ଉଜୁଡ଼ା ଧାନ ଫସଲ ଦେଖି ଟଳିପଡ଼ିଲେ ଚାଷୀ

ଗଞ୍ଜାମରେ ଦୁଇ ଦିନରେ ୨ ଚାଷୀଙ୍କ ମୃତ୍ୟୁ , ଜମିକୁ ନଯାଇ ଗାଁ ମୁହଁରୁ ଫେରିଗଲେ ତହସିଲଦାର

ଚିକିଟି : ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲା ଚାଷୀ ପାଇଁ ଯେମିତି ବଡ଼ ଦୁଃଖ ଆଣିଦେଇଛି। ଧାନ ଓ ପନିପରିବା କ୍ଷତି ସହି ନପାରି ଗତ ରବିବାର ପାତ୍ରପୁର ବ୍ଲକ୍‌ର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଏହାର ୨୪ ଘଣ୍ଟା ପରେ ଚିକିଟି ତହସିଲର କଳବାଡ଼ ପଞ୍ଚାୟତ ପାରସମ୍ବା ଗ୍ରାମର ଜଣେ ବୃଦ୍ଧ ଚାଷୀ ବିଲରେ ଉଜୁଡ଼ା ଫସଲ ଦେଖି ଟଳିଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ମୃତକଜଣକ ହେଲେ, ଅଭିମନ୍ୟୁ ପ୍ରଧାନ (୬୭)। ଅଭିମନ୍ୟୁଙ୍କ ମୃତ୍ୟୁକୁ  ଉଚ୍ଚରକ୍ତଚାପ ଜନିତ ମୃତ୍ୟୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଭିମନ୍ୟୁଙ୍କ ୫ ଏକର ଚାଷ ଜମି ରହିଛି। ସବୁବର୍ଷ ଭଳି ଏଥର ବି ସେ ଧାନ ଚାଷ କରିଥିଲେ।

କିନ୍ତୁ ‘ଜୱାଦ୍’ ପ୍ରଭାବରେ ଲଗାଣ ବର୍ଷା ହେତୁ ଜମିରେ ଥିବା କଞ୍ଚାଧାନ ଫସଲ ବୁଡ଼ିଯାଇଥିଲା। ଗତକାଲି ବର୍ଷା କମିବା ପରେ ଗାଁ ମୁଣ୍ଡରେ ଥିବା ନିଜ ବିଲକୁ ଯାଇଥିଲେ। ହେଲେ ଧାନର ଅବସ୍ଥା ଦେଖି ସେ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିବା ସହ ସେଠାରେ ହିଁ ଟଳି ପଡ଼ିଥିଲେ। ଜଣେ ଯୁବକ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେବା ପରେ ଅଭିମନ୍ୟୁଙ୍କୁ ତୁରନ୍ତ ପ୍ରଥମେ ଚିକିଟି ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୁଅ ସନ୍ତୋଷ ପ୍ରଧାନ କହିଛନ୍ତି।

ଅନ୍ୟପକ୍ଷରେ ତହସିଲଦାର ବିଶ୍ବରଞ୍ଜନ କହଁର ପାରସମ୍ବା ଗ୍ରାମକୁ ଯାଇ ମୃତକଙ୍କ ପରିବାରବର୍ଗ ସହ ଆଲୋଚନା କରିଥିଲେ। କିନ୍ତୁ ବିଲକୁ ଯାଇ ସ୍ଥିତି ଅନୁଧ୍ୟାନ ନକରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନିମ୍ନ ରକ୍ତଚାପ ଯୋଗୁଁ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିବା ତହସିଲଦାର କହିଛନ୍ତି। ତେବ‌େ ପୁଅ ସନ୍ତୋଷ କହିଛନ୍ତି ଯେ, ଫସଲ ନଷ୍ଟ ଯୋଗୁଁ ବାପା ମାନସିକ ଦୁଶ୍ଚିନ୍ତା ଭିତରେ ରହିଥିଲେ। ବର୍ଷା କମିବାରୁ ସେ ବ୍ୟସ୍ତବିବ୍ରତ ହୋଇ ବିଲକୁ ଯାଇ ଉଜୁଡ଼ା ଫସଲକୁ ଦେଖି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ଫଳରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯେଗ୍ୟ ଯେ, ଗଞ୍ଜାମରେ ଦୁଇଦିନରେ ୨ ଚାଷୀଙ୍କ ଉଜୁଡା ଫସଲ ଦେଖି ପ୍ରାଣ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର