରାଞ୍ଚଳ ଡିଆଇଜି ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ୨୦୧୯, ଜାନୁଆରି ୩ରେ ଖବର କାଗଜ ପ୍ରକାଶନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ଅନୁଷ୍ଠାନକୁ ଅଚଳାବସ୍ଥା ଦୂର କରିବା ପାଇଁ ଅନୁରୋଧ କରାଯାଇଥିଲା। ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ଜନସେବା ସହିତ ସରକାରୀ କାର୍ଯ୍ୟାଳୟ ଓ ଅଦାଲତ କାର୍ଯ୍ୟ ସ୍ବାଭାବିକ ପ୍ରସଂଗରେ ସହଯୋଗ ଯୋଗାଇ ଦେବା ଲାଗି ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରାଯାଇଥିଲା। ୨୦୧୯, ଜାନୁଆରି ୧୭ରେ ଉତ୍ତରାଞ୍ଚଳ ଡିଆଇଜି ଏକ ରିପୋର୍ଟ ଦାଖଲ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା ସହିତ ଅଦାଲତ ଓ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ ସ୍ବାଭାବିକ ପାଇଁ ବ୍ୟାପକ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଦୋଳନ ସମୟରେ ବାସଭବନରୁ ଅଦାଲତ ପର୍ଯ୍ୟନ୍ତ ଯିବା ପାଇଁ ବିଚାରବିଭାଗୀୟ ଅଧିକାରୀଙ୍କୁ ଏସକର୍ଟ ଯୋଗାଇ ଦିଆଯାଇଛି ବୋଲି ଡିଆଇଜିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏ ସଂପର୍କିତ ଚିଠିର ନକଲ ସତ୍ୟପାଠ ସହିତ ହାଇକୋର୍ଟରେ ଦାଖଲ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ପୂର୍ବରୁ ହାଇକୋର୍ଟ ସରକାରଙ୍କୁ ଏହି ପ୍ରସଂଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଶ୍ରୀ ମହାନ୍ତିଙ୍କ ଆବେଦନରେ ଦର୍ଶାଯାଇଛି ଯେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ଓ ବିଭିନ୍ନ ଅନୁଷ୍ଠାନ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏପରି ପରିସ୍ଥିତିରେ ସ˚ପୃକ୍ତ ଅଞ୍ଚଳରେ ଏକ ପ୍ରକାର ଅଚାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ବିଚାର ବିଭାଗୀୟ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ବଭାବିକ ଭାବେ କାର୍ଯ୍ୟ କରୁ ନାହିଁ। ଏପରି ଆନ୍ଦୋଳନ ଯୋଗୁ ସାଧାରଣ ଲୋକମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ କଳ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ବୃହତର ସ୍ବାର୍ଥ ଦୃଷ୍ଟିରୁ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ନେଇ ସରକାର ସୁନିଶ୍ଚିତ କରିବା ଉଚିତ। ଏ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ୨୦୦୮, ଏପ୍ରିଲ ୧୫ରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର