କୋଭିଡ୍ ପାଇଁ କମିଗଲା ପରିବାରର ଖାଦ୍ୟ ଖର୍ଚ୍ଚ

ସେବା ପ୍ରଦାନରେ କୋରାପୁଟ ଆଗରେ, ଖୋର୍ଧା ପଛରେ

ଭୁବନେଶ୍ବର : କୋଭିଡ୍ ମହାମାରୀ ପାଇଁ ରାଜ୍ୟରେ ପରିବାରର ଖାଦ୍ୟ ଖର୍ଚ୍ଚ ହ୍ରାସ ପାଇଛି। ଏପରିକି ମହିଳାଙ୍କ ପାଇଁ ଆବଶ୍ୟକ ଜରୁରୀ ଖାଦ୍ୟ ବିବିଧତା ୨୦୧୯ ତୁଳନାରେ ୨୦୨୦ ମସିହାରେ ଯଥେଷ୍ଟ ହ୍ରାସ ପାଇଥିବା ନଜରକୁ ଆସିଛି। ଏଥିରେ ମୁଖ୍ୟତଃ ମାଂସ, ଅଣ୍ଡା, ପନିପରିବା ଓ ଫଳ ଇତ୍ୟାଦି ରହିଛି। ନିକଟରେ ରାଜ୍ୟ ସରକାରଙ୍କ ‘କୋଭିଡ-୧୯ ଓ ଓଡ଼ିଶାରେ ପୋଷଣ-ଭବିଷ୍ୟତରେ କ’ଣ ରହିବ’ ସଂପର୍କିତ ରିପୋର୍ଟରୁ ସୂଚନା ମିଳିଛି।

ୟୁନିସେଫ୍ ସହାୟତାରେ ପ୍ରସ୍ତୁତ ହୋଇଥିବା ୨୪୨ ପୃଷ୍ଠାର ଏହି ରିପୋର୍ଟରେ କୋଭିଡ ଓ ବାତ୍ୟା କିଭଳି ରାଜ୍ୟରେ ଶିଶୁ ଓ ମହିଳାଙ୍କ ଖାଦ୍ୟ ଓ ପୋଷଣ ଭିତ୍ତିକ ସୁରକ୍ଷା ଉପରେ ପ୍ରଭାବ ପକାଇଥିଲା ତାହା ସଂପର୍କରେ ଉଲ୍ଲେଖ ରହିଛି। ଏଥିରେ ଆଇରନ ଓ ଫଲିକ୍ ଏସିଡ୍‌(ଆଇଏଫ୍‌ଏ) ବଟିକା ବିତରଣ ଓ ଅପହଞ୍ଚ ଅଞ୍ଚଳରେ ମଧ୍ୟାହ୍ନ ଭୋଜନ ଭଳି କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, କୋରାପୁଟ, ଗଜପତି, ସୋନପୁର, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲା ଏସବୁ ସେବା ପ୍ରଦାନ କ୍ଷେତ୍ରରେ ଆଗରେ ରହିଛି। ମାତ୍ର ଖୋର୍ଧା, ଝାରସୁଗୁଡ଼ା, କଟକ, ମୟୂରଭଞ୍ଜ ଓ ଅନୁଗୁଳ ସେବା ପ୍ରଦାନରେ ପଛରେ ରହିଛନ୍ତି।

କୋରାପୁଟ ଜିଲ୍ଲାରେ ୯୫ପ୍ରତିଶତ ହିତାଧିକାରୀ ଆଇଏଫ୍‌ଏ ବଟିକା ପାଇଥିବା ବେଳେ ୯୭.୪ ପ୍ରତିଶତ ଶିଶୁଙ୍କ ନିୟମିତ ଓଜନ ମାପ ହୋଇପାରିଛି। ୮୪.୬ ପ୍ରତିଶତ ମା’ମାନେ ୪ଥର ଏଏନ୍‌ସି ସେବା ପାଇପାରିଛନ୍ତି। ତେବେ ଖୋର୍ଧା ଜିଲ୍ଲାରେ ୭୬.୯ ପ୍ରତିଶତ ହିତାଧିକାରୀ ଆଇଏଫ୍‌ଏ ବଟିକା, ୮୯.୭ ପ୍ରତିଶତ ଶିଶୁଙ୍କ ଓଜନ, ୬୫.୬ ପ୍ରତିଶତ ମା’ଙ୍କୁ ଏଏନ୍‌ସି ସେବା ଦିଆଯାଇଛି। ଜିଲ୍ଲାରେ ହାରହାରି କୋଭିଡ ସଂକ୍ରମଣ ହାର(ଟିପିଆର) ୪.୭୫ ପ୍ରତିଶତ ଥିବା ବେଳେ ଜିଲ୍ଲାରେ ୩.୨୫ ପ୍ରତିଶତ ଶିଶୁ କମ୍ ଓଜନର ରହିଛନ୍ତି। କେବଳ ମହାମାରୀ ନୁହେଁ, ବାତ୍ୟା ‘ୟାସ୍’ ଯୋଗୁଁ ରାଜ୍ୟରେ କୁକୁଡ଼ା, ଦୁଗ୍ଧ ଓ ଅନ୍ୟାନ୍ୟ ପଶୁପାଳନ ବ୍ୟବସ୍ଥା ମଧ୍ୟ ଯଥେଷ୍ଟ କ୍ଷତି ହୋଇଛି। କୋଭିଡ ଲକ୍‌ଡାଉନ୍ ପାଇଁ ଖାଦ୍ୟ ଗ୍ରହଣ ପ୍ରକ୍ରିୟା, ସବ୍‌ସିଡିଯୁକ୍ତ ଖାଦ୍ୟର ମାତ୍ରାଧିକ ବ୍ୟବହାର ପାଇଁ ରାଜ୍ୟର ଗରିବ ପରିବାରରେ ପୋଷଣଜନିତ ଅନିୟମିତତା ସୃଷ୍ଟି କରିଛି। ତେବେ ସରକାର ଓ ସେବା ପ୍ରଦାନକାରୀଙ୍କ ସଂସ୍ଥାଙ୍କ ମଧ୍ୟରେ କୋଭିଡ ପାଇଁ ସୃଷ୍ଟି ହୋଇଥିବା ପୁଷ୍ଟିକର ସମସ୍ୟାର ବିସ୍ତୃତ ଅନୁଶୀଳନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର