ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଉରକେଲା : ପୁଲିସ ସହ ଗୁଳି ବିନିମୟରେ ଜଣେ ହତ୍ୟା ଅଭିଯୁକ୍ତ ଅଜିତ ଓରାମ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ପୁଲିସ ତାକୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିବା ବେଳେ ତା’ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଅଫୁଟା ଗୁଳି ଜବତ କରିଛି। ଗତକାଲି ସେ ଠିକାଦାର ବାଞ୍ଝା ତନ୍ତୀଙ୍କ ଗୁଳିକରି ହତ୍ୟା କରିଥିଲା।

ପୁଲିସର ସୂଚନା ଅନୁସାରେ, ଅଜିତ ଜଲଦା ଫାଣ୍ଡି ନିକଟ ହାତୀବନ୍ଧା ଜଙ୍ଗଲରେ ଲୁଚିଥିବା ନେଇ ଖବର ମିଳିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ପୁଲିସ ଟିମ୍‌ ସୋମବାର ଭୋରରୁ ହାତୀବନ୍ଧା ଜଙ୍ଗଲରେ ଚଢ଼ଉ କରିଥିଲେ। ମାତ୍ର, ଅଜିତ ଖସିଯିବାକୁ ଚେଷ୍ଟାକରିବା ସହିତ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳିଚାଳନା କରିଥିଲା। ପାଲଟା ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଡାହାଣ ‌ଗୋଡ଼ରେ ବାଜିବାରୁ ଅଜିତ ତଳେ ପଡ଼ିଯାଇଥିଲା। ପୁଲିସ ଅଜିତକୁ କାବୁ କରି ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଛି।

ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋ କହିଛନ୍ତି, ଅଜିତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତ ୨୦୧୭ ମସିହାରେ ଝିରପାଣିରେ ଜଣେ ଯୁବକଙ୍କୁ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ କରି ସେ ଜେଲ୍‌ ଯାଇଥଲା। ୩ ମାସ ରହିବାପରେ ସେ ଜାମିନରେ ଆସିଥିଲା। ଗତକାଲି ସ୍ଥାନୀୟ ଝରିଆକୋଚି ବସ୍ତିରେ ସରକାରୀ ଜମି ଜବରଦଖଲକୁ ନେଇ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଅଜିତ ଜଣେ ଅଭିଯୁକ୍ତ। ହତ୍ୟାକାଣ୍ଡରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତା’ର ତଦନ୍ତ ଚାଲିଛି ବୋଲି ଏସ୍‌ପି ଶ୍ରୀ ଭାମୋ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାରୀ ଜମିକୁ ଜବରଦଖଲ କରିବାକୁ କେନ୍ଦ୍ରକରି ଗତ ଦୁଇଦିନ ତଳେ ହତ୍ୟାକାରୀ ଅଜିତ ଓ ମୃତ ବାଞ୍ଝାଙ୍କ ପରିବାର ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଗତକାଲି ସକାଳ ପ୍ରାୟ ସାଢ଼େ ୬ଟାରେ ବାଞ୍ଝା ଝିରପାଣିସ୍ଥ ନଦୀ ଆଡ଼କୁ ଯାଉଥିଲେ। ହଠାତ୍‌ ଅଜିତ ଓରଫ ଚୁନକୁ ପହଞ୍ଚି ପିସ୍ତଲରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ବାଞ୍ଝାଙ୍କ ଜଙ୍ଘ ଓ ଅନ୍ୟ ଗୁଳି ତାଙ୍କ ତଳିପେଟରେ ବାଜିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର