ସୀମାରେ ଲଢ଼ି ସହିଦ ହୋଇଗଲେ ନନ୍ଦୁରାମ, ଝୁରୁଛନ୍ତି ସହିଦଙ୍କ ପତ୍ନୀ ଓ ତିନି ଝିଅ

ରାଇରଙ୍ଗପୁର: ଭାରତ-ଚୀନ ସୀମା ଲଦାଖର ଗଲୱାନ୍ ଉପତ୍ୟକାରେ ଉଭୟ ଦେଶର ସେନା ମଧ୍ୟରେ ଘଟିଥିବା ସଂଘର୍ଷରେ ସହିଦ ହୋଇଛନ୍ତି ମୟୂରଭଂଜର ବୀର ସନ୍ତାନ ନନ୍ଦୁରାମ ସୋରେନ। ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ଗତ ସୋମବାର-ମଙ୍ଗଳବାର ରାତିରେ ଚୀନ ସୈନିକ ସହ ଲଢେଇ ସମୟରେ ସହିଦ ହୋଇଛନ୍ତି।

ବିହାର ରେଜିମେଣ୍ଟର ୧୬ ବାଟାଲିୟନରେ ଲେଫେ୍‌ଟନେଣ୍ଟ ସୁବେଦାର ଭାବେ କାର୍ଯ୍ୟରତ ନନ୍ଦୁରାମ ୨୩ ବର୍ଷ ଧରି ସେନାରେ କାର୍ଯ୍ୟ କରୁଥିଲେ। ସ୍ତ୍ରୀ ଲକ୍ଷ୍ମୀମଣି ତାଙ୍କର ୩ଟି ଝିଅ ଜ୍ଞାନେଶ୍ୱରୀ, ମାନେଶ୍ୱରୀ ଓ ସୋନାଲିଙ୍କୁ ନେଇ ରାଇରଙ୍ଗପୁର ସହରର ଇଚିଣ୍ଡାରେ ଏକ ଭଡା ଘରେ ରହୁଥିଲେ। ସ୍ଥାନୀୟ କେରଳା ପବ୍ଲିକ ସ୍କୁଲର ନବମ, ଷଷ୍ଠ ଓ ପ୍ରଥମ ଶ୍ରେଣୀରେ ପଢୁଛନ୍ତି ତିନି ଝିଅ।

ଘଟଣା ପ୍ରକାଶିତ ହେବା ପରେ ସହିଦଙ୍କ ପୈତୃକ ଗ୍ରାମ ବଡ଼ଚମ୍ପାଉଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଈଚିଣ୍ଡାରେ ରହୁଥିବା ଘର ପରିବାର ଲୋକଙ୍କ  କାନ୍ଦ ବୋବାଳିରେ ଉଠୁଛି ପଡୁଛି। କରୋନା ଲକଡାଉନ ପୂର୍ବରୁ ନନ୍ଦୁରାମ ବଡ଼ଭାଇଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ । ପରିବାର ଲୋକଙ୍କ ସହ ୪୫ ଦିନ ଲମ୍ବା ଛୁଟି କାଟି ଯାଇଥିଲେ। ତିନି ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ବେଶ ସଚେତନ ଥିବାରୁ ରାଇରଙ୍ଗପୁରରେ ରଖି ପାଠ ପଢ଼ାଉଥିଲେ।

ପରିବାର ସହିତ ବାହାରେ ବୁଲାବୁଲି କରିବାକୁ ଭଲ ପାଉଥିଲେ ନନ୍ଦୁରାମ । ଗାଁରେ ତାଙ୍କର ଚାରି ଭାଇଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୂର୍ବରୁ ବାପା କାହ୍ନୁଙ୍କ ମୃତ୍ୟୁ ଘଟିଛି। ଚମ୍ପାଉଦା ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ରାଇରଙ୍ଗପୁର କଲେଜରେ ପଢିବା ପରେ ସେନା ବାହିନୀରେ ଯୋଗ ଦେଇଥିଲେ। ତାଙ୍କ ଭଳି ବୀର ଯବାନଙ୍କୁ ହରାଇବା ପରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବିଜେପି ରାଜ୍ୟ ସଂପାଦକ ନବୀନ ରାମ ସହିଦଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର