ପୁଅକୁ ହତ୍ୟା କରି ବାପାର ଆତ୍ମହତ୍ୟା

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ରାଏପଡ଼ାରେ ଶନିବାର ରାତିରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ନିଜ ପୁଅ ସୁବାରାଓ (୫୫)କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବାପା ପି.କେ ବରିହା (୭୫) ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳିି ଅଭାବନୀୟ କାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପୁଲିସ୍‌ର ସୂଚନାନୁସାରେ, ରାଏ ପଡ଼ାର ପି.କେ ବରିହାଙ୍କ ୨ଟି ପତ୍ନୀ ଅଛନ୍ତି। ପ୍ରଥମ ପତ୍ନୀ ୪୦ ବର୍ଷ ହେଲା ଆନ୍ଧ୍ରରେ ରହୁଥିବା ବେଳେ ତାଙ୍କ ପୁଅ ସୁବାରାଓ ସପରିବାର ଏଠାରେ ରହୁଥିଲେ। ଅନ୍ୟ ଏକ ଘରେ ପି.କେ ବରିହା ତାଙ୍କ ଦ୍ଵିତୀୟ ପତ୍ନୀ ପି. ଚନ୍ଦ୍ରମା ଓ ପିଲାଛୁଆଙ୍କୁ ଧରି ରହନ୍ତି। ରବିବାର ସକାଳେ ବରିହାଙ୍କ ମୃତ ଦେହ ତାଙ୍କ ଗୁହାଳରେ ଝୁଲୁଥିବା ଓ ସୁବାରାଓଙ୍କ ରକ୍ତାକ୍ତ ଶବ ଘର ବାହାରେ ଖଟ ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ପଡ଼ାବାସୀଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଚଳାଇଥିଲା। ବରିହା ରାତିରେ ଆସି ଏକ ଟାଙ୍ଗିଆରେ ସୁବାରାଓଙ୍କ ବେକକୁ ୫/୬ ଚୋଟ ମାରି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଶବ ପାଖରୁ ରକ୍ତ ଲଗା ଟାଙ୍ଗିଆ ମିଳିଥିବା ବେଳେ ବରିହାଙ୍କ କପଡ଼ାରେ ମଧ୍ୟ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି। ପୁଅକୁ ହତ୍ୟା କରିବା ପରେ ସେ ଆତ୍ମହତ୍ୟା କରିଥିବା ମଧ୍ୟ ତଦନ୍ତ ବେଳେ ମିଳିଥିବା ତଥ୍ୟରୁ ପୁଲିସ୍‌ ଅନୁମାନ କରୁଛି।

ସମ୍ବନ୍ଧିତ ଖବର