ବାରିପଦାରୁ ପ୍ରଥମଥର ଗଡ଼ିଲା ବିଦ୍ୟୁତ ଚାଳିତ ରେଳଇଞ୍ଜିନ, ଭଞ୍ଜପୁର-ସାଲିମାର ଏକ୍ସପ୍ରେସ୍ ସେବା ଆରମ୍ଭ

ସପ୍ତାହକୁ ତିନିଦିନ ଭଞ୍ଜପୁରରୁ ସାଲିମାର ପର୍ଯ୍ୟନ୍ତ ଚଳାଚଳ କରିବ

ବାରିପଦା: ରେଳ ଚଳାଚଳ ଆରମ୍ଭ କ୍ଷେତ୍ରରେ ପୁରୋଧା ସାଜିଥିବା ମୟୂରଭଞ୍ଜ ଜିଲ୍ଲାରେ ପୁନର୍ବାର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଆଜିଠାରୁ ବାରିପଦାରୁ ପ୍ରଥମଥର ପାଇଁ ଗଡିଲା ସମ୍ପୂର୍ଣ୍ଣରୂପେ ବିଦ୍ୟୁତ ଚାଳିତ ରେଳଇଞ୍ଜିନ। ବାରିପଦାର ଭଞ୍ଜପୁର ଷ୍ଟେସନଠାରୁ ସାଲିମାର (ପଶ୍ଚିମବଙ୍ଗ)କୁ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜପୁର-ସାଲିମାର ଏକ୍ସପ୍ରେସ୍ ସେବା। ଏହି ଟ୍ରେନ୍ ସପ୍ତାହକୁ ତିନିଦିନ ଭଞ୍ଜପୁରରୁ ସାଲିମାର ପର୍ଯ୍ୟନ୍ତ ଚଳାଚଳ କରିବ।

ଆଜି ସକାଳ ୬.୩୦ମିନିଟ ସମୟରେ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞଦେଓ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଛନ୍ତି । ରାଜତନ୍ତ୍ର ସମୟରେ ଏହା ନେରୋ ଗେଜ୍ ସହିତ ଷ୍ଟିମ ଇଞ୍ଜିନ ଦ୍ବାରା ବାଙ୍ଗିରୀପୋଷି ଠାରୁ ରୁପ୍ସା ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିଲା । ପରେପରେ ଏହା ବ୍ରଡ୍ ଗେଜରେ ପରିବର୍ତ୍ତନ ହେବା ସହ ବାଙ୍ଗିରୀପୋଷି ରୁ ଭୁବନେଶ୍ୱର ସୁପରଫାଷ୍ଟ, ବାଙ୍ଗିରୀପୋଷିରୁ ବାଲେଶ୍ଵର ଡି.ଏମ୍.ୟୁ ଓ ବାରିପଦା ଠାରୁ ସାଲିମାର ପର୍ଯ୍ୟନ୍ତ ଟ୍ରେନ ଡିଜେଲ ଇଞ୍ଜିନ ଦ୍ବାରା ଚଳପ୍ରଚଳ କରୁଥିଲା ।

ଏବେ ବିଦ୍ୟୁତିକରଣ କାମ ବାରିପଦା ପର୍ଯ୍ୟନ୍ତ ଶେଷ ହୋଇଯାଇଥିବା ଯୋଗୁଁ ଆଜି ପ୍ରଥମ କରି ଶାଲୀମାର ଟ୍ରେନକୁ ଇଲେକ୍ଟ୍ରିକ୍ ଇଞ୍ଜିନ ସଂଯୋଗୀକରଣ କରାଯାଇ ଚଲାଯାଇଛି । ଖୂବ ଶିଘ୍ର ଏହା ବାଙ୍ଗିରୀପୋଷି ପର୍ଯ୍ୟନ୍ତ ସ‌ଂଯୋଗ ହୋଇଯିବ ବୋଲି ମଧ୍ୟ ଜଣାପଡିଛି । ତେବେ ରେଳ ଚଳାଚଳ କ୍ଷେତ୍ରରେ ବିଦ୍ୟୁତ ଦ୍ବାରା ପରିଚାଳିତ ହେବାଦ୍ବାରା ମୟୂରଭଞ୍ଜ ବାସୀଙ୍କୁ ବହୁତ ଲାଭଦାୟକ ହେବ ବୋଲି ମହାରାଜା ପ୍ରବୀଣ ଚନ୍ଦ୍ର ଭଞଦେଓ କହିଛନ୍ତି । ଏହି ଅବସରରେ ରେଲୱେ ବୋର୍ଡ ମେମ୍ବର ହେମନ୍ତ ଶାହା, ଷ୍ଟେସନ ମ୍ୟାନେଜର ରଞ୍ଜିତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏହି ଟ୍ରେନ୍ ସାଲିମାରରୁ ସୋମବାର, ମଙ୍ଗଳବାର, ବୁଧବାର ବାରିପଦାକୁ ଆସିବ। ସେଠାରୁ ଏହି ଏକ୍ସପ୍ରେସ୍ ଅପରାହ୍ନ ୪.୨୫ରୁ ଛାଡ଼ି ରାତି ସାଢ଼େ ୯ରେ ଭଞ୍ଜପୁର ଷ୍ଟେସନରେ ପହଞ୍ଚିବ। ସେହିପରି ଭଞ୍ଜପୁରରୁ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ସାଲିମାର ଅଭିମୁଖେ ଯାତ୍ରା କରିବ। ବାରିପଦାର ଭଞ୍ଜପୁରରୁ ସକାଳ ୬.୧୫ରେ ବାହାରି ସାଲିମାରରେ ମଧ୍ୟାହ୍ନ ୧୨.୧୫ରେ ପହଞ୍ଚିବ।

 

ସମ୍ବନ୍ଧିତ ଖବର