ଯୁଦ୍ଧ ଆଳରେ ଖାଇବାତେଲ ଗାଏବ

ବ୍ୟାସନଗର: ଯୁଦ୍ଧ ଆଳରେ ଖାଇବା ତେଲ ବିଶେଷକରି ସୂର୍ଯ୍ୟମୁଖୀ, ପାମୋଲିନ୍‌ ଆଦି ରିଫାଇନ୍‌ଡ ତେଲ ମହଙ୍ଗା ହୋଇଯାଇଛି। ବ୍ୟାସନଗର ସହରରେ ତେଲର ଅଭାବ ନଥିବାବେଳେ ବିଭିନ୍ନ ବଡ଼ ରିଟେଲ ଷ୍ଟୋର ତଥା ମଲ୍‌ରୁ ଏସବୁ ତେଲ ରାତାରାତି ଗାଏବ୍‌ ହୋଇଯାଇଛି। ଦୁଇଦିନ ତଳେ ମଲ୍‌ଗୁଡ଼ିକରେ ଯାହାକୁ ଯେତେ ଖାଇବା ତେଲ ମହଜୁଦ ଥିଲା। ଅଥଚ ଆଜି ଆଦୌ ତେଲ ନଥିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଏମିତିରେ ବି ଦୋକାନରେ ଛାପା ମୂଲ୍ୟଠାରୁ ଅଧିକ ଦରରେ ଏସବୁ ତେଲ ବିକ୍ରି ହେଉଥିବା ନଜରକୁ ଆସୁଛି। ଏବେ ମୂଳରୁ ତେଲ ଉଭାନ ହୋଇଯିବା ଖାଉଟିଙ୍କୁ ଚିନ୍ତିତ କରିଛି।

ରୁଷ ଓ ୟୁକ୍ରେନ ମଧ୍ୟରେ ପାଖାପାଖି ଦୁଇ ସପ୍ତାହ ହେବ ଯୁଦ୍ଧ ଲାଗିରହିଛି। ୟୁକ୍ରେନରୁ ପାମୋଲିନ ଓ ସୂର୍ଯ୍ୟମୁଖୀ ତେଲ ଆସୁନଥିବାରୁ ଏହାକୁ ଆଳ ଦେଖାଇ କୃତ୍ରିମ ଅଭାବ ସୃଷ୍ଟି କରି ଅସାଧୁ ବ୍ୟବସାୟୀମାନେ ମୁନାଫା କମାଇବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। କେବଳ ହୋଲସେଲର ବ୍ୟବସାୟୀ ନୁହନ୍ତି, ସପିଙ୍ଗ୍‌ ମଲ୍‌ଗୁଡ଼ିକରେ ମଧ୍ୟ ଖାଇବା ତେଲ ହଠାତ ଉଭାନ ହୋଇଯାଇଛି। ଦୁଇଦିନ ତଳେ ମଲ୍‌ଗୁଡ଼ିକରେ ଲେଖାଥିବା ଦାମ୍‌ଠାରୁ ଅଧିକ ଦାମ ଦରରେ ଖାଇବା ତେଲ ବିକ୍ରି କରିବାକୁ ଗ୍ରାହକମାନେ ବିରୋଧ କରିଥିଲେ। ଏଭଳି ବିରୋଧ ଏଡ଼ାଇବାକୁ ରାତାରାତି ଏହି ତେଲ ପ୍ୟାକେଟ ସବୁକୁ ମଲ୍‌ରୁ ଉଠାଇ ନିଆଯାଇଛି।

ସେଗୁଡ଼ିକୁ ପୁଣି ପ୍ୟାକେଟ କରି ଅଧିକ ଦାମ ଲେଖି ବଜାରକୁ ଛାଡିବା ପାଇଁ ଏଭଳି ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି। ପାଇକାରୀ ବେପାରୀମାନେ ମଧ୍ୟ ଖୁଚୁରା ଦୋକାନୀଙ୍କୁ ଲେଖାଥିବା ଦାମ୍‌ଠାରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି। ତେଣୁ ଖୁଚୁରା ଦୋକାନୀ ଅଧିକ ଦରରେ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି। ବେଆଇନ ଭାବେ ହୋର୍ଡିଂ କରି ଅଧିକ ଅର୍ଥ ଲାଭ କରିବା ପାଇଁ ଅସାଧୁ ବ୍ୟବସାୟୀମାନେ ଲାଗିପଡ଼ିଥିବା ବେଳେ ସାଧାରଣ ଲୋକମାନେ ଶୋଷଣର ଶିକାର ହେଉଛନ୍ତି। ତଥାପି ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଖାଉଟିଙ୍କୁ ଚିନ୍ତିତ କରିଛି। ହଠାତ ତେଲ ଲିଟର ଉପରେ ୩୦ ଟଙ୍କା ବୃଦ୍ଧି ଘଟିବା ଖାଉଟିଙ୍କ ପକେଟକୁ ପ୍ରଭାବିତ କରୁଛି। ତେଲ କଳାବଜାର କରୁଥିବା ସପିଙ୍ଗ୍‌ ମଲ ଓ ହୋଲସେଲରଙ୍କ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଉ ନଥିବାରୁ ଏଭଳି ଦରବୃଦ୍ଧି ହେଉଥିବା ଖାଉଟିମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର