୨ ବସ୍ତା ସାର ଦାବି କରି ଲ୍ୟାମ୍ପସ୍‌ ଭିତରେ ଭଙ୍ଗାରୁଜା କଲେ ଚାଷୀ

ଝରିଗାଁ: ଚଳିତ ଖରିଫ ଋତୁରେ ରାଜ୍ୟର ଚାଷୀମାନେ ସାର ପାଇଁ ହଟହଟା ହେଉଛନ୍ତି। କିଛି ସ୍ଥାନରେ ଚାଷୀମାନେ ସାର ପାଇଁ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରୋକ କରିଛନ୍ତି। ସେହିଭଳି ସାର ପାଇବା ପାଇଁ ଲ୍ୟାମ୍ପସରେ ଚାଷୀମାନଙ୍କର ନାହିଁ ନଥିବା ଭିଡ଼ ରହୁଛି। କରୋନାର ୨ୟ ଲହର ସାମାନ୍ୟ ହ୍ରାସ ପାଇଥିବା ବେଳେ ୩ୟ ଲହର ନେଇ ଏବେ ବି ଚିନ୍ତା ରହୁଛି। ତେଣୁ କୋଭିଡ କଟକଣା ଉପରେ ନଜର ରଖି ଚଳପ୍ରଚଳ କରିବାକୁ ହେଉଛି। କିନ୍ତୁ ନବରଂଗପୁର ଜିଲ୍ଲା ଝରିଗାଁରେ କୋଭିଡ କଟକଣାର ଅର୍ଥ ମୂଲ୍ୟହୀନ। ନା ଅଛି ସାମାଜିକ ଦୂରତା ନା ଅଛି କାହା ମୁହଁ ରେ ମାସ୍କ।

ସାର ପାଇଁ ଝରିଗାଁ ଅଂଚଳର ଚାଷୀଙ୍କ ଭିଡ଼ ଜମିଛି। ସୂଚନା ଅନୁସାରେ, ଝରିଗାଁ ଲ୍ୟାମ୍ପସକୁ ୧୬ଶହ ବସ୍ତା ୟୁରିଆ ସାର ଆସିଥିଲା। ସମସ୍ତଙ୍କୁ ଗୋଟିଏ ଗୋଟିଏ ବସ୍ତା ସାର ଦେବା ପାଇଁ କ୍ୟାମ୍ପସ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ସବୁ ସୁରୁଖୁରୁରେ ଚାଲିଥିବା ସମୟରେ କିଛି ବ୍ୟକ୍ତି ୨ ବସ୍ତା ଲେଖାଏଁ ସାର ଦେବାକୁ ଦାବି କରିଥିଲେ। ସାର କମ ଥିବାରୁ ୨ ବସ୍ତା ଦେଇ ହେବ ନାହିଁ ବୋଲି ଅଧିକାରୀ କହିବାରୁ କିଛି ଲୋକେ ତାତି ଉଠିଥିଲେ। ଅଫିସ ଭିତରେ ଟେବୁଲ ଚେୟାର ଫିଙ୍ଗା ଫୋପଡା କରିଥିଲେ।

ସାର ପାଇଁ ସଂଘର୍ଷ ଚାଲିଥିବା ବେଳେ ସ୍ଥାନୀୟ ତହସିଲଦାର କହିଛନ୍ତି, ଝରିଗାଁକୁ ୧୬ଶହ ପ୍ୟାକେଟ ସାର ଆସିଛି। ଆଗକୁ ଆହୁରି ଅଧିକ ସାର ଆସିବ ଏବଂ ଚାଷୀଙ୍କୁ ଯୋଗାଇ ଦିଆଯିବ। ଚାଷ ଆରମ୍ଭରୁ ସାର ଅଭାବକୁ ନେଇ ବାରମ୍ବାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତାରୋକ କରିଛନ୍ତି। ଆଉ ଏହାରି ଭିତରେ ଝରିଗାଁ ଲ୍ୟାମ୍ପ୍‌ସ ଭାତିରେ ପରିସ୍ଥିତି ଅଣାୟତ ହେବାରୁ ଉମରକୋଟ ଏସ୍‌ଡିପିଓଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଂଚିଥିଲେ।

ସମ୍ବନ୍ଧିତ ଖବର