ପ୍ରଥମ କାଗଜବିହୀନ ବଜେଟ୍‌,ଇ-ବଜେଟ୍‌ ଆଣିବାରେ ଓଡ଼ିଶା ଦ୍ବିତୀୟ

ଆଇପ୍ୟାଡ୍‌-ପେନ୍‌ଡ୍ରାଇଭ୍‌ରେ ଆସିଲା, ସବୁ ବିଧାୟକଙ୍କୁ ମିଳିଲା ଆଇପ୍ୟାଡ୍‌

ଭୁବନେଶ୍ବର: ରାଜ୍ୟ ସରକାର ପ୍ରଥମ ଥର ପାଇଁ ଇ-ବଜେଟ୍‌ ପ୍ରଚଳନ କରିଛନ୍ତି। ବଜେଟ୍‌ ପୁସ୍ତିକାର ମୁଦ୍ରଣ ବନ୍ଦ କରିଦେଇଛନ୍ତି। ମୋବାଇଲ୍‌ ଆପ୍‌ ମାଧ୍ୟମରେ ବଜେଟ୍‌ ଦସ୍ତାବିଜ୍‌କୁ ଉପଲବ୍ଧ କରାଯାଇଛି। ଚିରାଚରିତ ଢଙ୍ଗରେ ସୁଟ୍‌କେସ୍‌ ଓ କାଗଜରେ ବଜେଟ୍‌ ରିଲିଜ୍ ନ ହୋଇ ଆଇପ୍ୟାଡ୍‌ ଓ ପେନ୍‌ଡ୍ରାଇଭ୍ ମାଧ୍ୟମରେ ବଜେଟ୍‌ ପେଡ଼ି ଖୋଲାଯାଇଥିଲା। ନିଜେ ଅର୍ଥ ମନ୍ତ୍ରୀ ଆଇପ୍ୟାଡ୍‌ରେ ବଜେଟ୍‌ ଅଭିଭାଷଣ ପ୍ରଦାନ କରିଥିଲେ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଆଇପ୍ୟାଡ୍‌ ସହ ଏକ ପେନ୍‌ଡ୍ରା‌ଇଭ୍‌ ଦିଆଯାଇଥିଲା। ସେଥିରେ ସମସ୍ତ ବଜେଟ୍‌ ଦସ୍ତାବିଜ୍ ଥିଲା। ଇ-ବଜେଟ୍‌ ପ୍ରଚଳନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ବିତୀୟ ରାଜ୍ୟ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଥିଲେ। ପୂର୍ବରୁ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟ ଭାବେ ଇ-ବଜେଟ୍‌ ଆରମ୍ଭ କରିଥିଲା।

କୃଷି ବଜେଟ୍‌ ଉପସ୍ଥାପନ ବେଳେ ମନ୍ତ୍ରୀ ଏ ପ୍ରସଙ୍ଗରେ କହିଥିଲେ ଯେ ବଜେଟ୍‌ ପୁସ୍ତିକାର ମୁଦ୍ରଣ ବନ୍ଦ କରିବା ଦ୍ବାରା ୭୫ ଲକ୍ଷ ପୃଷ୍ଠା କାଗଜ ଛପା ହେଲା ନାହିଁ। ଏହା ଦ୍ବାରା ପ୍ରାୟ ୧ ହଜାର ବଡ଼ ବୃକ୍ଷକୁ ସୁରକ୍ଷା ପ୍ରଦାନ କରାଯାଇପାରିଛି। ବର୍ତ୍ତମାନ ବଜେଟ୍‌ ଦସ୍ତାବିଜ୍‌ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଆମ ପାଖରେ ଉପଲବ୍ଧ ହେବ। ବଜେଟ୍‌ ଅଭିଭାଷଣ ପରେ ଜନସାଧାରଣଙ୍କୁ ସେହି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ବଜେଟ୍‌ ଉପଲବ୍ଧ ହେବ। ବଜେଟ ଦସ୍ତାବିଜ୍ ଓ ବଜେଟ୍ ସମ୍ପର୍କିତ ଅନ୍ୟାନ୍ୟ ସୂଚନା ସମସ୍ତ ଅଂଶୀଦାରମାନଙ୍କୁ ଉପଲବ୍ଧ କରାଇବା ପାଇଁ ଅର୍ଥ ବିଭାଗ ପକ୍ଷରୁ ଏକ ମୋବାଇଲ୍‌ ଆପ୍ ଆରମ୍ଭ କରାଯାଇଛି। ଆଫ୍ ଷ୍ଟୋର୍‌ରୁ ମୋବାଇଲ୍‌ ଆପ୍ ଡାଉନ୍‌ଲୋଡ୍‌ କରି ହେବ। ଅଥବା ବଜେଟ୍‌ ପେନ୍‌ଡ୍ରାଇଭ୍‌ ସଂଲଗ୍ନ କାର୍ଡରେ ଓ ‘ପିପୁଲ୍‌ସ୍‌ ବଜେଟ୍‌’ ପଛ ପୃଷ୍ଠାରେ ଥିବା ‘କ୍ୟୁଆର୍‌ କୋଡ୍‌’କୁ ସ୍କାନ୍ କରିବା ଦ୍ବାରା ଏହା ଆପେ ଆପେ ଉପଲବ୍ଧ ହେବ। ଇ-ବଜେଟ୍‌ ପାଇଁ ନିଆଯାଇଥିବା ପଦକ୍ଷେପରେ ବାଚସ୍ପତି, ବିରୋଧୀ ଦଳ ନେତା ଓ ବିଧାନସଭାର ଅନ୍ୟ ସଭ୍ୟମାନେ ସହଯୋଗ କରିଥିବାରୁ ଅର୍ଥ ମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର