ପ୍ରଥମ ଜୟଦେବ ଜାତୀୟ କବିତା ପୁରସ୍କାର ‘ଦୀର୍ଘ ତାଲିକା’ ପ୍ରକାଶ

ଭୁବନେଶ୍ୱର : ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ଜୟଦେବ ଜାତୀୟ କବିତା ପୁରସ୍କାର’ ପାଇଁ ଭାରତୀୟ ଭାଷା ଓ ଇଂରାଜୀରେ ପ୍ରକାଶିତ ଓ ଭାଗ ନେଇଥିବା କବିତା ବହିରୁ ୧୨ଟି ବହିର ‘ଦୀର୍ଘ ତାଲିକା’ ପ୍ରକାଶ ପାଇଛି। ଏହି ବହିଗୁଡ଼ିକର କବି ତଥା ଅନୁବାଦକମାନଙ୍କ ଭିତରେ ଭାରତର ବରିଷ୍ଠ ଓ ବିଶିଷ୍ଟ କବିମାନେ ରହିଛନ୍ତି। ସେମାନେ ହେଲେ ଗୁଲ୍‌ଜାର, ଅଶୋକ ବାଜପେୟୀ, ଭାଲଚନ୍ଦ୍ର ନେମାଡ଼େ, ବିଷ୍ଣୁ ଖରେ, ଆନନ୍ଦ ଠାକୁର, ଅଶ୍ୱିନୀ କୁମାର, ନୀତୁ ଦାସ, ଆର୍‌. ଚେତନକ୍ରାନ୍ତି, ରା ଶା, ସନନ୍ତ ତାନ୍ତି, ବିନୟ ଚୈତନ୍ୟ ଓ ବିବେକ ନିରାଲା।

ପ୍ରକାଶ ଥାଉକି, ଏହି ଜାତୀୟ ପୁରସ୍କାର ଅର୍ଥ ପରିମାଣ ୫୧ ହଜାର ଟଙ୍କା ରହିଛି। ବିଜୟୀ କବିଙ୍କୁ ଫେବ୍ରୁଆରି ମାସରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓଡ଼ିଶା ଆର୍ଟ ଆଣ୍ଡ୍‌ ଲିଟରେଚର ଫେଷ୍ଟିଭାଲରେ ଏହି ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶାର ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା, ବିଶିଷ୍ଟ ଇଂରାଜୀ କବି ମନୋହର ସେଟ୍ଟି ତଥା ହିନ୍ଦୀ ଭାଷାର ଜଣାଶୁଣା କବି ଆଶୁତୋଷ ଦୁବେ ଏହି ପୁରସ୍କାର ଚୟନ ପାଇଁ ବିଚାରକ ଭାବେ ରହିଛନ୍ତି। ଏହି ଜାତୀୟ ପୁରସ୍କାର ତାଲିକା ଡିସେମ୍ବର ୩୧ ତାରିଖରେ ପ୍ରକାଶ ପାଇବାର ବ୍ୟବସ୍ଥା ଥିବା ବେଳେ ଜାନୁଆରି ୧୫, ୨୦୧୮ରେ ସର୍ବୋତ୍କୃଷ୍ଟ କବିତା ବହିର ନାମ ପ୍ରକାଶ ପାଇବ ବୋଲି ଧଉଳି ରିଭ୍ୟୁ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ପ୍ରଖ୍ୟାତ କବି ଜୟଦେବଙ୍କ ନାମରେ ଏହା ପ୍ରଥମ ଜାତୀୟ କବିତା ପୁରସ୍କାର ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ପୁରସ୍କାର ସମ୍ପର୍କୀୟ ସବିଶେଷ ତଥ୍ୟ ୱେବ୍‌ସାଇଟ୍‌ www.odishaartlitfest.comରେ ଉପଲବ୍ଧ।

ସମ୍ବନ୍ଧିତ ଖବର