କବାଡ଼ିଆ ଗୋଦାମରେ ଅଗ୍ନିକାଣ୍ଡ ଘଟଣା: ୩ ମାଲିକ ଫେରାର

ଯାଜପୁର/କୋରେଇ: କୋରେଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଧନେଶ୍ବର ଛକ ନିକଟରେ ଚାଲିଥିଲା ବେଆଇନ୍ ପ୍ଲାଷ୍ଟିକ କାରଖାନା। ଆଗରେ କବାଡିଆ ଗୋଦାମ; ପଛରେ ଚାଲିଥିବା ପ୍ଲାଷ୍ଟିକ୍ କାରଖାନା। ଏହି କାରଖାନାକୁ ଦିଆଯାଇଥିଲା ବିଦ୍ୟୁତ ସଂଯୋଗ। ଅଗ୍ନିଶମ ବିଭାଗର ତଦନ୍ତ ପରେ ବହୁ ରହସ୍ୟ ଖୋଲିବାରେ ଲାଗିଛି। ତଦନ୍ତରୁ ହସ୍ତଗତ ହୋଇଥିବା ତଥ୍ୟକୁ ଭିତ୍ତି କରି ଆସନ୍ତାକାଲି ଅଗ୍ନିଶମ ବିଭାଗ ଏତଲା ଦେବ। ବେଆଇନ କାରବାର  ଜଣାପଡିବା ପରେ କବାଡିଆ ଗୋଦାମ ଓ ପ୍ଲାଷ୍ଟିକ୍ କାରଖାନାର ୩ଜଣ ମାଲିକ ଫେରାର ହୋଇଯାଇଛନ୍ତି।

ବର୍ଷ ବର୍ଷ ଧରି ଏଭଳି ବିପଦଜନକ କାରଖାନା ବିନା ଅନୁମତିରେ  ରାସ୍ତା ପାର୍ଶ୍ବରେ କିପରି ଚାଲୁଥିଲା? ତାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ଗତ ୨୩ତାରିଖ ଅଗ୍ନିକାଣ୍ଡରେ ୨ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ପୋଡି ହୋଇ ଆହତ ହୋଇଥିଲେ ହେଁ  ଏଠାରେ କାମ କରୁଥିବା ଅନେକ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ରକ୍ଷା ପାଇଯାଇଛି। ଏହି ଅଗ୍ନିକାଣ୍ଡରେ  ପ୍ରାୟ ୨୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ୨୫ ଲକ୍ଷ ଟଙ୍କାର ସମ୍ପତିକୁ ଅଗ୍ନିଶ୍ରମ ବିଭାଗ ଉଦ୍ଧାର କରିଛି। ପ୍ଲାଷ୍ଟିକ୍ ତରଳାଇବା ବେଳେ ନିଆଁ ବାହାରି  ଭୟାବହ ଅଗ୍ନିକାଣ୍ତ  ଘଟିଛି ବୋଲି ଅଗ୍ନିଶମ ବିଭାଗ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏପରିକି ବ୍ୟବହୃତ ପ୍ଲାଷ୍ଟିକ, ଟାୟାର ଏବଂ ବୋତଲ୍ ଆଦିର ଗୋଦାମ ପାଇଁ ମଧ୍ୟ କୌଣସି ଅନୁମତି ନଥିବା ତଦନ୍ତରୁ ଜଣାପଡିଛି। ଗୋଦାମର ମାଲିକ ଭାବେ ଗୁଜୁରାଟର ସେକ୍ ଗିଲାନୀ (୪୨), କୋଲକାତାର ମନସୁର୍ ଚୌଧୁରୀ (୪୦) ଏବଂ ଭଦ୍ରକ ଜିଲ୍ଲା ଧାମନଗରର ସେକ୍ ରମଜାନ୍ (୪୫) ଫେରାର ହୋଇଯାଇଛନ୍ତି।  ଏହି ଘଟଣାରେ ଜମି ମାଲିକ ହରଡ଼ଘଣାରେ ପଡିଛନ୍ତି।

ଘଟଣାର ତଦନ୍ତ କରୁଥିବା ଯାଜପୁରରୋଡ଼ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଭାକର ସାହୁ କହିଛନ୍ତି ଆସନ୍ତାକାଲି ଏତଲା ଦିଆଯିବ। ଅଗ୍ନିକାଣ୍ଡ ହୋଇଥିବା ଗୋଦାମ ଓ କାରଖାନା ୩୩ କେଭି ଟାୱାର ତଳେ ଚାଲିଥିଲା।  ଶ୍ରମ ଆଇନ୍ ଉଲଙ୍ଘନ କରି ବହୁ ସଂଖ୍ୟାରେ ଶ୍ରମିକ ଗୋଦାମରେ ଥିବା ବିପଦପୂର୍ଣ୍ଣ ମେସିନ୍ ରେ କାମ କରୁଥିଲେ।  ଏନେଇ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କୁ ପଚାରିବାରୁ ଏହା ଏକ ବ୍ୟବସାୟିକ ପ୍ରତିଷ୍ଠାନ ହୋଇଥିବାରୁ ଅଗ୍ନିଶମ ବିଭାଗର ରିପୋର୍ଟ ଚୂଡାନ୍ତ ବୋଲି କହିଛନ୍ତି। କାହା ଛତ୍ରଛାୟା ତଳେ ଏଭଳି ବେଆଇନ୍ କାରବାର ଚାଲିଥିଲା? ପ୍ରଶାସନ କିଭଳି ଟେର୍ ପାଉନଥିଲା ବୋଲି ପ୍ରଶ୍ନ ହେଉଛି।

ସମ୍ବନ୍ଧିତ ଖବର