ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମ ରାଉତ; ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସମ୍ପନ୍ନ

ପୁରୀ/ଭୁବନେଶ୍ବର/ପାରାଦୀପ: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଶୁକ୍ରବାର  ରାତିରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଦାମୋଦର ରାଉତ’ଙ୍କୁ ପୂରା ଜଗତସିଂହପୁର ମାଟି ଝୁରୁଛି। ତାଙ୍କର ଏକମାତ୍ର ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ପୁରୀ ଜିଲ୍ଲାପାଳ, ଏସ୍‌ପି, ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦାମ ରାଉତଙ୍କ ପରିବାର, ନିକଟତର, ଶୁଭେଚ୍ଛୁ, ବିଭିନ୍ନ ରାଜନୈତିକ ଦଳର ନେତା ଉପସ୍ଥିତ ଥିଲେ।

ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦାମ ରାଉତଙ୍କ ପରଲୋକ ପରେ ପାର୍ଥିବ ଶରୀରକୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟ (ଶଙ୍ଖ ଭବନ)କୁ ନିଆଯାଇଥିଲା। ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍‌, ମନ୍ତ୍ରୀ, ବିଧାୟକ ଓ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ଦାମ ରାଉତଙ୍କ ମରଶରୀର ପାରାଦୀପ-ଏରସମା ଅଭିମୁଖେ ଯାଇଥିଲା। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ପାର୍ଥିକ ଶରୀରକୁ ସାଧାରଣ ଦର୍ଶନ ନିମନ୍ତେ ରଖାଯାଇଥିଲା। ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିଥିଲା। ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିଥିଲା ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିଥିଲା।

ଦାମୋଦର ରାଉତଙ୍କ ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଥିଲେ। ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ।

ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ଼ ରାଜନେତା ଭାବେ ଜଣାଶୁଣା ଥିଲେ। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ଏକାଧିକ ଥର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରି ପୁଣି ବିଜେଡିକୁ ଫେରିଥିଲେ।

ସୂଚନାଯୋଗ୍ୟ, ଡ. ଦାମୋଦର ରାଉତ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମାଦେଇପୁର ଡାକଘର ଅଧୀନ ମାଳିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପା ଥିଲେ କପିଳ ଚନ୍ଦ୍ର ରାଉତ। ତାଙ୍କର ଏକମାତ୍ର ପୁଅ ସମ୍ବିତ ରାଉତ ଓ ଦୁଇ ଜଣ ଝିଅ (ପ୍ରୀତିନନ୍ଦା ରାଉତରାୟ) ଅଛନ୍ତି। ସମାଜ ସେବାକୁ ଭଲ ପାଇବା ସହିତ ସେ ଓଡ଼ିଶା ରାଜନୀତିର ଜଣେ ଅଭିଜ୍ଞ ରାଜନୀତିଜ୍ଞ ଥିଲେ। ରୁଷ, ଚୀନ, ଜାପାନ, ଥାଇଲାଣ୍ଡ, ଫିଲିପାଇନ୍ସ, ମାଲେସିଆ ଓ ତାଇୱାନ ଭ୍ରମଣ କରିଥିଲେ।

 

ଡ. ଦାମ ରାଉତ ୧୯୭୭ରୁ ୧୯୮୫ ଜନତା ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ୧୯୯୦ରୁ ୧୯୯୫ରେ ପୁଣି ଜନତ ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ବିଜେଡି ଟିକେଟରେ ୨୦୦୨ରୁ ୨୦୦୯ ଯାଏଁ ଏରସମାରୁ ଓ ୨୦୦୯ରୁ ୨୦୧୯ ଯାଏଁ ପାରାଦୀପରୁ ବିଧାୟକ ହୋଇଥିଲେ। ସାତ ଥର ବିଧାୟକ ହେବା ସହିତ ସେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ସାମାଜିକ କଲ୍ୟାଣ, ପଞ୍ଚାୟତିରାଜ ଓ ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର