ଗୃହମନ୍ତ୍ରୀଙ୍କୁ ବି ଛାଡ଼ିଲେନି ସାଇବର ଠକ, ଫେସବୁକ୍ ଆକାଉଣ୍ଟ ନକଲ କରି ଟଙ୍କା ମାଗୁଛି

ପତ୍ନୀ ଦୁର୍ଘଟଣାଗ୍ରସ୍ତ, ୫୦ ହଜାର ପଠାଅ
ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଓ ବରିଷ୍ଠ ଆଇପିଏସ୍‌ଙ୍କୁ ବି ଟାର୍ଗେଟ କରିଥିଲେ

ଭୁବନେଶ୍ବର : କ‌ରୋନା କାଳରେ ଲୋକଙ୍କୁ ନୟାନ୍ତ କରିସାରିଲେଣି ସାଇବର ଠକ। ସାରା ଦେଶରେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଥିବା ସାଇବର ଠକମାନେ ଓଡ଼ିଶା‌ରେ ମଧ୍ୟ ସେମାନଙ୍କ ଜାଲ ବିଛାଇଛନ୍ତି ଏବଂ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ ଏପରିକି ପୁଲିସ କମିସନରଙ୍କ ଫେସବୁକ୍ ଆକାଉଣ୍ଟ ନକଲ କରି ଲୋକଙ୍କୁ ଟଙ୍କା ମାଗୁଥିବା ସାଇବର ଠକ ଏବେ ଶେଷରେ ଖୋଦ୍ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିବାକୁ ପଛାଇ ନାହିଁ। ଶ୍ରୀ ମିଶ୍ରଙ୍କ ନାଁରେ ସାଇବର ଠକ ଏହି ଭଳି ଠକେଇ ଉଦ୍ୟମ କରିଥିବା ଜଣାପଡ଼ିଥିଲେ ହେଁ ପୁଲିସ୍ ଏହାକୁ ଧରିବା ତ’ ଦୂରର କଥା ହ୍ୟାକର୍ ବିଷୟରେ ସାମାନ୍ୟ ସୂଚନା ପାଇବାକୁ ମଧ୍ୟ ସମର୍ଥ ହୋଇନାହିଁ। ଏହା ରାଜ୍ୟରେ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ଦୁର୍ବଳ ଭିତ୍ତିଭୂମି ଓ ଅଫିସର୍‌ଙ୍କ ଅପା‌ରଗତାକୁ ଇଙ୍ଗିତ କରୁଛି।

ଆଜି ସାଇବର ଠକ ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଫେସବୁକ୍ ଆକାଉଣ୍ଟ୍ ନକଲ କରି ପ୍ରଥମେ ଜଣେ ଲୋକକୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠାଇଥିଲା। ଏହା ପରେ ଚିରାଚରିତ ଢଙ୍ଗରେ ହାଏ ହାଲୋ କରିବା ପରେ ଅନ୍‌ଲାଇନ୍‌ରେ ୫୦ହଜାର ଟଙ୍କା ମାଗିଥିଲା। ପତ୍ନୀ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଟଙ୍କା ଦରକାର ଅଛି। ଏବେ ପାଖରେ ଟଙ୍କା ନଥିବାରୁ ଜଲ୍‌ଦି ଟଙ୍କା ପଠାଇବାକୁ ଅନୁରୋଧ କରିଥିଲା। ତେବେ ଉକ୍ତ ବ୍ୟକ୍ତି ଜଣକ ଟଙ୍କା ଦେବା ପରିବର୍ତ୍ତେ କେଉଁ ଆପଣଙ୍କ ପତ୍ନୀ ହସ୍ପିଟାଲ୍‌ରେ ଅଛନ୍ତି ଓ କେମିତି ଦୁର୍ଘଟଣା ହେଲା ଆଦି ପ୍ରଶ୍ନ କରିଥିଲେ। ଏମିତି ତନାଘନା କରିବାରୁ ପଛରେ କଥା ହେବା, ଏବେ ଟଙ୍କା ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ପଠାଇବାକୁ କହି ଆଉ ମେସେଜ୍ କରିନଥିଲା ଠକ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସାଇବର ଠକମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପୂର୍ବତନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ଆଇପିଏସ୍‌ ପ୍ରଣବିନ୍ଦୁ ଆଚାର୍ଯ୍ୟ, ଅନୁପ ସାହୁ, ବରିଷ୍ଠ ଆଇଏଏସ୍‌ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଫେସବୁକ୍ ନକଲ କରି ଏଭଳି ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ।

ଏ ନେଇ ସାଇବର ବିଶେଷଜ୍ଞ ଆକାଶ କୁମାର ମିଶ୍ର କହିଛନ୍ତି, ଏହିଭଳି ପ୍ରକ୍ରିୟାରେ ଫେସବୁକ୍ ଆକାଉଣ୍ଟ ନକଲ କରିବାକୁ କ୍ଲୋନିଂ ବୋଲି କୁହାଯାଏ। ତେଣୁ ସାମାଜିକ ଗଣମାଧ୍ୟମକୁ କ୍ଲୋନିଂ ମାଧ୍ୟମରେ ହ୍ୟାକିଂରୁ ବଞ୍ଚାଇବାକୁ ହେଲେ ଆପଣ ଟୁ ଫ୍ୟାକ୍ଟର୍ ଅଥରାଇଜେସନ୍‌କୁ କ୍ରିୟାଶୀଳ କରିବେ। ଯାହା ଦ୍ବାରା ଆକାଉଣ୍ଟ କ୍ଲୋନିଂ ହେଲେ ମୋବାଇଲ୍‌କୁ ଓଟିପି ଆସିବ। ଓଟିପି ଦେବା ପରେ ହିଁ ଆକାଉଣ୍ଟ ଖୋଲିବା ସମ୍ଭବ ହେବ। ଯାହା ଦ୍ବାରା ହ୍ୟାକର୍ ଆକାଉଣ୍ଟ୍ କ୍ଲୋନିଂ କରିପାରିବ ନାହିଁ। ଅପରପକ୍ଷରେ ଫେସବୁକ୍ ପ୍ରୋଫାଇଲ୍‌ଠୁ ଆରମ୍ଭ କରି ସାଙ୍ଗମାନଙ୍କ ତାଲିକା ସବୁକୁ ଲକ୍ କରିବାକୁ ପଡ଼ିବ। ସେହିଭଳି ଏଭଳି ଆକାଉଣ୍ଟ ହ୍ୟାକ୍ କରି ଲୋକଙ୍କୁ ଠକୁଥିବା ସାଇବର ଠକଙ୍କୁ ମଧ୍ୟ ସବୁ କ୍ଷେତ୍ରରେ ଧରିବା ସମ୍ଭବ ନୁହେଁ। ଆଇପି ଆଡ୍ରେସ୍‌କୁ ଟ୍ରାକ୍ କରି ଠକକୁ ଧରିହେବ। ମାତ୍ର ଠକ ଯଦି ବାରମ୍ବାର ଆଇପି ଆଡ୍ରେସ୍ ପରିବର୍ତ୍ତନ କରୁନଥିବ ସେ କ୍ଷେତ୍ରରେ ଏହା ସମ୍ଭବ। ବର୍ତ୍ତମାନ ସୁଦ୍ଧା ଏଭଳି ଠକେଇ କରୁଥିବା ହ୍ୟାକର୍‌କୁ ଧରିବା ପାଇଁ ସେଭଳି କୌଣସି ଜ୍ଞାନକୌଶଳ ବିକଶିତ ହୋଇଥିବା ନଜିର୍ ନାହିଁ।

ସମ୍ବନ୍ଧିତ ଖବର