ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

ଭୁବନେଶ୍ବର : ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଲାଗି ଖୁସି ଖବର। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ବଢ଼ିବ ନାହିଁ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଅପରିବର୍ତ୍ତିତ ରହିବ। ଏହାକୁ ମିଶାଇ ଲଗାତାର ଦ୍ବିତୀୟ ବର୍ଷ ଲାଗି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ବିଦ୍ୟୁତ୍‌ ଶୁଳ୍କ ଅପରିବର୍ତ୍ତିତ ରଖିଛନ୍ତି। ଏଥିସହ ଜନଶୁଣାଣି ସମୟରେ ଆପତ୍ତିକର୍ତ୍ତାମା‌ନେ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଓଇଆରସି ଗୁରୁତ୍ବ ଦେଇଛନ୍ତି। ଗତ ବର୍ଷଗୁଡ଼ିକରେ ଗ୍ରାହକଙ୍କଠାରୁ ୨୭୨୭ କୋଟି ଟଙ୍କା ଅଧିକ ଆଦାୟ କରାଯାଇଛି। ନିୟମ ଅନୁଯାୟୀ ଆବଣ୍ଟନ କମ୍ପାନିମାନେ ତାହାକୁ ଗ୍ରାହକଙ୍କୁ ସୁଧ ସହିତ ଫେରାଇବାର ବାଟ ବାହାର କରିବାକୁ ଶୁଣାଣି ସମୟରେ ଆପତ୍ତିକର୍ତ୍ତା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟମାନେ ସ୍ବର ଉଠାଇଥିଲେ। ତାହାକୁ ଦୃଷ୍ଟି ଦେଇ ଆୟୋଗ ବିଦ୍ୟୁତ୍‌ ଦର ସ୍ଥିର ରଖିବା ସହ ଉପଭୋକ୍ତାଙ୍କ ଲାଗି କିଛି କ୍ଷେତ୍ରରେ ରିହାତି ଘୋଷଣା କରିଛନ୍ତି।

ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ‌ଶୀତଳ ଭଣ୍ଡାରଗୁଡ଼ିକୁ ୟୁନିଟ୍‌ ପିଛା ୧ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ଏଥିରେ ଉଭୟ ବର୍ଗର ଉପଭୋକ୍ତା(ହାଇ ଟେନ୍‌ସନ୍‌/ଲୋ-ଟେନ୍‌ସନ୍‌) ଉପଭୋକ୍ତା ଉପକୃତ ହେବେ। ଏହାଦ୍ବାରା ଓଡ଼ିଶାର ପ୍ରାୟ ୫୦ ଲକ୍ଷ ଚାଷୀ ପରିବାର ଉପକୃତ ହୋଇପାରିବେ। ସେହିପରି ଏଲ୍‌ଟି ଘରୋଇ ଓ ସିଙ୍ଗ୍‌ଲ ଫେଜ୍‌ ଉପଭୋକ୍ତାଙ୍କୁ ଡିଜିଟାଲ ସହ ଯୋଡ଼ିବା ଉପରେ ଓଇଆରସି ଗୁରୁତ୍ବ ଦେଇଛନ୍ତି। ଡିଜିଟାଲ ମାଧ୍ୟମରେ ବିଦ୍ୟୁତ୍‌ ବିଲ୍‌ ପଇଠ କଲେ ଏଣିକି ୨% ବଦଳରେ ୪% ରିହାତି ମିଳିବ। ଚଳିତ ମାସରେ ଯଦି ଗ୍ରାହକ ସମସ୍ତ ବିଲ୍‌ ପଇଠ କରିସାରିଛନ୍ତି, ତେବେ ସେମାନେ ବି ଏହି ରିହାତି ପାଇବାକୁ ଯୋଗ୍ୟ ବି‌ବେଚିତ ହେବେ। ‌ଗ୍ରାମାଞ୍ଚଳ ଉପଭୋକ୍ତାମାନଙ୍କୁ ମଧ୍ୟ ସୁବିଧା ପ୍ରଦାନ କରାଯାଇଛି। ଠିକ୍‌ ସମୟରେ ବିଦ୍ୟୁତ୍‌ ବିଲ୍‌ ପଇଠ କଲେ ଗ୍ରାମାଞ୍ଚଳ ଗ୍ରାହକ ୟୁନିଟ୍‌ ପିଛା ଅଧିକ ୧୦ ପଇସା ରିହାତି ପାଇବେ। ବିଦ୍ୟୁତ୍‌ ବିଲ୍‌ ପୈଠରେ ବିଳମ୍ବ ଜନିତ ଜରିମାନା ବ୍ୟବସ୍ଥା ଉଠାଇ ଦିଆଯାଇଛି। ରେଳ ଚଳାଚଳ ପାଇଁ ୟୁନିଟ୍‌ ପିଛା ୨୫ପଇସା ରିହାତି ଦେବାର ବ୍ୟବସ୍ଥା ହୋଇଛି। ଏହାଦ୍ବାରା ଓଡ଼ିଶାରେ ରେଳର ବିକାଶ ହୋଇପାରିବ ବୋଲି ଓଇଆରସି ନିଜ ରାୟରେ ପ୍ରକାଶ କରିଛନ୍ତି।

ଶୀତଳଭଣ୍ଡାରକୁ ୧.୬୦ ଟଙ୍କା ରିହାତି
ଡିଜିଟାଲ ପଇଠ କଲେ ଏଣିକି ୪% ରିବେଟ୍‌
ଗ୍ରାମାଞ୍ଚଳରେ ୟୁନିଟ୍‌ ପିଛା ୧୦ ପଇସା ରିହାତି

lmd.lk

‘ଅଫ୍‌ ପିକ୍‌ ଆୱାର’ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଅଫ୍‌ ପିକ୍‌ ଆୱାର ରାତି ୧୨ଟାରୁ ସକାଳ ୬ଟା ଥିବା ବେଳେ ଏବେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟକୁ ସେଥିରେ ଯୋଡ଼ା ଯାଇଛି। ତେଣୁ ଗ୍ରାହକଙ୍କୁ ୟୁନିଟ୍‌ ପିଛା ୨୦ ପଇସା ରିହାତି ଦେବାର ବ୍ୟବସ୍ଥା ହୋଇଛି। ଗ୍ରିନ୍‌ ଏନର୍ଜି ତଥା ସବୁଜ ଶକ୍ତି ବ୍ୟବହାରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ସବୁଜ ଶକ୍ତି ସାର୍ଟିଫିକେଟ୍ ପ୍ରିମିୟମ୍ ୟୁନିଟ୍‌ ପିଛା ୫୦ରୁ ୨୫ ପଇସାକୁ ହ୍ରାସ ପାଇଛି। ଯଦି କୌଣସି ଶିଳ୍ପ ସଂସ୍ଥା ନିଜର ଆବଶ୍ୟକତା ଥିବା ୧୦୦ ପ୍ରତିଶତ ଶକ୍ତି ଆବଣ୍ଟନ କମ୍ପାନିଙ୍କଠାରୁ ସଂଗ୍ରହ କରନ୍ତି, ତେବେ ଯେକୌଣସି ବର୍ଗର ଗ୍ରାହକ ସବୁଜ ସାର୍ଟିଫିକେଟ୍‌ ପାଇପାରିବେ। ସରଳ ଭାବେ କହିଲେ, ଗ୍ରାହକଙ୍କୁ ବିଦ୍ୟୁତ୍‌ ଚାର୍ଜର ସାଧାରଣ ଦରଠାରୁ ଅଧିକ(ପ୍ରିମିୟମ୍) ୟୁନିଟ୍ ପିଛା ୨୫ ପଇସା ଅତିରିକ୍ତ ଦେୟ ଦେବାକୁ ପଡ଼ିବ। କ୍ୟାପ୍‌ଟିଭ୍‌ ଜେନେରେଟିଂ ପ୍ଲାଣ୍ଟଗୁଡ଼ିକ ଲାଗି ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଗ୍ରାହକ ସଂଗ୍ରହ କରୁଥିବା ଶକ୍ତି ଉପରେ ଓପିଟିସିଏଲ୍‌ ପ୍ରତି ୟୁନିଟ୍ ଉପରେ ୨୦ ପଇସା ରିହାତି ପ୍ରଦାନ କରିବ।

ଅନ୍ୟପକ୍ଷରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍‌ (ଓଏଚ୍‌ପିସି)ର ୟୁନିଟ୍‌ ପିଛା ଶୁଳ୍କ ୮୯.୪୮ ପଇସାରୁ ୯୩.୪୯ ପଇସାକୁ ବୃଦ୍ଧି କରାଯାଇଛି। ଓଡ଼ିଶାର ପାୱାର ଷ୍ଟେସନରୁ ଗ୍ରିଡ୍‌କୋ ୫୬୦୨ ମେଗା(ନିୟୁତ) ୟୁନିଟ୍‌ ସଂଗ୍ରହ କରିବ। ମାତ୍ର ମାଛକୁଣ୍ଡରୁ ୟୁନିଟ୍‌ ପିଛା ୧୧୬.୯୭ ପଇସାରେ ୨୫୯.୮୭୫ ନିୟୁତ ୟୁନିଟ୍‌ ନେବ। ହୀରାକୁଦ ପାୱାର ଷ୍ଟେସନରୁ ୟୁନିଟ୍ ପିଛା ୨୧୯.୬୭ ପଇସାରେ ଛତିଶଗଡ଼ ୫ ମେଗାୱାଟ୍‌ ବିଦ୍ୟୁତ୍‌ ସଂଗ୍ରହ କରିବ। ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରିଡ୍‌କୋ ୩୮ ହଜାର ୧୮୫ ନିୟୁତ ୟୁନିଟ୍‌ କିଣିବ ଏବଂ ଆବଣ୍ଟନ କମ୍ପାନିମାନଙ୍କୁ ୩୬ହଜାର ୯୭୦ ନିୟୁତ ୟୁନିଟ୍‌ (ନିୟୁତ ୟୁନିଟ) ବିକ୍ରି କରିବ। ଟିପିସିଓଡିଏଲ୍‌କୁ ୟୁନିଟ୍‌ ପିଛା ୩୦୫ ପଇସାରେ ବିକ୍ରି କରିବାକୁ ଥିବା ବେଳେ ଟିପିଏନ୍‌ଓଡିଏଲ୍‌କୁ ୩୩୫, ଟିପିଡବ୍ଲୁଓଡିଏଲ୍‌କୁ ୩୯୦ ଓ ପିଟିଏସ୍‌ଓଡିଏଲ୍‌କୁ ୨୧୦ ପଇସାରେ ବିକ୍ରୟ କରିବ। ହାରାହାରି ବିଏସ୍‌ପି ୟୁନିଟ୍ ପିଛା ୩୧୨ ପଇସାରୁ ୩୨୯ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଓପିଟିସିଏଲ୍‌ର ଟ୍ରାନ୍ସମିସନ୍ ଚାର୍ଜ ୟୁନିଟ୍ ପିଛା ୨୮ ପଇସାରୁ ୨୪ ପଇସାକୁ ହ୍ରାସ ପାଇଛି। ଓପିଟିସିଏଲ୍‌ ୨୯ହଜାର ୭୧୦ ନିୟୁତ ୟୁନିଟ୍‌ ବଦଳରେ ୩୭ହଜାର ୩୪୮ ନିୟୁତ ୟୁନିଟ୍‌ ସରବରାହ କରିବ ବୋଲି ଓଇଆରସି ନିଜ ରାୟରେ ପ୍ରକାଶ କରିଛନ୍ତି।

Chandigarh Metro

ମାତ୍ର ଆୟୋଗ ଆଜି ପ୍ରକାଶ କରିଥିବା ଓଡ଼ିଆ ଓ ଇଂରାଜୀ ପ୍ରେସ୍‌ ବିଜ୍ଞପ୍ତି ମଧ୍ୟରେ ତାଳମେଳ ନ ଥିବା ଦେଖିବାକୁ ମିଳିଛି। ଓଡ଼ିଆରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଗ୍ରାମାଞ୍ଚଳ ଉପଭୋକ୍ତାମାନେ ଠିକ୍‌ ସମୟରେ ବିଲ ପଇଠ କଲେ ୟୁନିଟ୍‌ ପିଛା ଅଧିକ ୧୦ ପଇସା ରିହାତି ମିଳିବ ବୋଲି ଉଲ୍ଲେଖ ହୋଇଥିଲା। କିନ୍ତୁ ଇଂରାଜୀ ବିଜ୍ଞପ୍ତିରେ ଏସମ୍ପର୍କରେ କିଛି ଲେଖାଯାଇ ନ ଥିଲା। କେଉଁ ବିଜ୍ଞପ୍ତି ଠିକ୍‌, ତାହାକୁ ନେଇ ପ୍ରଶ୍ନ ଉଠିବା ପରେ ଓଇଆରସି କର୍ତ୍ତୃପକ୍ଷ ନିଜ ଭୁଲ୍‌ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତରେ ଫେବ୍ରୁଆରି ୧୩, ୧୪, ୧୫, ୨୪, ୨୭, ୨୮ ଓ ମାର୍ଚ୍ଚ ୪ରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ନିକଟରେ ଜନଶୁଣାଣି ହୋଇଥିଲା। ଏଥିରେ ଆବଣ୍ଟନ କମ୍ପାନିଙ୍କ ସମେତ ଗ୍ରିଡ୍‌କୋ, ଓଏଚ୍‌ପିସି, ଓପିଜିସି, ଓପିଟିସିଏଲ୍‌, ଏସ୍‌ଏଲ୍‌ଡିସି ସାମିଲ ହୋଇ ସେମାନଙ୍କ ଏଆରଆର ଓ ଟାରିଫ୍‌ ନେଇ ପ୍ରସ୍ତାବ ରଖିଥିଲେ। ଆପତ୍ତିକର୍ତ୍ତା (ଅବଜେକ୍ଟରମାନେ)ମାନେ ମଧ୍ୟ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିବା ପରେ ମାର୍ଚ୍ଚ ୧୫ରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ବସି ସମସ୍ତ ପକ୍ଷଙ୍କ ପ୍ରସ୍ତାବ ଉପରେ ବିଚାର କରାଯାଇ ରାୟ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର