କୋରାପୁଟ ଇକୋରିଟ୍ରିଟ ଆଶା ମଉଳିଲା, କୋଟିଏ ବରବାଦ

ଟଙ୍କା ନେଇ ଠିକା ସଂସ୍ଥା ପାର, ଖୋଲିଲାନି କ୍ୟାମ୍ପ

କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ବରେ ପରିଚିତ କରିବା ପାଇଁ ପର୍ଯ୍ୟଟନ ବିଭାଗର ଯେଉଁ ପ୍ରୟାସ ପ୍ରଥମରୁ ଫେଲ ମାରିଛି। ଗୋଟିଏ ହେଲେ କ୍ୟାମ୍ପ ଖୋଲନଥିବାବେଳେ ଲଜିଷ୍ଟିକ ସମସ୍ୟା ଏହାର କାରଣ ବୋଲି ଓଟିଡିସି କହିଛି। ଫଳରେ କୋଟିଏରୁ ଅଧିକ ଟଙ୍କା ବରବାଦ ହୋଇଯାଇଛି। ଏ କ୍ଷେତ୍ରରେ ପ୍ରଥମରୁ ପର୍ଯ୍ୟଟନ ବିଭାଗ ଝୁଣ୍ଟିଥିବାବେଳେ କୋରାପୁଟରେ ଇକୋରିଟ୍ରିଟ ଖୋଲିବା ଆଶା ମଉଳି ଯାଇଛି।

ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ବିଭିନ୍ନ ଅଞ୍ଚଳରେ ଇକୋରିଟ୍ରିଟ ଯୋଜନା ଜାରି ରଖିଛନ୍ତି। ତେବେ ଏହିକ୍ରମରେ କୋରାପୁଟରେ ପର୍ଯ୍ୟାପ୍ତ ସୁବିଧା ଥିବାରୁ ପର୍ଯ୍ୟଟନ ବିଭାଗ ଓ କୋରାପୁଟ ପ୍ରଶାସନ ଜିଲ୍ଲାର ସେମିଳିଗୁଡା ବ୍ଲକ ପୁଟିସିଲରେ ଇକୋରିଟ୍ରିଟ ଆରମ୍ଭ କରିଥିଲା। ୨୦୨୧ ଡିସେମ୍ବର ୧୫ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁଷ୍ଠାନିକ ଭାବେ ଲୋର୍କାପଣ କରାଯାଇଥିଲା। ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରିବାକୁ ରାଜସ୍ଥାନର ଏକ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା।

ଚଳିତମାସ ୧୫ ତାରିଖରେ ଏହି କ୍ୟାମ୍ପ ଶେଷ ହୋଇଥିବାବେଳେ ରାଜସ୍ଥାନର ଠିକା ସଂସ୍ଥା ପର୍ଯ୍ୟଟନ ବିଭାଗଠାରୁ ଟଙ୍କା ନେଇ ପଳାଇଯାଇଛି। ତରବରିଆ ଭାବେ କାର୍ଯ୍ୟ କରାଯାଇଥିବାରୁ ଆରମ୍ଭରୁ ହିଁ ଏହି ପ୍ରକଳ୍ପ ଝୁଣ୍ଟିଛି। ଉଦଘାଟନକୁ ଦିନ ପରେ ଦିନ ବିତିଥିଲେ ମଧ୍ୟ ବୁକିଂ ହୋଇପାରି ନାହିଁ। ଦିନକୁ ଦିନ ଏଠାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଠିକା ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀ ଇକୋରିଟ୍ରିଟ୍‌ ଛାଡି ଦେଇଛନ୍ତି। ଠିକାସଂସ୍ଥା ଇକୋରିଟ୍ରିଟ ପାଇଁ ଯାହା ବ୍ୟବସ୍ଥା କରିବାର ଥିଲା ତାହା କରି ପାରିନାହିଁ।

ପ୍ରଥମରୁ ଝୁଣ୍ଟିଲା ପର୍ଯ୍ୟଟନ ବିଭାଗ

ଲଜିଷ୍ଟିକ୍‌ ସମସ୍ୟା ପ୍ରତିବନ୍ଧକ ହେଲା : ଓଟିଡିସି

ଫଳରେ ଜିଲ୍ଲାରେ ରାଜ୍ୟ ପର୍ଯ୍ୟଟନ ବିଭାଗର ବହୁଳ ପ୍ରଚାରିତ ‘ଇକୋରିଟ୍ରିଟ୍’ର ପରିଚାଳନାରେ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। କାମ ନ ସାରି ତରବରିଆ ଭାବେ ଉଦ୍‌ଘାଟନ କରି ଏବେ ସମାଲୋଚନାର ଶୀକାର ହେଉଛି ପର୍ଯ୍ୟଟନ ବିଭାଗ। ଅନ୍ୟ ଜିଲ୍ଲାର ଇକୋ ରିଟ୍ରିଟ୍‌ର କଟେଜ୍ ଉଚ୍ଚା ଦରରେ ବୁକିଂ ହେଉଥିଲେ ମଧ୍ୟ କୋରାପୁଟ ଇକୋରିଟ୍ରିଟ ପରିଚାଳନାରେ ବିଭ୍ରାଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଧପନ୍ତରିଆ କାମକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରାଇ ପର୍ଯ୍ୟଟନ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଅପଦସ୍ତ କରାଇଛି ବୋଲି ଚର୍ଚ୍ଚା ହେଉଛି।

ଗତ ବର୍ଷ ପର୍ଯ୍ୟଟନ ବିଭାଗ ୫ଟି ଜାଗାରେ ଇକୋ ରିଟ୍ରିଟ୍ କ୍ୟାମ୍ପ୍‌ ଆୟୋଜନ କରିଥିଲା। ସେଗୁଡ଼ିକ ହେଲା କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡ଼ି ଓ ହୀରାକୁଦ। ଏଥର ଏହି ତାଲିକାରେ ଦୁଇଟି ନୂଆ ଜାଗା ଯୋଡ଼ି ହୋଇଥିଲା। ଗଞ୍ଜାମ ଜିଲ୍ଲାର ପାତି ସୁନାପୁର ଓ କୋରାପୁଟର ପୁଟିସିଲ୍‌। ପୁଟସିଲରୁ ଏବେ ଠିକାସଂସ୍ଥା ଯେତିକି ଦିନ ଲାଗି ଟେଣ୍ଟ ଅନ୍ୟ ସାମଗ୍ରୀ ଲଗାଇଥିଲା ତାହାକୁ ଏବେ ଧାରେ ଧରେ କରି ଖୋଲି ନେଉଛି। ମଧ୍ୟପ୍ରଦେଶର ହନୁମନ୍ତିଆରେ  ହେବାକୁ ରହିଥିବା ଟେଣ୍ଡ ସିଟି ଜଲ ମହୋତ୍ସବକୁ ଏହି ଟେଣ୍ଟ ଯାଉଛି। ତେବେ ରାଜ୍ୟ ସରକାର ଏହି ସଂସ୍ଥାକୁ କୋଟି କୋଟି ଟଙ୍କା ଦେଇଥିବାବେଳେ ଟଙ୍କାଟିଏ ବି ରୋଜଗାର ନ ହେବା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି। ବିଲ୍‌ ନେଇ ଠିକା ସଂସ୍ଥା ପାର ମାରିଥିବାବେଳେ ପୂର୍ବରୁ ପୁଟସିଲ ଯେପରି ଥିଲା ଏବେ ସେହି ପରି ଥିବା ଦେଖିବାକୁ ମିଳିଛି।

ପ୍ରତି ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଇକୋ ରିଟ୍ରିଟ୍ ଆରମ୍ଭ ହୁଏ। ଚଳିତ ବର୍ଷ ଇକୋ ରିଟ୍ରିଟ୍ ପରିଚାଳନା ପାଇଁ ଘରୋଇ ସଂସ୍ଥା ଚୟନ ନିମନ୍ତେ ସେପ୍ଟମ୍ବର ମାସରେ ଟେଣ୍ଡର୍ ଡକାଯାଇଥିଲା। ପ୍ରତିବର୍ଷ ଆଉ ଟେଣ୍ଡର୍ ଡକା ନ ଯାଇ ଏକାଥରେ ୫ ବର୍ଷ ନିମନ୍ତେ ଏହି ଟେଣ୍ଡର୍ ଡକାଗଲା। ଚଳିତ ବର୍ଷ ନଭେମ୍ବର ୧୫ରୁ ଇକୋ ରିଟ୍ରିଟ୍ ଆରମ୍ଭ କରିବାକୁ ଆନୁମାନିକ ଭାବେ ତାରିଖ ଧାର୍ଯ୍ୟ କରିଥିଲା ପର୍ଯ୍ୟଟନ ବିଭାଗ। ତେବେ ପ୍ରତିକୂଳ ପାଗ ଓ ଆବଶ୍ୟକ ପ୍ରସ୍ତୁତି ଅଭାବରୁ ଏହି କାର୍ଯ୍ୟକ୍ରମ ନଭେମ୍ବରରୁ ଆରମ୍ଭ ହୋଇପାରିନଥିଲା।

ଜୱାଦ ଓ ପରବର୍ତ୍ତୀ ବର୍ଷା ଯୋଗୁ ଡିସେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ଆରମ୍ଭ ହୋଇପାରିଲା ନାହିଁ। ଶେଷରେ ଗତ ୧୫ ତାରିଖରେ ଇକୋ ରିଟ୍ରିଟ୍ ଆରମ୍ଭ ହେଲା। ଡିସେମ୍ବର ୧୫ ତାରିଖରେ ୭ଟି ଯାକ ଇକୋ ରିଟ୍ରିଟ୍‌କୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଉଦ୍‌ଘାଟନ କରିଥିଲେ। ପ୍ରତି ସ୍ଥାନରେ ସ୍ଥାନୀୟ ଲୋକପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ରହିଥିଲେ। ଡିସେମ୍ବର ୧୫ରୁ ମାର୍ଚ୍ଚ ୧୫ ମଧ୍ୟରେ କୋରାପୁଟ ଇକୋରିଟ୍ରିଟ କାର୍ଯ୍ୟକ୍ଷମ ହେବାକୁ ରହିଥିବାବେଳେ ଭିତ୍ତିଭୂମି ଶେଷ ହୋଇପାରିଲାନି। ଠିକାସଂସ୍ଥା ତା ପଇସା ପାଇଥିବାବେଳେ କାର୍ଯ୍ୟରେ ରଖିଥିବା କର୍ମଚାରୀଙ୍କୁ ଅଧା ଦରମା ଦେଇ ବିଦା କରି ଦେଇଥିଲା। ପରେ ଧୀରେ ଧୀରେ ସବୁ କର୍ମଚାରୀ ଛାଡି ପଳାଇବା ପରେ ଏବେ ଟେଣ୍ଟ ଭାଙ୍ଗି ସେଠାରୁ ମଧ୍ୟପ୍ରଦେଶକୁ ନିଆଯାଉଥିବା ଜଣାପଡିଛି।

ଏନେଇ ଓଟିଡିସିର ବରିଷ୍ଠ ଅଧିକାରୀ ପି.କେ ଚାନ୍ଦ କହିଛନ୍ତି ଯେ ଆରମ୍ଭ ହେବ ହେବ ହୋଇ ଆରମ୍ଭ ହୋଇପାରିଲାନି। ବିଭିନ୍ନ କାରଣ ଯୋଗୁଁ ଏହା ଆରମ୍ଭ ହୋଇ ପାରି ନଥିବାବେଳେ ମୁଖ୍ୟ କାରଣ ହେଲା ଲଜିଷ୍ଟିକ୍। ଏହାକୁ ଯୋଗାଇବାକୁ ଠିକାସଂସ୍ଥା ଅସମର୍ଥ ହେବାରୁ ଅଧୁରା ରହିଗଲା। ଦ୍ବିତୀୟ ସଂସ୍କରଣରେ ଭଲ ‌ଭାବେ କୋରାପୁଟ ଦେଶରେ ନାଁ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର