ଆସୁନାହାନ୍ତି ଏକ୍ସଟରନାଲ, ସ୍ବାଭାବିକ ହୋଇପାରୁନି ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ମୁହଁ ନ ଖୋଲିବାକୁ କଲେଜ ଅଧ୍ୟକ୍ଷଙ୍କୁ ତାଗିଦ୍‌

ଭୁବନେଶ୍ବର: ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷାର ଦ୍ବିତୀୟ ଦିନରେ ବି ବିଭ୍ରାଟ ଲାଗିରହିଛି। ରାଜ୍ୟର କେତେକ ଯୁକ୍ତ୨ କଲେଜରେ ଆଜି ବି ପରୀକ୍ଷା ହୋଇପାରି ନାହିଁ। ଭୁବନେଶ୍ବର ସମେତ ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ମାଲକାନଗିରି, ସମ୍ବଲପୁର ପ୍ରଭୃତି ‌ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ସମସ୍ୟା ଲାଗି ରହିଛି। ପରୀକ୍ଷା ପରିଚାଳନା ପାଇଁ ପରିଷଦ ପକ୍ଷରୁ ଯେଉଁମାନଙ୍କୁ ଏକ୍ସଟରନାଲ କରାଯାଇଥିଲା ସେମାନ‌େ ନିର୍ଦ୍ଧାରିତ ସମୟରେ ନ ପହଞ୍ଚିବାରୁ ପରୀକ୍ଷା ଆରମ୍ଭ ହୋଇପାରି ନଥିବା ଜଣାପଡ଼ିଛି। ଦୁଇ ଦିନ ହେଲା ସାରା ରାଜ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ସ୍ବାଭାବିକ ହେଉ ନଥିବା ବେଳେ ପରିଷଦ କର୍ତୃପକ୍ଷ ଚୁପ୍‌ ହୋଇ ବସିଛନ୍ତି। ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପରିଷଦର ଜଣେ ବରିଷ୍ଠ ଅଧିକାରୀ ହଠାତ୍‌ ଚେଇଁ ଉଠିଛନ୍ତି। ରାଗ ବିକଳରେ ତାଟିଆ କାମୁଡ଼ିବା ଭଳି ପରୀକ୍ଷା କେନ୍ଦ୍ର ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କ ଉପରେ ଅଧିକାରୀ ଜଣକ ବର୍ଷିଛନ୍ତି। ଅଧ୍ୟକ୍ଷମାନଙ୍କୁ ତାଗିଦ୍‌ କରି କହିଛନ୍ତି ଯେ ଆମେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରକୁ ମାର୍କ ଫୁଏଲ୍‌, ଆଡମିଟ୍‌ କାର୍ଡ, ଏକ୍ସଟରନାଲଙ୍କ ତାଲିକା ପଠାଇଥିଲୁ। ତୁମେ କାହିଁକି ପରୀକ୍ଷା କଲ ନାହିଁ। ଆମେ ରାତିଦିନ ଧରି କାମ କରୁଛୁ। ହେଲେ ଆପଣମାନେ କାହିଁକି ପରିଷଦକୁ ବଦନାମ କରୁଛନ୍ତି। ଗଣମାଧ୍ୟମରେ ଏଣୁତେଣୁ କହୁଛନ୍ତି। ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଜଣକ ଧମକ ଦେଇଛନ୍ତି।

ଅଧିକାରୀ ଜଣକ ଏକାଧିକ କଲେଜ ଅଧ୍ୟକ୍ଷଙ୍କୁ ଏନେଇ ଫୋନ୍‌ କରିଥିଲେ। କେତେକ କଲେଜ ଅଧ୍ୟକ୍ଷ ତାଙ୍କୁ ରୋକଠୋକ୍‌ ଜବାବ ଦେଇଥିବା ଜଣାପଡ଼ିଛି। ସେମାନେ କହିଛନ୍ତି ଯେ ୨୮ ତାରିଖରୁ ପରୀକ୍ଷା ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ପରିଷଦ କର୍ତୃପକ୍ଷ ୨୫ ତାରିଖ ବେଳକୁ ଏକ୍ସଟରନାଲ ତାଲିକା ପଠାଇଲେ। ଜାନୁଆରି ୨୬ରେ ସାଧାରଣତନ୍ତ୍ର ଦିବସ ଥିଲା। ୨୭ ତାରିଖ ରବିବାର ଛୁଟି ପଡ଼ିଲା। ତେଣୁ ଏକ୍ସଟରନାଲଙ୍କୁ ‌ଯୋଗାଯୋଗ କରାଯାଇ ପାରିଲା ନାହିଁ। ତାଲିକାରେ ଯେଉଁ ଫୋନ୍‌ ନମ୍ବର ଦିଆଯାଇଛି ‌ସେଥିରେ ବି ତ୍ରୁଟି ରହିଛି। ତେଣୁ ଏକ୍ସଟରନାଲଙ୍କୁ କେମିତି ଯୋଗଯୋଗ କରାଯାଇଥାନ୍ତା ବୋଲି ସେମାନେ ପରିଷଦର ଅଧିକାରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। କେତେକ କଲେଜ ସିଧାସଳଖ କର୍ତୃପକ୍ଷଙ୍କ ପରୀକ୍ଷା ପରିଚାଳନା ତ୍ରୁଟିକୁ ଦୋଷ ଦେଇଛନ୍ତି। ପରୀକ୍ଷା ପାଇଁ ୭ ଦିନ ଆଗରୁ କେନ୍ଦ୍ରରେ ମାର୍କ ଫୁଏଲ୍‌, ଉତ୍ତର ଖାତା ଓ ଏକ୍ସଟରନାଲ ତାଲିକା ପହଞ୍ଚିବା କଥା। ଗତ କିଛି ବର୍ଷ ନିର୍ଦ୍ଧାରିତ ସମୟରେ କୌଣସି ସାମଗ୍ରୀ ପହଞ୍ଚୁନି। ଯେଉଁଥିପାଇଁ ଠିକ୍‌ ସମୟରେ ପରୀକ୍ଷା ହୋଇପାରୁ ନାହିଁ। ବିଗତବର୍ଷ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିବାରୁ ପ୍ରାକ୍ଟିକାଲ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ଏକ୍ସଟରନାଲ ନ ଆସିବା ନେଇ ଆଉ ଏକ ତଥ୍ୟ ପଦାକୁ ଆସିଛି। ଏକ୍ସଟରନାଲ ଏବେ ନିଜ କଲେଜର ପ୍ରାକ୍ଟିକାଲ ପରୀକ୍ଷାରେ ସାମିଲ ହୋଇଛନ୍ତି। ‌ସେଠାରେ ସେମାନେ ଇଣ୍ଟରନାଲ୍‌ ଭା‌ବେ ପରୀକ୍ଷା ପରିଚାଳନା କରୁଛନ୍ତି। ତେଣୁ ନିଜ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଛାଡ଼ି ଅନ୍ୟ କଲେଜକୁ ଯିବା ସେମାନଙ୍କ ପାଖରେ ସମ୍ଭବପର ନୁହେଁ। ଯେଉଁ କଲେଜରେ ଜଣେ ଅଧ୍ୟାପକରେ ଗୋଟିଏ ଲେଖାଏ ବିଭାଗ ଚାଲୁଛି ସେଠାରୁ କେମିତି ଅଧ୍ୟାପକଙ୍କୁ ଏକ୍ସଟରନାଲ ଭାବେ ପଠାଯାଉଛି ବୋଲି କେତେକ କଲେଜ ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର