ନୀଳଗିରି : କୁଲଡିହା ଅଭୟାରଣ୍ୟରେ ମାଈହାତୀର ମୃତ୍ୟୁ

ନୀଳଗିରି : ନୀଳଗିରି ଉପଖଣ୍ଡ କୁଲଡିହା ଅଭୟାରଣ୍ୟରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବନ ବିଭାଗ ଟିମ୍ ଆଜି ପାଟ୍ରୋଲିଂ କରୁଥିବା ବେଳେ ଅଭୟାରଣ୍ୟର ଗୋହିରାଡାହି ଅଞ୍ଚଳରେ ଏକ ମାଈହାତୀର ମୃତଦେହ ଦେଖିବାକୁ ପାଇଥିଲେ। ବନ କର୍ମଚାରୀଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ଡିଏଫ୍ଓ ବିଶ୍ବରାଜ ପଣ୍ତା, କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଫରେଷ୍ଟର ନରେଶ ସିଂଙ୍କ ସମେତ ପ୍ରାଣୀ ଚିକିତ୍ସକ ଡା.ମାୟାଧର ପୋଥାଳ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ ହାତୀଟିକୁ ସେଠାରେ ପୋତି ଦିଆଯାଇଛି। ହାତୀ ମୃତ୍ୟୁର କାରଣ କିଛି ଜଣାପଡ଼ିନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଏହା ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ହାତୀଟି ୩/୪ ଦିନ ପୂର୍ବରୁ ମରିଥିବା ଏବଂ ତାର ବୟସ ୫ ବର୍ଷ ହେବ ବୋଲି ଡିଏଫ୍ଓ ଶ୍ରୀ ପଣ୍ଡା ସୂଚନା ଦେବା ସହ ଦନ୍ତାହାତୀ ସହ ଲଢେ଼ଇ ବେଳେ ମାଈହାତୀର ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତିା

ତେବେ ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ କଥା ଶୁଣିବାକୁ ମିଳୁଛି। କାଠ ମାଫିଆ କିମ୍ବା ମୋରମ୍‌ ମାଫିଆଙ୍କ ଦ୍ବାରା ହାତୀଟି ମରିଥାଇପାରେ ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ଆଶଙ୍କା କରିଛନ୍ତି। ତିନି ଚାରିଦିନ ତଳୁ ହାତୀଟି ମରିଥିଲେ ମଧ୍ୟ ବନ ବିଭାଗ କିପରି ତାର ଟେର୍ ପାଇଲାନି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାତୀ ମୃତ୍ୟୁକୁ ଦନ୍ତା ଲଢ଼େଇର ରୂପ ଦେଇ ଚପାଇ ଦେବାକୁ ପ୍ରୟାସ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର