ଜୟପୁର ସହରରୁ ମାସ୍କ ଓ ସାନିଟାଇଜର ଉଭାନ୍

ମାତିଛନ୍ତି ଦଲାଲ୍

ଜୟପୁର : ଦୋକାନରୁ ଦୋକାନକୁ ବୁଲିଲେ ବି ଗୋଟିଏ ହେଲେ ବି ଦ୍ରବ୍ୟ ମିଳୁନି। ଯାହା ନିକଟରେ ଅଛି ସେ ଚଢା ଦରରେ ବିକୁଛି। ୨ଟଙ୍କାର ମାସ୍କକୁ ଡିଷ୍ଟ୍ରିବୁଟର ବିକ୍ରି କରୁଛନ୍ତି ୨୦ଟଙ୍କାରେ, ଦୋକାନରୁ ଏହାକୁ ଗରାଖ କିଣୁଛନ୍ତି ୪୦ଟଙ୍କାରେ। ଖାଲି ସେତିକି ନୁହେଁ ମାର୍କେଟରେ ମିଳୁନି ସାନିଟାଇଜର। ଯେଉଁ ସାନିଟାଇଜର ଦର ୫୦ଟଙ୍କା ଥିଲା ତାହା ଏବେ ୩୫୦ଟଙ୍କାରେ ବିକ୍ରି କରାଯାଉଛି। ଲୋକେ ଖୋଜୁଥିଲେ ବି ମାର୍କେଟରେ ମିଳୁନି। ସାରା ବିଶ୍ବରେ କରୋନା କାୟା ମେଲାଉଥିବାବେଳେ ସହରରେ ଦେଖିବାକୁ ମିଳିଛି କୋକୁଆ ଭୟ। ବିଶ୍ୱର ବିଭିନ୍ନ ସ୍ଥାନରେ କରୋନାର କୋକୁଆ ଭୟ ଖେଳିଯାଇଥିବାବେଳେ ସଂଙ୍କମ୍ରଣ ଭୟରେ ଲୋକେ ମାସ୍କ ଆଉ ସାନିଟାଇଜର କିଣି ନିଜକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ଖୋଲା ବଜାରରେ ଆଉ ମାସ୍କ ଓ ସାନିଟାଇଜର ମିଳୁନି। କୋରାପୁଟ ଜିଲ୍ଲା ଜୟପୁର ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବୀ ବିକ୍ରି। ଡିଷ୍ଟ୍ରିବୁଟରଙ୍କ ନିକଟରେ ଏହି ମାସ୍କ ଓ ସାନିଟାଇଜର ଗଚ୍ଛିତ ରଖି ଅଭାବୀ ବିକ୍ରି ପାଇଁ ବାଧ୍ୟ କରାଯାଉଛି। ଏପରି ଜିଲ୍ଲା ମେଡିକାଲରେ ମଧ୍ୟ ମିଳୁନି ଏହି ମାକ୍ସ ଓ ସାନିଟାଇଜର।

ଔଷଧ ଦୋକାନରୁ ଉଭାନ ହୋଇଛି ମାସ୍କ ଓ ସାନିଟାଇଜର । ଯିଏ ରଖିଛନ୍ତି ଚଢା ଦରରେ ବିକୁଛନ୍ତି। ରାଜ୍ୟରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟର କାରଣ ସ୍ବରୂପ ଔଷଧ ଦୋକାନରୁ ମାସ୍କ ଶେଷ ହୋଇଯାଇଛି। ଯେଉଁଠି ବି ଉପଲବ୍ଧ ହେଉଛି ତାହା ଚଢ଼ା ଦରରେ ବିକ୍ରି ହେଉଛି। ଅପରପକ୍ଷରେ ଖୋଲା ବଜାରରେ ମାସ୍କ ଗାଏବ ହୋଇଯିବା ଘଟଣାରେ ଜିଲ୍ଲା ଡ୍ରଗସ କଣ୍ଟ୍ରୋଲର ସବୁ ଦେଖି ଚେଇଁ ଶୋଇଛି। ଗତକାଲି ଏକ କରୋନା ସନ୍ଦିଗ୍ଧ ଜିଲ୍ଲା ମେଡିକାଲକୁ ଆସିଥିବାବେଳେ ଏହିଠାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା। ଡାକ୍ତରଙ୍କଠାରୁ ନର୍ସଯାଏ ସବୁ ମାସ୍କଟିଏ ପାଇଁ ହାଇପାଇଁ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ଏହି ବ୍ୟକ୍ତିଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯିବା ପୂର୍ବରୁ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସ୍ଥଳ ବିଶେଷରେ ଅନେକ ଔଷଧ ଦୋକାନରୁ ମାସ୍କ ବୋହିବାରେ ଲାଗିଛନ୍ତି। ଜଣେ ଜଣେ ବ୍ୟକ୍ତି ବହୁ ସଂଖ୍ୟାରେ ମାସ୍କ କିଣି ନେଉଛନ୍ତି। ଫଳରେ ଖୋଲା ବଜାରେ ମାସ୍କର ଏକ କୃତ୍ରିମ ଅଭାବ ସୃଷ୍ଟି ହୋଇଛି। ଲୋକମାନେ ମାସ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ସାବୁନରେ ହାତକୁ ଧୋଇବାକୁ କୁହାଯାଉଥିଲେ ହେଁ ଲୋକେ ମାସ୍କକୁ ଅଧିକ ସୁରକ୍ଷିତ ଭାବୁଛନ୍ତି। ଭଲ ମାସ୍କର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଏବେ ୪୫୦ ଟଙ୍କାରେ ବିକ୍ରି ହେଉଛି। ଏନ-୯୫ ମାସ୍କର ମଧ୍ୟ ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏନ-୯୫ ମାସ୍କ ବିଶେଷକରି ହସ୍ପିଟାଲର କର୍ମଚାରୀମାନେ ବ୍ୟବହାର କରୁଥିବା ବେଳେ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ଔଷଧ ଦୋକାନରେ ଭିଡ଼ ଜମାଉଛନ୍ତି।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର, ମାସ୍କ ଓ ସାନିଟାଇଜରର ଅଭାବୀ ବିକ୍ରି ରୋକିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଏହାକୁ ମାନୁନାହାନ୍ତି ଦଲାଲ। ମୌକା ଦେଖି ଛକା ମାରିବାରେ ଲାଗିଛନ୍ତି। କରୋନାକୁ ଭୟାତୁର ଲୋକେ ଔଷଧ ଦୋକାନ ମୁହଁ ହୋଇଥିବାବେଳେ କିନ୍ତୁ ଡିଷ୍ଟ୍ରିବୁଟରମାନେ ମନମାନି କରୁଛନ୍ତି। ତେବେ ଜୟପୁର ସହର ସହ ଉପଖଣ୍ଠରେ ଶହ ଶହ ଡିଷ୍ଟ୍ରିବ୍ୟୁଟର ରହିଥିବାବେଳେ ସେମାନେ ଅଭାବୀ ବିକ୍ରି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଜୟପୁର ସହର ଜଣେ ଡିଷ୍ଟ୍ରିବ୍ୟୁଟର କହିଛନ୍ତି ଯେ ଡ୍ରଗ ଓୟାରୁ ଆମକୁ ଉଚ୍ଚାଦରରେ ଏହି ମାସ୍କ ଓ ସାନିଟାଇଜର କିଣିବାକୁ ପଡୁଛି। ଆମେ ମାତ୍ର କିଛି ଟଙ୍କା ହାତରେ ରଖି ବେପାର କରୁଛି। ପ୍ରକୃତରେ ଔଷଧଦୋକାନୀ ମାନେ ଚଢାଦରରେ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି।

ଏନେଇ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି ଯେ କୌଣସି ପରିସ୍ଥିତିରେ ଅଭାବୀ ବିକ୍ରି ହେବା ଠିକ ନୁହେଁ। ତେବେ ସହର ଓ ଏହାର ଉପକଣ୍ଠରେ ଯଦି ଏପରି ନଜରକୁ ଆସେ ତେବେ ପୁଲିସ ସହ ମିଳିତ ଭାବେ ଚଢାଉ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର