ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଅର୍ଥ ଜମା କରାଯାଇଥିଲା: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର: ୟେସ ବ୍ୟାଙ୍କରେ କାହିଁକି ଜମା ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା । ଏହି ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଶ୍ରୀମନ୍ଦିରର ଅର୍ଥ ରଖିବାକୁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ୟେସ ବ୍ୟାଙ୍କକୁ ଚୟନ କରାଯାଇଥିଲା ବୋଲି ସେ କହିଛନ୍ତି ।
ତେବେ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲା । ୟେସ୍ ବ୍ୟାଙ୍କର ସୁଧ ହାର ଅଧିକ ଥିବାରୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଜମା କରାଯାଇଥିଲା । ତେବେ ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ପୂର୍ବରୁ ୟେସ୍ ବ୍ୟାଙ୍କ୍ ସହ କାରବାର ନ କରିବାକୁ କୌଣସି ସୂଚନା ନ ଥିଲା । ଏହାଛଡ଼ା ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।

Yes Bank on Tuesday allowed inward IMPS and NEFT services to enable its customers to make payments towards Yes Bank credit card EMIs and loans through other bank accounts (Photo: Mint)
image source-livemint

ଏବେ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କର ୫୪୫ କୋଟି ଜମା ରହିଛି । ଏହି ଟଙ୍କାକୁ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟ୍ରାନ୍ସଫର୍ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକଙ୍କୁ ନିବେଦନ କରାଯାଇଛି । ସେହିପରି ରାଜ୍ୟ ଅର୍ଥମନ୍ତ୍ରୀ ଗତ ୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ୟେସ୍ ବ୍ୟାଙ୍କରୁ ଅନ୍ୟ ଜାତୀୟକରଣ ବ୍ୟାଙ୍କକୁ ଜମା ରାଶି ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଅଧିକ ସୁଧ ଲୋଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା କରାଯାଇଥିବା ବେଳେ ଏବେ ତାହା କେବେ ଫେରସ୍ତ ମିଳିବ ତାହା କହିବା ମୁସ୍କିଲ ହୋଇପଡ଼ିଛି ।

ସମ୍ବନ୍ଧିତ ଖବର