ଘରୋଇ ଚାକରଙ୍କୁ ହତ୍ୟା ମାମଲା: ଜେଲ୍‌ରୁ ପୁଅ ବାହାରିବା ପୂର୍ବରୁ ବାପାର ମୃତ୍ୟୁ

ସମ୍ବଲପୁର : ଘରୋଇ ଚାକରକୁ ହତ୍ୟା ମାମଲାରେ ସଂପୃକ୍ତ ପୁଅ ଓ ବୋହୂ ଆଜି ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ହେଲେ, ପୁଅ ଜେଲ୍‌ରୁ ବାହାରିବା ପୂର୍ବରୁ ଗତ ରାତିରେ ବୁର୍ଲାର ଜଣାଶୁଣା ଠିକାଦାର ଅଶୋକ ସିଂଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ବୁର୍ଲା କଣ୍ଟ୍ରାକ୍ଟର କଲୋନିର ଜଣାଶୁଣା ଠିକାଦାର ଅଶୋକ ସିଂଙ୍କ ପୁଅ କରନ ସିଂ ରାଉରରକେଲାର ଜଣେ ଯୁବତୀ ସରଜିତ କୌରଙ୍କୁ ପ୍ରେମ ବିବାହ କରିଥିଲେ। ତେବେ, ବିବାହ ପରେ କରନଙ୍କ ପରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା। କରନ ବାପା ଅଶୋକଙ୍କୁ ବାରଂବାର ଅର୍ଥ ମାଗୁଥିବାରୁ ପିତାପୁତ୍ରଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିଲା। ଗତ ୨୮ ଅଗଷ୍ଟ ୨୦୧୭ରେ ଘରେ କେହି ନଥିବା ସମୟରେ ଅଶୋକ ଓ ସରଜିତ ଘରର ଆଲମୀରାରୁ ୯୫ ହଜାର ଟଙ୍କା ଏବଂ ସୁନା, ରୂପା ଅଳଙ୍କାର ଆଦି ବାହାର କରୁଥିଲେ। ଘର ଜଗୁଆଳୀ ଦେବରାଜ ଭୋଇ ଏହାର ପ୍ରତିବାଦ କରିଥ‌ିଲେ। ଏଥିରେ ରାଗି ଯାଇ କରନ ଓ ସରଜିତ ଦେବରାଜଙ୍କ ବେକକୁ ସେ ଧରିଥିବା ଗାମୁଛାରେ ଚିପି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଦେବରାଜଙ୍କୁ ହତ୍ୟା ମାମଲାରେ ବୁର୍ଲା ଥାନା ପୁଲିସ କରନ ଓ ସରଜିତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଟଙ୍କା ଓ ଅଳଙ୍କାର ଜବତ କରି କୋର୍ଟ ଚାଲାଣ କରିଥିଲା।

ତେବେ, ‌ଜେଲରେ କିଛି ଦିନ ରହିବା ପରେ ସରଜିତ ଜାମିନରେ ବାହାରି ଘରେ ଥି‌ଲେ। କରନ ମଝିରେ ଅଳ୍ପ ଦିନ ପାଇଁ ଜାମିନ ପାଇଥିବା ବେଳେ ଏବେ ସେ ଜେଲ୍‌ରେ ଥିଲେ। ସାନପୁଅ ଭିନ୍ନକ୍ଷମ ଥିବାରୁ ଜେଲ୍‌ରେ ଥିବା ବଡ଼ପୁଅ କରନଙ୍କୁ ମୁକୁଳାଇବା ପାଇଁ ଠିକାଦାର ଅଶୋକ କୋର୍ଟକଚେରି ଦୌଡ଼ୁ ଥିଲେ। ଆଜି ମାମଲାର ରାୟ ଆସିବା ସଂକ୍ରାନ୍ତରେ ସେ ଅବଗତ ବି ଥିଲେ। ମାତ୍ର, ଗତରାତିରେ ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଥିଲା। ଅପରପକ୍ଷରେ ପ୍ରମାଣ ଅଭାବରୁ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ତନ୍ମୟ କୁମାର ମହାନ୍ତି ଉଭୟ କରନ ଓ ସରଜିତଙ୍କୁ ନିର୍ଦ୍ଦୋଷରେ ଖଲାସରେ କରିଛନ୍ତି। ମାମଲାର ବିଚାର ବେଳେ ୧୮ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ବରିଷ୍ଠ ଆଇନଜୀବୀ ଧୀରେନ୍ଦ୍ରନାଥ ବେହେରା ଏବଂ ସଂଜୟ କୁମାର ଚଇନି ସେମାନଙ୍କ ପକ୍ଷରୁ ମାମଲା ପରିଚାଲାନା କରୁଥିବା ବେଳେ ମାନଭଂଜନ ବହିଦାର ଓ ବିଶ୍ବରଂଜନ ମିଶ୍ର ସେମାନଙ୍କୁ ସହୟତା କରୁଥିଲେ। ନିର୍ଦ୍ଦୋଷରେ ଖଲାସ ପାଇଁ ଅଦାଲତଙ୍କ ଆଦେଶ ପରେ ଆଜି ଅପରାହ୍‌ଣ ୨ଟାରେ ସେ ଜେଲରୁ ମୁକୁଳି ଘରକୁ ଯିବା ପରେ ତାଙ୍କ ପିତାଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ଜୀବତ ଅବସ୍ଥାରେ ଆଉ ଦେଖିପାରିନଥିଲେହେଁ ବାପା ଅଶୋକଙ୍କ ଶେଷକୃତ୍ୟ ସଂପନ୍ନ କରିଥିଲେ।

ସମ୍ବନ୍ଧିତ ଖବର