କଟକରୁ ନକଲି ଔଷଧ ଜବତ ଘଟଣା: ମୁମ୍ବାଇରେ ଏସ୍‌ଟିଏଫ୍ ଟିମ୍‌ର ତନାଘନା

ଔଷଧ ଯୋଗାଣ ସଂସ୍ଥା ମାଲିକଙ୍କ ସହ ୫ ଜଣଙ୍କୁ ଜେରା
ନକଲି ଔଷଧ ପ୍ରସ୍ତୁତକାରୀ ମାଲିକଙ୍କୁ ରିମାଣ୍ଡରେ ଆଣିପାରେ

ଭୁବନେଶ୍ବର : କଟକରୁ ନକଲି ଔଷଧ ଜବତ ଘଟଣାରେ ତନାଘନା ଆରମ୍ଭ କରିଛି ଏସଟିଏଫ୍। ଗତକାଲି ମାମଲା ରୁଜୁ ହେବା ପରେ ଆଜି ୫ ଜଣିଆ ଏକ ଟିମ୍ ମୁମ୍ବାଇ ଯାଇଛି। ମୁମ୍ବାଇରୁ ଚେର ଲମ୍ବିଥିବା ଜଣାପଡ଼ିବା ପରେ ଖୋଳତାଡ଼ ଆରମ୍ଭ କରିଛି ଏସଟିଏଫ୍। ତେବେ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଫାବିପିରାଭିର୍ ନକଲି ଔଷଧ ତିଆରି କରିବା ଘଟଣାରେ ମୁମ୍ବାଇ ପୁଲିସ ମାକ୍ସ ରିଲିଫ୍ ହେଲଥ କେୟାର ସୁଦୀପ ମୁଖାର୍ଜୀ, ସନ୍ଦୀପ ମିଶ୍ର ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ଗିରଫଦାରୀ ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ମୁମ୍ବାଇରୁ ସାରା ଦେଶକୁ ନକଲି ଔଷଧ ଚାଲାଣ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସମସ୍ତ ରାଜ୍ୟର ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ସେହି ସୂଚନା ଆଧାରରେ କଟକରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

ସୁଦୀପଙ୍କର ଏସଟିଏଫ୍ ଟିମ୍ ଜେରା କରିବ। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି କୁହାଯାଉଛି। ନକଲି ଔଷଧ କାରବାର ପଛରେ ମୁମ୍ବାଇରେ କାହାର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି, ସେ ନେଇ ମଧ୍ୟ ଖୋଳତାଡ଼ କରିବ ଟିମ୍। ଅନ୍ୟପକ୍ଷରେ କଟକ ଔଷଧ ସଂସ୍ଥା ମାଲିକ ଶିବପ୍ରସନ୍ନ ଜେନା, ଦୁଇ ମେଡିସିନ୍ ଦୋକାନୀଙ୍କ ସମେତ ୫ ଜଣଙ୍କୁ ଏସଟିଏଫର ଅନ୍ୟ ଏକ ଟିମ୍ ମାରାଥନ୍ ଜେରା କରିଛି। ସେମାନଙ୍କ ସୂଚନାକୁ ଆଧାର କରି କଟକ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଛି ଏସଟିଏଫ୍। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏସ୍‌ଟିଏଫ୍‌ର କୌଣସି ଅଧିକାରୀ ମୁହଁ ଖୋଲିନାହାନ୍ତି।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ କଟକରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ କରାଯାଇଥିଲା। ଗତକାଲି କଟକ ରେଞ୍ଜ-୧ ଡ୍ରଗ୍ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ ଏସଟିଏଫରେ ଔଷଧ ସଂସ୍ଥା ମାଲିକ ଶିବପ୍ରସନ୍ନ ଜେନାଙ୍କ ନାଁରେ ଏତାଲା ଦେଇଥିଲେ। ଏ ସଂକ୍ରାନ୍ତରେ ଏସଟିଏଫ୍ ମାମଲା ନଂ-୨୨/୨୧ ଓ ଆଇପିସିର ଦଫା- ୨୭୪, ୨୭୫, ୦୨୦, ୪୬୭, ୪୬୮, ୪୭୧ ଓ ଡ୍ରଗ୍ ଆଣ୍ଡ କସମେଟିକ୍ ଆକ୍ଟର ଧାରା-୨୭(ସି) ଅନୁସାରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର