କୃଷି ଋଣ ହେଲା କାଳ : ଖଇରାରେ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର/ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଗାଁର ଚାଷୀ ଗୌରାଙ୍ଗ ବାରିକ ଗତ ୧୭ ତାରିଖ ଅପରାହ୍ନରେ ଆତ୍ମହତ୍ୟା କରିଛନ୍ତି। କୃଷି ଋଣ ସୁଝି ନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ କହିବା କଥା; ଗୌରାଙ୍ଗଙ୍କ ନିଜର ଚାଷ ଜମି ନାହିଁ। ସେ ସାହିପଡ଼ିଶା ଲୋକଙ୍କ ୩ ଏକର ଜମିରେ ଭାଗ ଚାଷ କରିଥିଲେ। ଏଥିପାଇଁ ବିଭିନ୍ନ ଗୃପ୍‌, ସେବା ସମବାୟ ସମିତି ଓ ଗାଁ ଲୋକଙ୍କଠୁ ହାତ ଧାର ଉଧାର କରି ଟଙ୍କା ଆଣି ଚାଷରେ ଲଗାଇଥିଲେ। ଅଦିନିଆ ବର୍ଷା ଓ ପୋକ ଲାଗି ତାଙ୍କର ଫସଲ ନଷ୍ଟ ହୋଇ ଯାଇଥିଲା। କିଛିଦିନ ହେଲା ଚାଷ ଉଜୁଡ଼ିବା କଥାକୁ ନେଇ ସେ ଚିନ୍ତାଗ୍ରସ୍ତଥିଲେ। ଶେଷରେ ଗୌରାଙ୍ଗ ଗଛରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଇରା ହସ୍ପିଟାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖଇରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ମୃତ ଗୌରାଙ୍ଗଙ୍କ ପତ୍ନୀଙ୍କ କହିବା ଅନୁସାରେ ଗୋବିନ୍ଦପୁର ସେବା ସମବାୟ ସମିତିରୁ ତାଙ୍କ ସ୍ୱାମୀ ଦେଢ ଲକ୍ଷ ଟଙ୍କା ଋଣ କରିଛନ୍ତି। ଔପଦା ବିବିସିସିରୁ ମଧ୍ୟ ଚାଷ ପାଇଁ ଋଣ ଆଣିଛନ୍ତି। ଏହାବାଦ୍‌ ବହୁ ହାତ ଉଧାରୀ ବସି କରିଥିଲେ। ଋଣ ସୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିବା ବେଳେ, ସ୍ଥାନୀୟ ତହସିଲଦାର ରମେଶ ଜେନା କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି।

ଶ୍ରୀ ଜେନା କହିଛନ୍ତି ରାଜସ୍ୱ ବିଭାଗ ଅଧିକାରୀମାନେ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ପ୍ରାଥମିକ ତଦନ୍ତ କରିଛନ୍ତି। ଏଥିରୁ ଜଣାପଡ଼ିଛି ଦେଢ ଲକ୍ଷ ନୁହେଁ ଗୌରାଙ୍ଗ ଗୋବିନ୍ଦପୁରରୁ ମାତ୍ର ୫୫୭୩ ଟଙ୍କାର ଋଣ କରିଥିଲେ। ତାଙ୍କ ପରିବାର ୩ ଏକର ଭାଗ ଚାଷ କରିଥିଲେ। ଧାନ କଟା ସରିଛି, ହେଲେ ଫସଲ ସେଭଳି କିଛି କ୍ଷତି ହୋଇନାହିଁ। ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ତହସିଲଦାର କହିଛନ୍ତିା ପ୍ରାଥମିକ ତଦନ୍ତ ବେଳେ ଆରଆଇ କାଳୀଚରଣ ମାଝୀ, ଖଇରା ସହକାରୀ କୃଷି ଅଧିକାରୀ ରବୀନ୍ଦ୍ର କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର