ଯୁକ୍ତ୨ ଓ ମାଟ୍ରିକ ପରୀକ୍ଷା ପୂର୍ବରୁ ବିଭ୍ରାଟ : ପରୀକ୍ଷା ଠିକ୍‌ରେ ହେବା ନେଇ ଆଶଙ୍କା, ଚିନ୍ତାରେ ୯ ଲକ୍ଷ ଛାତ୍ରଛାତ୍ରୀ, ବିଭାଗ ନିରବ

ଭୁବନେଶ୍ବର : ୫ ଦିନ ପରେ ମାଟ୍ରିକ୍‌ ପରୀକ୍ଷା। ୧୮ ଦିନ ପରେ ଯୁକ୍ତ୨ ଥିଓରି ପରୀକ୍ଷା। ତା’ପୂର୍ବରୁ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଘଟଣା ମନରୁ ନ ଲିଭୁଣୁ ଏବେ ମାଟ୍ରିକ୍‌ ପରୀକ୍ଷା ଆଡମିଟ୍‌ କାର୍ଡ ବଣ୍ଟ‌ନରେ ଦେଖାଦେଇଛି ଅବ୍ୟବସ୍ଥା। କେଉଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଲାଗିଛି ତ ଆଉ କେଉଁଠି ଛାତ୍ରଙ୍କ ଆଡ୍‌ମିଟ୍ କାର୍ଡରେ ଅନ୍ୟ ସ୍କୁଲ ଛାତ୍ରୀଙ୍କ ଫଟୋ ରହିଛି। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା‌ ଭଳି ଏବେ ଉଭୟ ପରୀକ୍ଷାକୁ ନେଇ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି। ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ଏଭଳି ବିଭ୍ରାଟ ପିଲାଙ୍କ ମାନସିକତା ଉପରେ ବି ଚାପ ପକାଇବା ଆରମ୍ଭ କଲାଣି। ଯଦି ଏମିତି ଚାଲେ ତେବେ ପରୀକ୍ଷା କିଭଳି ସୁଚାରୁ ରୂପେ ପରିଚାଳିତ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ନେଇ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଏ ପର୍ଯ୍ୟନ୍ତ ପଦାକୁ ଆସିନି। ପରୀକ୍ଷା ପରିଚାଳନା କମିଟିର କିଛି ସଦସ୍ୟ ସେଲ୍ଫ ଫାଇନାନ୍ସିଂ କଲେଜ ପାଇଁ ଓକିଲାତି କରିବାରୁ ଏଭଳି ସମସ୍ୟା ଉପୁଜିଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ କେହି ବି ମୁହଁ‌ ଖୋଲୁନାହାନ୍ତି। କେବଳ ଦୁଇ ଜଣ ବିଧାୟକ ତଥା କମିଟିର ସଦସ୍ୟ କିଶୋର ମହାନ୍ତି ଓ ସନ୍ତୋଷ ସିଂ ସାଲୁଜା ପରୀକ୍ଷା କେନ୍ଦ୍ର ଫିକ୍ସିଂ ନେଇ ମତ ରଖିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ର ଫିକ୍ସିଂ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କିମ୍ବା ବିଭାଗୀୟ ଶାସନ ସଚିବ କୌଣସି ଉତ୍ତର ଦେଉନାହାନ୍ତି। ସେପଟେ ରାଜ୍ୟର ମ‌ାନବାଧିକର କମିସନଙ୍କ ପକ୍ଷରୁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରାଯାଇଛି। ୧୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ଏଭଳି ବିବାଦର ସମାଧାନ ହୋଇ ନ ଥିବା ବେଳେ ମାଟ୍ରିକ୍‌ ପରୀକ୍ଷାକୁ ‌ନେଇ ସମସ୍ୟା ସୃଷ୍ଟି ହୋଇଛି। ପରୀକ୍ଷା ଆଉ ମାତ୍ର ୫ ଦିନ ଥିବା ବେଳେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ତ୍ରୁଟି ପରିଲକ୍ଷିତ ହୋଇଛି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ତାକରଡ଼ା ସହିଦ ହାଇସ୍କୁଲର ୭୨ ଜଣ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ତ୍ରୁଟି ରହିଥିବା ସାମ୍ନାକୁ ଆସିଛି। କେଉଁ ଛାତ୍ରଙ୍କ ଆଡ୍‌ମିଟ୍ କାର୍ଡରେ ଛାତ୍ରୀଙ୍କ ଫଟୋ ଲାଗିଛି ତ ଆଉ କେଉଁ ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଅନ୍ୟ ସ୍କୁଲର ଛାତ୍ରୀଙ୍କ ଫଟୋ ଥିବା ଅଭିଯୋଗ ହୋଇଛି। ଆଉ କେଉଁଠି ଛାତ୍ରଙ୍କ ଆଡିମିଟ୍‌ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏମିତି ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। କେଉଁଟି ତ୍ରୁଟି ହେଲା, ଏଥିପାଇଁ କିଏ ଦାୟୀ ତାହାର ଅନୁଧ୍ୟାନ ଚାଲିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଆଜି କହିଛନ୍ତି ‌ଯେ ଭାଇରାଲ୍ ହୋଇଥିବା ଆଡମିଟ୍ କାର୍ଡଗୁଡ଼ିକ ନକଲି। ମାଧ୍ୟମିକ ଶିକ୍ଷା ପରିଷଦକୁ ବଦନାମ କରିବାକୁ ଏଭଳି ଭାଇରାଲ୍ କରାଯାଇଛି। ଏଥିରେ ଦସ୍ତଖତ ନାହିଁ। ଅଧିକ ସମସ୍ୟା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କିଛି ତ୍ରୁଟି ହୋଇଥିବ ସେଥିରେ ସୁଧାର ଅଣାଯିବ। କୌଣସି ପିଲା ଯେପରି ପରୀକ୍ଷା ଦେବାରୁ ବାଦ୍‌ ନ ପଡ଼ିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର