ଦୁଇଦିନ ଭିତରେ ଫସଲ କ୍ଷୟକ୍ଷତି ରିପୋର୍ଟ, ଖରିଫ ଫସଲ ପାଇଁ ତୁରନ୍ତ ଚାଷୀଙ୍କୁ ମିଳିବ ଇନପୁଟ୍ ସବସିଡି

ରିଲିଫ କୋଡ଼ ଅନୁଯାୟୀ ଚାଷୀଙ୍କୁ ମିଳିବ ଫସଲ କ୍ଷତିପୂରଣ: କୃଷି ସଚିବ

ଭୁବନେଶ୍ବର: ଅଧିକାଂଶ କ୍ଷେତରୁ ପାଚିଲା ଧାନ କଟା ହୋଇଯାଇଥିବାରୁ ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ଜିଲ୍ଲାରେ ଅପେକ୍ଷାକୃତ ଭାବେ ଧାନ ଫସଲ କମ କ୍ଷତି ହୋଇଛି। କିନ୍ତୁ ନଡ଼ିଆ, କାଜୁ ସମେତ ପନିପରିବା ବହୁ ପରିମାଣରେ ନଷ୍ଟ ହୋଇଛି। ଏସବୁର କ୍ଷତି ଭରଣା ରିଲିଫ କୋଡ଼ ଅନୁଯାୟୀ କରାଯିବ ବୋଲି କହିଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ। ଶ୍ରୀ ଗର୍ଗ କହିଛନ୍ତି ଆସନ୍ତା ଦିନେ ଦୁଇଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲାରୁ ମିଳିବା ପରେ ଚାଷୀଙ୍କୁ କ୍ଷତିଭରଣା କରାଯିବ। ପ୍ରଭାବିତ ଜିଲ୍ଲାରେ ଫସଲ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୋଇଥିବାରୁ ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି।  ଶ୍ରୀ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା ଅନୁଯାୟୀ  କ୍ଷତିଗ୍ରସ୍ତ ଚାଷୀ ସାଧାରଣ ରିଲିଫ ପାଇଥିଲେ ବି ଫସଲ କ୍ଷତିଭରଣା ପାଇବ। ଏପରିକି ପାନଚାଷ ଅର୍ଥକାରୀ ଫସଲ ହୋଇଥିଲେ ବି ‘ଫନି’ରେ ବ୍ୟାପକ ଭାବେ କ୍ଷତି ସହିଥିବା ପାନଚାଷୀଙ୍କ ପାଇଁ ସରକାର ବିଚାର କରୁଥିବା କହିଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ। ଏହାସହିତ ପବିତ୍ର ଅକ୍ଷୟ ତୃତୀୟାରୁ  ଖରିଫ ଋତୁ ଆରମ୍ଭ ହେଉଥିବାରୁ ଇନପୁଟ୍ ସବସିଡି ସହାୟତା ମଧ୍ୟ ଖୁବଶୀଘ୍ର ଚାଷୀଙ୍କୁ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର