କଟକ ଆଇଟିଆଇ ପରିସରରେ ଦେଶର ପ୍ରଥମ ସ୍କିଲ୍‌ ମ୍ୟୁଜିୟମ

କଟକ : ଦେଶର ପ୍ରଥମ ସ୍କିଲ୍‌ ମ୍ୟୁଜିୟମ୍‌ ବା ଦକ୍ଷତା ସଂଗ୍ରହାଳୟ କଟକ, ଖପୁରିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଖୁବଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଗତ ଜାନୁଆରିରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ତିନିମାସ ମଧ୍ୟରେ ଏହାକୁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରାଯିବ। ଏହାଦ୍ୱାରା ଶିଳ୍ପ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ତଥ୍ୟ ଓ ସୂଚନା ପାଇବା ସହଜ ହେବ ବୋଲି ଆଶା କରାଯାଉଛି।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଶିଳ୍ପ ତାଲିମ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା, ତାଲିମ ଶେଷ ହେବାପରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ନିଯୁକ୍ତି ସୁଯୋଗର ତଥ୍ୟ ପ୍ରଦାନ କରିବା ସହ ଦେଶର ଆର୍ଥିକ ଅଭିବୃଦ୍ଧିରେ ଶିଳ୍ପର ସହଭାଗିତାକୁ ଏଥିରେ ପ୍ରଦର୍ଶିତ କରିବା ହେଉଛି ସଂଗ୍ରହାଳୟ ପ୍ରତିଷ୍ଠାର ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ସହଯୋଗରେ ୬୫ଲକ୍ଷ ଟଙ୍କାର ବ୍ୟୟରେ ସଂଗ୍ରହାଳୟ ନିର୍ମାଣ କାମ ପିଡବ୍ଲୁଡି ପକ୍ଷରୁ ଆରମ୍ଭ ହୋଇଛି। ପ୍ରତିଷ୍ଠାନର ୩ଟି ଗୃହକୁ ଶୀତତାପ ନିୟନ୍ତ୍ରଣ କକ୍ଷରେ ପରିଣତ କରାଯିବା ସହ ସଂଗ୍ରହାଳୟର ରୂପରେଖ ଦିଆଯିବ। ଗୋଟିଏ ଗୃହରେ ପ୍ରତିଷ୍ଠାନର ପୁରାତନ ଯନ୍ତ୍ରପାତି ଗୁଡିକୁ ରଖାଯିବ। ଅନ୍ୟ ଗୋଟିକରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ବିଭିନ୍ନ ଛୋଟ ବଡ ଯନ୍ତ୍ରପାତି, ପ୍ରୋଜେକ୍ଟର ଦସ୍ତାବିଜ୍‌ ରଖାଯିବ। ତୃତୀୟ ଗୃହରେ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ସମସ୍ତ ତଥ୍ୟ, ପଢା ଶେଷ ହେବାପରେ ଛାତ୍ରଛାତ୍ରୀଙ୍କ ପାଇଁ କେଉଁ କେଉଁ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ରହିଛି ଏବଂ ପ୍ରତିଷ୍ଠାନର ସଫଳ ଛାତ୍ରଛାତ୍ରୀଙ୍କ ସଂପର୍କରେ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବ।

ବିଶେଷ ଭାବେ ଛାତ୍ରୀମାନଙ୍କୁ ଶିଳ୍ପ ତାଲିମ ଶିକ୍ଷା ପ୍ରତି ଆକୃଷ୍ଟ କରିବା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଛାତ୍ରୀଙ୍କ ପାଇଁ ସୁଦକ୍ଷ୍ୟା ଯୋଜନା, ଲେବ୍‌ର କାର୍ଡ ଧାରୀ ଶ୍ରମିକଙ୍କ ପିଲାଙ୍କ ପାଇଁ ଷ୍ଟାଇପେଣ୍ଡ ସହ ବିଭିନ୍ନ ସ୍କଲାରସିପ୍‌ ବ୍ୟବସ୍ଥାକୁ ଏଠାରେ ସୂଚନା ଆକାରରେ ପ୍ରଦର୍ଶନ କରାଯିବ। ଏବେ ୩ଟି ଗୃହର ଚଟାଣ ଓ ସିଲିଙ୍ଗ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟସବୁ କାମ ଆସନ୍ତା ଜୁନ କିମ୍ବା ଜୁଲାଇ ମଧ୍ୟରେ ଶେଷକରି ସାଧାରଣ ଲୋକଙ୍କ ପାଇଁ ଖୋଲାଯିବାର ଯୋଜନା ଥିବା ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଏପରି ଆଉ ଗୋଟିଏ ସଂଗ୍ରହାଳୟ ଖୋଲିବାର ଯୋଜନା ଥିବା ବେଳେ ଖପୁରିଆ ମ୍ୟୁଜିୟମଟି ପ୍ରଥମେ କାମ ଶେଷ ହୋଇ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ। ଭାରତର ପ୍ରଥମ ‘ସ୍କିଲ୍‌ ମ୍ୟୁଜିୟମ’ ଭାବେ ଏହାକୁ ଆସନ୍ତା ତିନି ମାସ ମଧ୍ୟରେ ଖୋଲାଯିବ। ଛାତ୍ରଛାତ୍ରୀ ଶିଳ୍ପ ତାଲିମ ଶିକ୍ଷା ଶେଷ କରିବା ପରେ ସେମାନଙ୍କ ପାଇଁ କେଉଁ ପ୍ରକାର ନିଯୁକ୍ତି ସୁଯୋଗ ରହିଛି, ତାହାର ତଥ୍ୟ ସଂଗ୍ରହାଳୟ ମାଧ୍ୟମରେ ଦିଆଯିବ ବୋଲି ପ୍ରତିଷ୍ଠାନ ଅଧ୍ୟକ୍ଷ ଡକ୍ଟର ହୃଷିକେଶ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର