ମୁଣ୍ଢେରରେ ‘ଡନ୍‌’ ଆତଙ୍କ; ଚୁଲି ନିଆଁରେ ଘର ପାଉଁଶ, ଭିଡିଓ ଦେଖନ୍ତୁ କେମିତି ଜଳୁଛି ଗାଁ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଂଚଳରେ ଦନ୍ତା ହାତୀ ‘ଡନ୍‌’ର ଉପଦ୍ରବ ଥମିବାର ନା ନେଉ ନାହିଁ। ଡନ୍‌ ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ସ୍ୱତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ହାତୀକୁ କାବୁ କରିବାରେ ବିଫଳ ହୋଇଛି। ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣାରେ ହାତୀ ଆକ୍ରମଣରେ ଘର ଭାଙ୍ଗିଥିବାବେଳେ ଏଥିରେ ଅଗ୍ନିକାଣ୍ଡ ଘଟି ଜଣଙ୍କ ଘର ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ସୌଭାଗ୍ୟରୁ ପରିବାର ଲୋକ ଏଥିରୁ ରକ୍ଷା ପାଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ମୁଣ୍ଢେର ଗାଁର ଜର୍ଜ ଭେଙ୍ଗରାଙ୍କ ଛଣ ଛପର ଘରକୁ ଡନ୍‌ ଆକ୍ରମଣ କରିଥିଲା। ଏହି ସମୟରେ ଘରେ ସମସ୍ତେ ଥିବା ବେଳେ ତାଙ୍କ ତାଙ୍କ ପତ୍ନୀ ରାନ୍ଧୁଥିଲେ। ହାତୀକୁ ଦେଖି ପରିବାର ଲୋକେ ସମସ୍ତେ ଘରୁ ବାହାରି ଯାଇଥିଲେ। ଛଣ ଛପର ଘର ହୋଇଥିବାରୁ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ଘର ପାଉଁଶ ହୋଇଯାଇଥିଲା। ଘରେ ଥିବା ପୋଷାକପତ୍ର, ଖାଦ୍ୟପଦାର୍ଥ, ଆସବାବପତ୍ର ସହ ଜରୁରି କାଗଜପତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି।

ସେହିପରି ନକୁଳ ମିର୍ଦ୍ଧାଙ୍କ ଧାନ, ଚାଉଳ ସହ ରନ୍ଧା ଭାତ ମଧ୍ୟ ହାତୀ ଖାଇ ଦେଇଥିବା ଜଣାପଡ଼ିଛି। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ। ହେଲେ ହାତୀ ଦେଢ଼ ଘଣ୍ଟା ଧରି ସଂପୃକ୍ତ ଅଞ୍ଚଳରେ ଉତ୍ପାତ କରିବା ପରେ ଜଙ୍ଗଲ ମୁହାଁ ହୋଇଥିବା ଜଣାପଡ଼ିଛି। ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଶୁକ୍ରବାର ରାତିରେ ଏହି ଦନ୍ତା ଜାମଟାଲ ମିର୍ଦ୍ଧାପଡ଼ାର ଉପେନ୍ଦ୍ର ବାଗ ଓ ବସନ୍ତ ମିର୍ଦ୍ଧାଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର