ଦେବୋତ୍ତର ସଂଶୋଧନ ବିଲ ପାରିତ : ଏଣିକି ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ ଶନିବାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଧେୟକ,୨୦୧୯ ପାରିତ ହୋଇଯାଇଛି। ଏହି ବିଧେୟକ ବିଧାନସଭାରେ ପାରିତ ହେବା ପରେ ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ।  ବିଲ ପାରିତ ହେବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୨ ଦିନ ପାଇଁ ମୁଲତବୀ ରଖିଛନ୍ତି।

ପୁରୀ ଗୋବର୍ଦ୍ଧନ ମଠର ଧାର୍ମିକ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ,୧୯୫୧ର ପରିସରରୁ ବାଦ ଦିଆଯାଇଛି । ଏ ନେଇ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା। ଗତ କାଲି  ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ଆଗତ କରିଥିଲେ ।

ଆଜି ଅପରାହ୍‌ଣରେ ବିଧାନସଭା ଖାଁ ଖାଁ ଲାଗିଥିଲା। ଗୃହରେ  ୩ ମନ୍ତ୍ରୀ ଓ ବିଜେଡିର ୨୬ ବିଧାୟକ ଉପସ୍ଥିତ ଥିଲେ। ସେହିଭଳି କଂଗ୍ରେସର ୫ ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ବିଜେପି ବିଧାୟକମାନେ ଧାରଣାରେ ବ୍ୟସ୍ତ ଥିଲେ।

ଆଦି ଶଙ୍କରାଚାର୍ଯ୍ୟ କର୍ଣ୍ଣାଟକ ରାଜ୍ୟର ଶ୍ରୀଙ୍ଗେରୀ ଠାରେ ଶାରଦା ମଠ, ଗୁଜୁରାଟ ରାଜ୍ୟର ଦ୍ବାରକାଠାରେ ଦ୍ବାରକା ମଠ, ଉତ୍ତରାଖଣ୍ଡ ରାଜ୍ୟର ଯୋଷୀମଠ ଠାରେ ଯୋଷୀ ମଠ ଓ ପୁରୀରେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କରିଥିବା ବିଶ୍ବାସ ରହିଛି। ଏହି ଚାରିଗୋଟି ମଠର ମୁଖ୍ୟ ଭାବରେ ଜଣେ ଲେଖାଏଁ ଶଙ୍କରାଚାର୍ଯ୍ୟ ଅଧିଷ୍ଠିତ ଅଛନ୍ତି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ର ପରିସରରୁ ବାଦ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସିଥିଲା।

ସମ୍ବନ୍ଧିତ ଖବର