ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୧୮ରେ ପ୍ରକାଶ ପାଇବ ବିଜ୍ଞପ୍ତି, ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆଗାମୀ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ପାଇଁ ମାର୍ଚ୍ଚ ୧୮ରେ ବଜ୍ଞପ୍ତି ପ୍ରକାଶ ପାଇବ। ଏଥିପାଇଁ ମାର୍ଚ୍ଚ ୨୫ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ବୋଲି ରବିବାର ଓଡ଼ିଶାର  ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସୁରେନ୍ଦ୍ର କୁମାର କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୮ରେ ମତଦାନ ହେବ। ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେରେ ମତଦାନ ହେବ। ଏପ୍ରିଲ ୨୩ରେ ହେବାକୁ ଥିବା ମତଦାନ ପାଇଁ ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶାରେ ଏପ୍ରିଲ ୨୯ରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଇଁ ମତଦାନ ହେବ ଏବଂ ଏପ୍ରିଲ ୨ରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ପରାମର୍ଶ କ୍ରମେ ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି। ଆଗାମୀ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସମ୍ବେଦନଶୀଳ ଅଚଂଳରେ ସିସିଟିଭି କ୍ୟାମେରା ଏବଂ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ। ଗୋଟିଏ ପର୍ଯ୍ୟାୟରେ ମତଦାନ ସରିବା ପରେ ସେଠାରେ ମୁତୟନ ଥିବା ସିଏପିଏଫ୍‌ (ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ) ସମେତ ରାଜ୍ୟ ପୁଲିସଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ମୁଖ୍ୟ ନିର୍ବାଚନ ଅଧିକାରୀ କୁମାର କହିଛନ୍ତି ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ସରକାର, ପ୍ରଶାସନ ଓ ରାଜନୈତିକ ଦଳମାନେ ମାନିବାକୁ ବାଧ୍ୟ ହେବେ। ବର୍ତ୍ତମାନ ପ୍ରଶାସନ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିପାରିବେ ନାହିଁ। ଏଥି ପାଇଁ ପୂର୍ବରୁ ସୂଚନା ଜାରି କରାଯାଇଥିଲା।

ଆଚରଣ ବିଧି ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ବାଚନ ଆୟୋଗ ଆପ୍‌ ମାଧ୍ୟମରେ ମଧ୍ୟ ଅଭିଯୋଗ ଗ୍ରହଣ କରିବେ। ଜଣେ ସାଧାରଣ ଲୋକ ମଧ୍ୟ ଅଭିଯୋଗ କରିପାରିବ। ଅଭିଯୋଗର ୧୦୦ ଘଣ୍ଟା ମଧ୍ୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର