ଅଗ୍ନିକାଣ୍ଡରୁ ବର୍ତ୍ତିଲା ପାନ ଦୋକାନ

କାଲିମେଳା: ଗତକାଲି ଅଗ୍ନିକାଣ୍ଡରୁ ଗୋଟିଏ ପାନ ଦୋକାନ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନରେ କାଲିମେଳା ମୁଖ୍ୟ ବଜାର ମଧ୍ୟରେ ଥିବା କୃଷ୍ଣଚନ୍ଦ୍ର ପ୍ରଧାନ ନିଜ ପାନ ଦୋକାନରେ ବିକ୍ରି କରୁଥିବା ପେଟ୍ରୋଲରେ ନିଆଁ ଲାଗି ଯାଇଥିଲା। ପେଟ୍ରୋଲ ଜାରକିନରୁ ବୋତଲରେ ଭର୍ତ୍ତି କରୁଥିବା ସମୟରେ ନିଆଁ ଲାଗିଥିବା ଜଣାପଡିଛି। ତେବେ ଦୋକାନି ଜଣକ ପେଟ୍ରୋଲ ଜାରକିନିକୁ ତରବରିଆ ଭାବେ ରାସ୍ତା କଡକୁ ଫୋପାଡି ଦେଇଥିଲେ। ତଥାପି ଜାରକିନ ମଧ୍ୟରେ ଥିବା ପେଟ୍ରୋଲ ଅଧଘଣ୍ଟା ଧରି ହୁତ୍‌ହୁତ ହୋଇ ଜଳିଥିଲା। ରାସ୍ତାରେ ନିଆଁ ଜଳୁଥିବାର ଦେଖି ଲୋକେ ରୁଣ୍ଡ ହୋଇଯାଇଥିଲେ। ଅଳ୍ପକେ ଦୋକାନ ବର୍ତି ଯାଇଥିବା ବେଳେ କୌଣସି ପ୍ରକାର କ୍ଷତି ହୋଇ ନାହିଁ। ଯଦି ଦୋକାନ ଭିତରେ ଏହି ନିଆଁ ଲାଗିଥାଆନ୍ତା ତେବେ ପାନ ଦୋକାନ ସହ ପାଖରେ ଥିବା ଅନ୍ୟ ଦୋକାନ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥାନ୍ତା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ମାଲକାନଗିରି-ମୋଟୁ ୩୨୬ ନଂ ଜାତୀୟ ରାଜପଥର କାଲିମେଳା ମୁଖ୍ୟ ବଜାରର ଉଭୟ ପଟେ ଅନେକ ଦୋକାନରେ ପେଟ୍ରୋଲ ବିକ୍ରି କରାଯାଉଛି। କିଛି ଦୋକାନି ମୁଖ୍ୟ ରାସ୍ତାକୁ ମାଡ଼ି ଆସି ଦୋକାନ ସାମଗ୍ରୀ ବିକ୍ରି କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର