କର୍ଲାପାଟ ଅଭାୟାରଣ୍ୟରେ ହାତୀ ମଡ଼କ ଘଟଣା: ମାସେ ଆଗରୁ ୬ଟି ଟ୍ରାପ କ୍ୟାମେରା କାଢ଼ି ଦିଆଯାଇଛି

ମାଓବାଦୀ ଭୟ ଆଳ ନା ହାତୀ ମଡ଼କ ଷଡ଼୍‌ଯନ୍ତ୍ର!

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ମାସେ ପୂର୍ବରୁ ଟ୍ରାପ କ୍ୟାମେରା ବନ ବିଭାଗ ପକ୍ଷରୁ କାଢ଼ି ନିଆଯାଇଛି। ଏହା ମାଓବାଦୀ ଭୟ ଆଳ ନା ହାତୀ ମଡ଼କର ଷଡ଼ଯନ୍ତ୍ର ବୋଲି ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆକ୍ରାନ୍ତ ସନ୍ଦେହ ଥିବା ଅନ୍ୟ ହାତୀମାନେ ବର୍ତ୍ତମାନ ସଂକ୍ରମିତ କରିବା ଆଶଙ୍କା ଥିବା ବେଳେ ବନ ବିଭାଗ ପକ୍ଷରୁ ଏନେଇ ୩ଟି ଡ୍ରୋନ କ୍ୟାମେରା ଯୋଗେ ପାଞ୍ଚଜଣିଆ ଟିମ ଗତିବିଧି ତଦାରଖ କରୁଛନ୍ତି। ହାତୀ ମଡ଼କ ପରେ ବନ ବିଭାଗ ପକ୍ଷରୁ ଚେତପସୀ ସେମେଲପଦର ଓ ଜାକମ ଠାରେ ଗତ ସପ୍ତାହେ ତଳେ ଟ୍ରାପ କ୍ୟାମେରା ଲଗାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ଗତ ଫେବ୍ରୁଆରି ୧ ତାରିଖ ଠାରୁ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ମଧ୍ୟରେ ୬ଟି ମାଈ ହାତୀ ମୃତ୍ୟୁ ଘଟିଛି। ମୃତ୍ୟୁ ଘଟିବାର ମାସେ ପୂର୍ବରୁ ଜାକମ ଠାରେ ୨ଟି, କର୍ଲାପାଟ ଠାରେ ୨ଟି ଓ କିଆପଦର ଠାରେ ୨ଟି ସମେତ ୬ଟି ଟ୍ରାପ କ୍ୟାମେରା ଲାଗିଥିଲା। କିନ୍ତୁ ହାତୀ ମଡ଼କର ମାସେ ପୂର୍ବରୁ ଏହି ୬ଟି କ୍ୟାମେରାକୁ ବନ ବିଭାଗ ପକ୍ଷରୁ କାଢ଼ି ନିଆଯାଇଥିଲା। ଏହି କ୍ୟାମେରା କଢ଼ାଯିବା ନେଇ ମାଓବାଦୀ ଭୟ ଆଳ ନା ହାତୀ ମଡ଼କ ଷଡ଼ଯନ୍ତ୍ର ତାହା ତଦନ୍ତ ସାପେକ୍ଷ। ବର୍ତ୍ତମାନ ତରବରିଆ ଭାବରେ ଗତ ସପ୍ତାହ ତଳେ ସେମେଲ ପଦରରେ ଗୋଟିଏ, ଜାକମ ଠାରେ ଗୋଟିଏ ଟ୍ରାପ କ୍ୟାମେରା ଲାଗିଛି। କର୍ଲାପାଟ ଅଭୟାରଣ୍ୟ ପାଇଁ ମହଜୁଦ ଥିବା ୧୭ ଟି ଟ୍ରାପ କ୍ୟାମେରା ଖତଖାଇ ପଡ଼ିଛି। ଏହି ଟ୍ରାପ କ୍ୟାମେରା ନଥିବା ଯୋଗୁଁ ହାତୀ ମଡ଼କର ବହୁ ବିଳମ୍ବ ପରେ ବନ ବିଭାଗକୁ ଖବର ମିଳିଥିଲା।

ବିଳମ୍ବ ଯୋଗୁଁ ପଚି ଯାଇଥିବା ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯ ମସିହାରେ ୩୫ଟି ହାତୀ ଥିବା ଜଣାପଡ଼ିଥିଲା। କିନ୍ତୁ ପରେ ମାତ୍ର ୧୭ ଟି ହାତୀର ଗତିବିଧି ନେଇ ବିଭାଗ ପାଖରେ ଖବର ଥିଲା। ଏହି ୧୭ଟି ହାତୀ ମଧ୍ୟରୁ ଗୋଟିଏ ଦଳରେ ୧୧ଟି ହାତୀ ଓ ଅନ୍ୟ ଦଳରେ ୬ଟି ହାତୀ ଥିଲେ। ବର୍ତ୍ତମାନ ୧୧ଟି ହାତୀ ଥିବା ଦଳର ୬ଟି ହାତୀର ମୃତଦେହ ମିଳିସାରିଛ। ଅନ୍ୟ ୫ଟି ହାତୀ ମଧ୍ୟରୁ ୨ଟି ହାତୀ ଶାବକ ଓ ଗୋଟିଏ ମାଈ ହାତୀ ଓ ଅଣ୍ଡିରା ହାତୀ ସମେତ ୪ଟି ହାତୀର ଗତିବିଧି ଡ୍ରୋନ କ୍ୟାମେରା ଯୋଗେ ଜଣାପଡ଼ିଛି। ଏହି ୪ଟି ହାତୀ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି। ଅନ୍ୟ ହାତୀମାନେ ବିଶ୍ୱନାଥପୁର ଅଞ୍ଚଳକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି। ସେହିଭଳି ଅନ୍ୟ ଦଳରେ ଥିବା ୬ଟି ହାତୀର ଠାବ ବନ ବିଭାଗ କରିପାରୁ ନାହିଁ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ଏକ ୫ଜଣିଆ ଟିମ ଜାକମ ଠାରେ ରହଣି କରି ୩ଟି ଡ୍ରୋନ କ୍ୟାମେରା ସାହାଯ୍ୟରେ ଗତିବିଧି ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୨୦୧୯ ମସିହାରେ ହାତୀ ଗଣନା ହୋଇଥିବା ୩୫ଟି ହାତୀ ମଧ୍ୟରୁ ୬ଟି ହାତୀର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ହାତୀମାନେ ସଂକ୍ରମଣରୁ କେତେ ସୁରକ୍ଷିତ ବିଭାଗୀୟ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହାତୀ ମଡ଼କର ବହୁ ବିଳମ୍ବରେ ବନ ବିଭାଗ ଖବର ପାଇଥିବା ଯୋଗୁଁ ସଂକ୍ରମଣର ସ୍ଥିତି ଉଦ୍‌ବେଗଜନକ ରହିଛି। ବର୍ତ୍ତମାନ ହାତୀ କରିଡର ସୁରକ୍ଷା ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ପ୍ରାଣୀ ବିଭାଗ ପକ୍ଷରୁ କର୍ଲାପାଟ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଗାଈଗୋରୁ ପରେ ବର୍ତ୍ତମାନ ଛେଳିମେଣ୍ଢାମାନଙ୍କୁ ଟିକାକରଣ ଆରମ୍ଭ ହୋଇଛି। ୩୩ଟି ଗାଁରେ ଗାଈଗୋରୁ ଓ ମଇଁଷିଙ୍କୁ ଟିକାକରଣ କରାଯାଇଛି। ୧୪୨୮ଟି ଛେଳିମେଣ୍ଢାକୁ ଟିକାକରଣ କରାଯାଇଛି। ସମୁଦାୟ ୩୩ ଟି ଗାଁ ମଧ୍ୟରୁ ୧୭ଟି ଗାଁରେ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି। ସମୁଦାୟ ୨୮୨୨ଟି ଗୃହପାଳିତ ପ୍ରାଣୀଙ୍କୁ ଟିକାକରଣ ହୋଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଟିମ ପରେ ଟିମ କଳାହାଣ୍ଡିକୁ ସୁଅ ଛୁଟିବାରେ ଲାଗିଛି। ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ଟିମ କଳାହାଣ୍ଡି ଆସିବା ସମ୍ଭାବନା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି। ବନ ବିଭାଗର କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ହାତୀ ମଡ଼କ ସୂଚନା ବନ ବିଭାଗକୁ ମିଳି ନଥିଲା। ବିଳମ୍ବ ସୂଚନା ଯୋଗୁଁ ହାତୀ ମଡ଼କ ବୃଦ୍ଧି ପାଇଥିବା ବେଳେ ବନ ବିଭାଗ ନିଜ ଦୋଷ ଘୋଡ଼ାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ଏନେଇ ଦକ୍ଷିଣ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାରଙ୍କୁ ପଚାରିବାରୁ ଏହା ଏକ ଆକସ୍ମିକ ଘଟଣା, ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର