ପାରାଦୀପ ମାଛଧରା ବନ୍ଦର ପାଇଁ ଆଉ ଏକ ସୁଯୋଗ : ‘ଇୟୁ’ ମାନ୍ୟତା ପାଇଁ ତତ୍‌ପରତା

ସ୍ଥିତି ଅନୁଧ୍ୟାନ କଲେ କୃଷି ଉତ୍ପାଦନ କମିଶନର

ପାରାଦୀପ : ପାରାଦୀପ ମାଛଧରା ବନ୍ଦରକୁ ଇଆଇଏ (ରପ୍ତାନୀ ନିରୀକ୍ଷଣ ସଂସ୍ଥା) ମାନ୍ୟତା ମିଳିବା ପରେ ଏବେ ଇୟୁ (ଇଉରୋପୀୟ ସଂଘ) ମାନ୍ୟତା ପାଇଁ ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ମାସରେ ଇୟୁର ଏକ ପ୍ରତିନିଧି ଦଳ ଏଠାକୁ ଆସିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କୃଷି ଉତ୍ପାଦନ କମିଶନର ଗଗନ ଧଳ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ଅଗଷ୍ଟ ୯ ତାରିଖରେ ପାରାଦୀପ ମାଛଧରା ବନ୍ଦରକୁ (ଇଆଇଏ) ମାନ୍ୟତା ମିଳିଥିଲା। ‘ଆନ୍ତର୍ଜାତିକ ମାଛଧରା ବନ୍ଦର’ର ମାନ୍ୟତା ମିଳିବା ପରେ ପାରାଦୀପ ବନ୍ଦରରୁ ସିଧାସଳଖ ବିଦେଶକୁ ଅତି କମ୍‌ ମୂଲ୍ୟରେ ମାଛ ରପ୍ତାନୀ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଫଳରେ ମାଛର ସିଧା ଲାଭ ଟ୍ରଲର ମାଲିକମାନଙ୍କ ପାଖକୁ ଯିବା ପାଇଁ ବାଟ ଫିଟିଛି। ଆସନ୍ତା ନଭେମ୍ବର ମାସରେ ଇଉରୋପୀୟ ସଂଘ (ଇୟୁ)ର ଏକ ପ୍ରତିନିଧି ଦଳଏଠାକୁ ଆସିବେ। ଫଳରେ, ମାଛଧରା ବନ୍ଦରକୁ ‘ଇୟୁ’ ମାନ୍ୟତାର ବି ସୁଯୋଗ ରହିଛି।

ଏହି ମାନ୍ୟତା ମିଳିଲେ ବିଦେଶରେ ପାରାଦୀପ ମାଛର ଚାହିଦା ଓ ଗୁଣବତ୍ତାର ମାନ ବଢ଼ିବ। ଉଭୟ ରାଜ୍ୟ ସରକାର ଓ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କୃଷି ଉତ୍ପାଦନ କମିଶନର ଶ୍ରୀ ଧଳ ଆଜି ଏଠାକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଅନ୍ୟ ଅଧିକାରୀ ଏବଂ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ାଙ୍କ ସହିତ ଆଲୋଚନା କରିଛନ୍ତି।

ତେବେ, ଇୟୁ ପ୍ରତିନିଧି ଦଳ ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟରେ କେତେକ ସମସ୍ୟା ରହିଛି। ବିଶେଷକରି, ମୁହାଣ ପୋତି ହେବା ସବୁଠାରୁ ବଡ଼ ସମସ୍ୟା। ୧୯୯୯-୨୦୦୦ ମସିହାରେ ପାରାଦୀପ ବନ୍ଦର ନ୍ୟାସ ପକ୍ଷରୁ ଶେଷ ଥର ପାଇଁ ଏହି ମୁହାଣ ଖୋଳାଯାଇଥିଲା। ଏହି ବର୍ଷ ଠାରୁ ଆଉ ମୁହାଣ ଖୋଳା ଯାଇନାହିଁ। ମୁହାଣ ପୋତି ହେବା ଯୋଗୁ ଟ୍ରଲର୍‌ଗୁଡ଼ିକ ଠିକ୍‌ ଭାବେ ଯା’ଆସ କରିପାରୁନି।

ବର୍ତ୍ତମାନ ମାଛଧରା ବନ୍ଦରରୁ ୬୪୩ ଟ୍ରଲର କାରବାର କରୁଛି। ସେଥିରୁ ୩୩୬ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ମାତ୍ର, ବନ୍ଦର ପକ୍ଷରୁ ୩୫୦ଟି ଟ୍ରଲର୍‌ କାରବାରର ବ୍ୟବସ୍ଥା କରାଯାଇଛି। ଏଣୁ ବନ୍ଦରରେ ସର୍ବଦା ବିପଜ୍ଜନକ ଅବସ୍ଥା ଲାଗି ରହୁଛି। ଇୟୁ ପ୍ରତିନିଧି ଦଳ ଗସ୍ତ ସମୟରେ ଏହାକୁ ଅନୁଧ୍ୟାନ କରିବାର ସମ୍ଭାବନା ରହିଛି। ଏହି ସମସ୍ୟା କିଭଳି ଇୟୁ ମାନ୍ୟତା ମିଳିବାରେ ପ୍ରତିବନ୍ଧକ ସୃଷ୍ଟି ନହେବ , ସେଥିପାଇଁ କୃଷି ଉତ୍ପାଦନ କମିଶନର ଶ୍ରୀ ଧଳ ଅନ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।

ଅପରପକ୍ଷେ, ଏହି ମାଛଧରା ବନ୍ଦର ଆକାର ବଢ଼ାଇବା ପାଇଁ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତ ଶ୍ରୀ ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର