ସରକାରୀ ସଂସ୍ଥାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରୁଛି ‘ମୋ ସରକାର’ : ମନ୍ତ୍ରୀ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ‘ମୋ ସରକାର’ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଉଦ୍ୟମ। ସରକାରୀ ସଂସ୍ଥାଗୁଡ଼ିକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ‘ମୋ ସରକାର’ ଏକ ବଳିଷ୍ଠ ପଦକ୍ଷେପ। ଫୋନ୍ କଲ୍‌ ମାଧ୍ୟମରେ ଜନସାଧାରଣଙ୍କ ମୂଲ୍ୟବାନ ମତାମତ ଲୋକଙ୍କ ପ୍ରତି ସରକାରୀ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ବକୁ ବୃଦ୍ଧି କରିବାରେ ସହାୟକ ହେଉଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

‘ମୋ ସରକାର’ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗକୁ ଆଗାମୀ ଦିନରେ ସାମିଲ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ‘ମୋ ସରକାର’ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି କୃଷି ଭବନରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇ ଶ୍ରୀ ସାହୁ କହିଲେ, ରାଜ୍ୟରେ କୃଷକମାନଙ୍କ ଆ‌ୟ ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେଣୁ ବିଭାଗକୁ ତ୍ରୁଟି ଶୂନ୍ୟ ଓ ଏକ ପ୍ରଗତିଶୀଳ ବିଭାଗରେ ପରିବର୍ତ୍ତନ କରିବାକୁ ପଡ଼ିବ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଉତ୍ପାଦନ ବୃଦ୍ଧି କରି ରାଜ୍ୟକୁ ଆତ୍ମନିର୍ଭରଶୀଳ ସହିତ ବଳକା ରାଜ୍ୟରେ ପରିଣତ କରିବାକୁ ପଡ଼ିବ। ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅଧିକ ଫଳପ୍ରଦ କରିବା ଦିଗରେ ‘ମୋ ସରକାର’ ଏକ ବଳିଷ୍ଠ ଉଦ୍ୟମ। ଜନସାଧାରଣଙ୍କ ଠାରୁ ମିଳୁଥିବା ଅନୁକୂଳ ମତାମତ ଭିତ୍ତିରେ ଅନୁଷ୍ଠାନ ଓ କର୍ମଚାରୀଙ୍କୁ ଭଲ ରୢାଙ୍କ ଦିଆଯିବା ସହିତ ପ୍ରତିକୂଳ ମନ୍ତବ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ ଅଫିସ୍‌ରେ ଫାଇଲ୍‌କୁ ଧାର୍ଯ୍ୟ ସମୟ ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିବା ସହିତ ନୋଡାଲ ଅଫିସର୍‌ମାନେ ଜିଲ୍ଲା ଗସ୍ତ ସମୟରେ କାର୍ଯ୍ୟାଳୟର ଫାଇଲ୍‌ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ ସମ୍ପର୍କରେ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସଚିବ ଆର୍‌ ରଘୁପ୍ରସାଦ କହିଲେ, ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମଗ୍ରିକ ଭାବେ ବିଭାଗର କାର୍ଯ୍ୟଦକ୍ଷତାକୁ ମପାଯିବାର ବ୍ୟବସ୍ଥା କରାଯାଇଛି। ସରକାରୀ କାର୍ଯ୍ୟ ସମ୍ପାଦନରେ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃ୍ତ୍ତି ବୃଦ୍ଧି ପାଇବ। ‘ମୋ ସରକାର’ର ସଫଳ ରୂପାୟନ ଦିଗରେ ଜିଲ୍ଲା ସ୍ତରରେ ଫେବ୍ରୁଆରି ୨୦ ତାରିଖ ସୁଦ୍ଧା କ୍ଷେତ୍ର ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ ବୋଲି ସେ କହିଥିଲେ। ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ଓ ମତ୍ସ୍ୟ ନିର୍ଦ୍ଦେଶକ ଏନ୍ ତିରୁମାଲା ନାୟକ ପ୍ରମୁଖ ‘ମୋ ସରକାର’ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର