କଳାହାଣ୍ଡି: ବର୍ଷା ଅଭାବରୁ ମିଲକୀ ଅଞ୍ଚଳରେ ଜମି ଫାଟି ଆଁ କଲାଣି, ଚିନ୍ତାରେ ଚାଷୀ

ବୋର୍ଡା : ଭବାନୀପାଟଣା ସଦର ବ୍ଲକ୍‌ ବୋର୍ଡା ମିଲକୀ ଅଞ୍ଚଳର ବୋର୍ଡା, ଗୁରୁଜୁଙ୍ଗ, ଶିକୁଆ, ଡୁମୁରିଆ, ଅର୍ତ୍ତଲ, ପଲନା, କେନ୍ଦୁପାଟି, ବୋରଭଟ୍ଟା, ସେଁପୁର, ମାଟିଆ, ମାଦିଗୁଡ଼ା ୧୧ଟି ପଞ୍ଚାୟତ ଅଣଜଳସେଚିତ ଅଞ୍ଚଳ ଅଟେ। ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରି ଏ ଅଞ୍ଚଳର ଚାଷୀମାନେ ଚାଷ କାର୍ଯ୍ୟ କରିଥାନ୍ତି। ଚଳିତ ବର୍ଷ ଶ୍ରାବଣ ମାସରେ ବି ବର୍ଷା ନହେବାରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି, ଏଥିପାଇଁ ଚାଷୀ ଚିନ୍ତାରେ ଅଛି। ଆଗାମୀ ୫ଦିନ ମଧ୍ୟରେ ବଡ଼ ବର୍ଷା ନଥିବାରୁ ମରୁଡ଼ି ଆଶଙ୍କାରେ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି।

ବର୍ଷା ଅଭାବରୁ ତଳି ସବୁ ମରିବାକୁ ବସିଲାଣି, ରୁଆ ହୋଇଥିବା ଧାନ ଚାଷ ଜମି ଫାଟି ଆଁ କଲାଣି। ଏହି ଅଞ୍ଚଳରେ ଚଳିତ ବର୍ଷ ୩ ହଜାର ୭୮୦ହେକ୍ଟର ଜମିରେ ଧାନ ବୁଣା ତଳି ଘରା ପାଇଁ ପ୍ରସ୍ତୁତି ସରିଛି। ସେହିପରି ୨୦୦୩ ହେକ୍ଟର ଜମିରେ କପା ଚାଷ କରାଯାଇଛି। ବର୍ଷା ଅଭାବ ଯୋଗୁଁ ଏ ସବୁ ଚାଷ ନଷ୍ଟ ହେବାକୁ ବସିଛି।

ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଏ ଅଞ୍ଚଳର ଡୁମୁରିଆ, ସିକୁଆ, ମସିଗାଁ, ବୋର୍ଡା, ଅର୍ତ୍ତଲ, କାନ୍ଦୁଲଝର, ପଲନା ଆଦି ସ୍ଥାନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ସକାଶେ ଉପଯୁକ୍ତ ସ୍ଥାନ ଥିବାସତ୍ବେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଡୁମୁରିଆରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବହୁ ଦିନରୁ ପ୍ରସ୍ତାବ ଥିଲେ ହେଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ବିଭାଗୀୟ ଅବହେଳା ଯୋଗୁଁ ତାହା ଶୀତଳଭଣ୍ଡାରରେ ପଡ଼ିରହିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ତଥା ଜିଲ୍ଲା କୃଷି ବିଭାଗ ଏ ଅଞ୍ଚଳକୁ ଗସ୍ତ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର