ଶିକ୍ଷା ଟ୍ରିବ୍ୟୁନାଲରୁ ବହିଷ୍କୃତ ଅତିରିକ୍ତ ସରକାରୀ ଓକିଲଙ୍କୁ ପୁନଃ ନିଯୁକ୍ତି

ଭୁବନେଶ୍ବର : ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ(ଏସ୍‌ଇଟି)ର ଅତିରିକ୍ତ ସରକାରୀ ଓକିଲ ଧ୍ରୁବଚରଣ ଧଳଙ୍କୁ ତାଙ୍କ ପଦରେ ପୁଣି ଅବସ୍ଥାପିତ କରାଯାଇଛି। ତାଙ୍କୁ ଗତ ୨୭ ତାରିଖରେ ଅ‌ାର୍ଥିକ ଅନିୟମିତତା ପାଇଁ ବହିଷ୍କୃତ କରାଯାଇଥିଲା। ତେବେ ବହିଷ୍କାରର ମାସେ ନ ପୂରୁଣୁ ଆଜି ସମାନ ସ୍ଥାନରେ କିପରି ତାଙ୍କୁ ପୁନଃ ନିଯୁକ୍ତି ମିଳିଲା ତାହା ଏବେ ଚର୍ଚାର ବିଷୟ ହୋଇଛି।

୨୦୧୭ ଫ୍ରେବ୍ରୁଆରି ୨୩ ତାରିଖରେ ଶ୍ରୀ ଧଳଙ୍କୁ ଏସଇଟିରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ନାମରେ କିଛି ଆର୍ଥିକ ଅନିୟମିତତା ଅଭିଯୋଗ ସମ୍ପର୍କରେ ଆଇନ ବିଭାଗକୁ ଆସିବାରୁ ସେସବୁର ତଦନ୍ତ କରାଯାଇ ଥିଲା। ତଦନ୍ତରେ ଅନିୟମିତତା ଅଭିଯୋଗ ସତ ବୋଲି ଜଣାପଡ଼ି ଥିଲା।

ପ୍ରକାଶ ଥାଉକି ଏଭଳି ଅନିୟମିତତା ପାଇଁ ହାଇକୋର୍ଟ ବାର ଆସୋସିଏସନ ଡାକରାରେ ଏସ୍‌ଇଟି ବାର ଆସୋସିଏସନ ୨୦୧୮ ଅଗଷ୍ଟ ୨୯ ତାରିଖରୁ ୨୦୧୮ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲା। ଶ୍ରୀ ଧଳଙ୍କ ବହିଷ୍କାର ପରେ ଆଇନ ବିଭାଗ ପକ୍ଷରୁ ଶିକ୍ଷା ଟ୍ରିବ୍ୟୁନାଲରେ ଅତିରିକ୍ତ ସରକାରୀ ଓକିଲ ନିଯୁକ୍ତି ପାଇଁ ଆଡଭୋକେଟ ଜେନେରାଲଙ୍କଠାରୁ ନାମ ମଗାଯାଇଥିଲା। ସେଠାରୁ ନାମ ଆସିବା ପୂର୍ବରୁ ତରବରିଆ ଭାବେ ଶ୍ରୀ ଧଳଙ୍କୁ କାହିଁକି ନିଯୁକ୍ତି ଦିଆଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର