ଓଟିଡିସିର ନାଆଁ ନେଇ ଠକେଇ କରି ଆତ୍ମଘୋଷିତ ବାବା ଓ ଯନ୍ତ୍ରୀ ଗିରଫ

ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ( ଓଟିଡିସି)ର ନାଆଁ ନେଇ ଠକେଇ କରିଥିବା ଦୁଇ ଠକଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭୁବନେଶ୍ୱରର ଇଓଡବ୍ଲୁ ଉଭୟଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲେ ବିଟେକ୍ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି ଏବଂ ଆରଜଣକ ହେଲେ ତଥା ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ବାମୀ ବିଜୟାନନ୍ଦଜୀ ମହାରାଜ। ଉଭୟଙ୍କୁ ଯଥାକ୍ରମେ ଭୁବନେଶ୍ୱରର ନୟାପଲ୍ଲୀ ଏବଂ କଟକର ସିଡିଏରେ ଥିବା ବାସଭବନରୁ ଗିରଫ କରାଯାଇଛି। ସେମାନଙ୍କୁ ଆଜି ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ଚନ୍ଦନ ଆକାଶ ମହାନ୍ତି ପର୍ଯ୍ୟଟନ ବିକାଶ ନିଗମ ଭୁବନେଶ୍ୱରରେ ସହକାରୀ ଯନ୍ତ୍ରୀ ଭାବେ ଚୁକ୍ତିଭିତ୍ତିକ ଭିତ୍ତିରେ କାର୍ଯ୍ୟ କରୁଥିଲେ। ଜଣେ ନିଜକୁ ଓଟିଡିସିର ଅଧ୍ୟକ୍ଷ କହୁଥିବା ବେଳେ ଆଉ ଜଣେ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେସାଲ୍ କ୍ଲାସ୍ ଠିକାଦାର ଧନୁର୍ଦ୍ଧର ଚମ୍ପତିରାଏଙ୍କୁ ଠକିଥିଲେ। ଓଟିଡିସିର ନକଲି ୱାର୍କ ଅର୍ଡରରେ ଜାଲି ସିଲ୍ ଓ ଦସ୍ତଖତ କରି କଣ୍ଟ୍ରାକ୍ଟରଙ୍କୁ ଦେଇଥିଲେ ଓ ତା’ବଦଳରେ ୩ କୋଟି ଟଙ୍କା ଡିପୋଜିଟ ଆକାରରେ ନେଇଥିଲେ। ଏ କଥା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

ସମ୍ବନ୍ଧିତ ଖବର