ମାସକର ପୁଅକୁ ମାରି ପୋତି ପକାଇଲେ ବାପା

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଧୀନ ଗେଲୁଟିଆ ନିଉ କଲୋନି ଆଦିବାସୀ ସାହିରେ ଜଣେ ବ୍ୟକ୍ତି ତାଙ୍କ ମାସକର ପୁଅକୁ ମାରି ପୋତି ପକାଇଥିବା ଅଭିଯୋଗ ହୋଇଛି।

ଘଟଣାଟି ଅଗଷ୍ଟ ୩୦ ତାରିଖ ଦିନ ଘଟିଥିବା ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ବାପା ଟିକୁ ମୁଣ୍ଡା ମାସକର ପୁଅକୁ ହତ୍ୟା କରି ଘରଠାରୁ କିଛି ଦୂରରେ ଠାଏ ପୋତି ପକାଇଛନ୍ତି ବୋଲି ଅଭିଯୋଗ କରି ମାଆ ନନ୍ଦିନୀ ଥାନାରେ ଅଭିଯୋଗ କରିଥିଲେ।

ସେ ରାତିରେ ମଦଖାଇ ଫେରିବା ପରେ ଟିକୁ ନନ୍ଦିନୀ ସହ ଝଗଡ଼ା କରିଥିଲେ ଓ ପୁଅକୁ ମାରି ପକାଇଥିଲେ।

ଗତ ଦୁଇ ଦିନ ତଳେ ଟିକୁ ନିସାଶକ୍ତ ଅବସ୍ଥାରେ ପୁଣି ପତ୍ନୀ ନନ୍ଦିନୀକୁ ମାରଧର କରିଥିଲେ। ଏଥର ନନ୍ଦିନୀ ଟିକୁ ବିରୋଧରେ ଟାଉନ୍‌ ଥାନାରେ ଅଭିଯୋଗ କରିବା ଯିବାରୁ ମାମଲା ଗ୍ରାମାଞ୍ଚଳ ଥାନା ଅଧୀନରେ ଯାଉଥିବା କଥା ସେମାନେ କହିଲେ।

ଗତକାଲି ଅର୍ଥାତ୍‌ ରବିବାର ଦିନ ଗ୍ରାମାଞ୍ଚଳ ଥାନା ପୁଲିସ ମାମଲାଟିକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ରବିବାର ହୋଇଥିବାରୁ ମାଜିଷ୍ଟ୍ରେଟ୍‌ ମିଳି ନ ଥିଲେ।

ଆଜି ମାଜିଷ୍ଟ୍ରଟ୍‌ ଓ ଫୋରେନ୍‌ସିକ୍‌ ଟିମ୍‌ଙ୍କ ଉପସ୍ଥିତିରେ ସମ୍ପୃକ୍ତ ସ୍ଥାନ ଖୋଳାଯାଇ ଶିଶୁପୁତ୍ରର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ପୁଲିସ ଟିକୁ ମୁଣ୍ଡାକୁ ଗିରଫ କରିଛି। ତାଙ୍କ ପତ୍ନୀ ନନ୍ଦିନୀକୁ ଆଶ୍ରୟ ଗୃହରେ ରଖାଯାଇଛି।

ସମ୍ବନ୍ଧିତ ଖବର