ହାତୀ ମାତିଲେ, ଘରଭାଙ୍ଗି ଚାଉଳ ଖାଇଲେ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ହାତୀ ଉପଦ୍ରବ କମୁନି। ହାତୀବାରି ବନାଞ୍ଚଳ ଅନ୍ତର୍ଗତ କୋ​କେରମା ପଞ୍ଚାୟତରେ ହାତୀପଲ ଜଣେ ମହିଳାଙ୍କ ଘରଭାଙ୍ଗିବା ସହ ଧାନଚାଉଳ ଖାଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀବାରି ଧୂଆଡେଙ୍ଗା ଜଙ୍ଗଲରେ ଥିବା ୬ ଟିକିଆ ହାତୀପଲ ମଧରୁ ୪ଟି ହାତୀ କୋକେରମା ପଞ୍ଚାୟତବସ୍ତିରେ ପଶିଥିଲେ। ହାତୀଦଳ ଖାଦ୍ୟସନ୍ଧାନରେ ବୁଲି ଫୁଦ ବେଗଙ୍କ ଘର ଭାଙ୍ଗି ଘରଭିତରେ ପଶିଥିଲେ। ଏହି ୪ ଟିକିଆ ହାତୀପଲ ଘରେ ଥିବା ପ୍ରାୟ ୫ କ୍ବିଣ୍ଟାଲ ଧାନ ଓ ଦୁଇବସ୍ତା ଚାଉଳ ଖାଇଦେବା ସହ ଆସବାବପତ୍ର ନଷ୍ଟ କରିଦେଇଥିଲେ। ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇଙ୍କ ନିର୍ଦେଶକ୍ରମେ ହାତୀପଲଙ୍କ ଉପରେ ଡ୍ରୋନ୍‌ ସାହାଯ୍ୟରେ ନଜର ରଖାଯାଇଥିଲା। ହାତୀପଲ ଫୁଦଙ୍କ ଘର ଭାଙ୍ଗୁଥିବା ସୂଚନାପାଇ ଶ୍ରୀ ଜରେଇଙ୍କ ନେତୃତ୍ବରେ ହାତୀ ଘଉଡ଼ାଇବା ଦଳ ପହଞ୍ଚିଥିଲେ। ହାତୀ ଘଉଡ଼ାଇବା ଦଳ ଘର ଆଜ୍‌ବେଷ୍ଟସ୍‌ ଭାଙ୍ଗି ଫଦୁଙ୍କ ଝିଅ ନନ୍ଦିନୀ ମିଞ୍ଜ ଓ ତାଙ୍କ ଘରେ ଭଡ଼ାରେ ରହୁଥିବା ଗାବ୍ରିଏଲ ବେଗଙ୍କୁ ବାହାର କରିବା ସହ ହାତୀଦଳକୁ ସେଠାରୁ ଘଉଡ଼ାଇଥିଲେ।

ହାତୀଦଳ ସେଠାରୁ ବାହାରି କୋକେରମା ବସ୍ତିର ସୁଜୟ ନାଥ, ଗୋବିନ୍ଦ ସିଂହ, ପୀତାମ୍ବର ସିଂହ, ଭିକାରି ଚରଣ ସିଂହ, ତେହନା ସିଂହଙ୍କ ବାଡ଼ିରେ ପଶି ପନିପରିବା ଖାଇବା ସହ ନଷ୍ଟ କରିଥି​ଲେ। ସୂଚନାଯୋଗ୍ୟ ଯେ, କିଛିଦିନ ହେଲା ହାତୀପଲ ହାତୀବାରି ବନାଞ୍ଚଳର ଧୂଆଡେଙ୍ଗା ଜଙ୍ଗଲକୁ ବାସସ୍ଥଳୀ ଭାବରେ ପରିଣତ କରିଥିବାବେଳେ ସଞ୍ଜନଇଁଲେ ଜଙ୍ଗଲ ପାଦଦେଶରେ ଥିବା ବିଭିନ୍ନ ଗ୍ରାମରେ ଉତ୍ପାତ କରୁଛନ୍ତି। ହାତୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର