ସାବେରୀ, ପୋଟେରୁ ନଦୀରେ ବନ୍ୟା

୮ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ, ବୁଡ଼ିଲା କାଙ୍ଗୁରକୋଣ୍ତା ଓ କନ୍ୟାଶ୍ରମ ପୋଲ

ପଡିଆ/କାଲିମେଳା : ମାଲକାନଗିରି ଜିଲ୍ଲାରେ ଗତ ଦୁଇଦିନ ଧରି ବର୍ଷା ଲାଗି ରହିବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସାବେରୀ ଏବଂ ପୋଟେରୁ ନଦୀରେ ବନ୍ୟାଜଳ ପଶିବାରୁ ଅସ୍ବାଭାବିକ ଭାବେ ଫୁଲି ଯାଇଥିଲା। ଯାହାଫଳରେ କାଙ୍ଗୁରକୋଣ୍ତା ଓ କନ୍ୟାଶ୍ରମ ପୋଲ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା। ରାତି ପ୍ରାୟ ୩ଟାରେ ଉଭୟ ପୋଲ ବୁଡ଼ିଯାଇ ୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ତେଣୁ ୩୨୬ ନମ୍ବର ଜାତୀୟ ରାଜପଥରେ ୮ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଦକ୍ଷିଣ ଓଡ଼ିଶାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ଅନେକ ଗାଡ଼ି ଉପରୋକ୍ତ ରାସ୍ତାରେ ଯାତାୟାତ କରିଥାଏ। ତେବେ ବନ୍ୟା ପରିସ୍ଥିତି ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଦୂରଗାମୀ ବସ୍‌ ଅଟକି ଯାଇଥିଲା। ଦିନ ପ୍ରାୟ ୧୧ଟାରେ ସ୍ଥିତି ସାମାନ୍ୟ ସୁଧୁରିବା ପରେ ପୁଣି ଗାଡ଼ି ଚଳାଚଳ କରିଥିଲା। ସେହିପରି କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବାରୁ ପଡ଼ିଆରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଖବର ପାଇ କାଲିମେଳା ଓ ପଡ଼ିଆ ପୁଲିସ ପୁଲିସ ପୋଲର ଉଭୟ ପାର୍ଶ୍ବରେ ରହି ଲୋକଙ୍କୁ ସଚେତନ କରିବା ସହ ପୋଲ ଉପରକୁ ନ ଯିବା ପାଇଁ ବାରଣ କରିଥିଲେ। ଅନ୍ୟପକ୍ଷରେ ପଡିଆ ବ୍ଲକ୍‌ ଅନ୍ତର୍ଗତ ଗିରିକାନପଲ୍ଲୀ ଓ ଉଣ୍ଡୁରୁକୋଣ୍ଡା ପଞ୍ଚାୟତର ଅନେକ ଲୋକ ବ୍ୟବସାୟ ତଥା ଦୈନନ୍ଦିନ ସାମଗ୍ରୀ ନିମନ୍ତେ କାଲିମେଳା ବଜାର ଉପରେ ନିର୍ଭରଶୀଳ। ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏହାର ପ୍ରଭାବ ସାପ୍ତାହିକ ହାଟ ଉପରେ ପଡ଼ିଥିଲା। ସ୍ବାଧୀନତା ଦିବସ ପାଳନ ନିମନ୍ତେ ଅନେକ ଶିକ୍ଷକ ନିଜ ବିଦ୍ୟାଳୟରେ ପହଞ୍ଚି ପାରିନଥିଲେ।

ସେହିପରି ଛତିଶଗଡ଼ ସୀମାକୁ ଲାଗି ରହିଥିବା ସାବେରୀ ନଦୀରେ ମଧ୍ୟ ଅନବରତ ବନ୍ୟାଜଳ ପ୍ରବେଶ ଯୋଗୁ ନଦୀ କୂଳରେ ଥିବା ଅନେକ ଚାଷ ଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଗତକାଲି ସନ୍ଧ୍ୟା ଠାରୁ ଉଭୟ ନଦୀରେ ଜଳସ୍ତର କମିବାରୁ ଯାତାୟାତ ସ୍ୱାଭାବିକ ହୋଇଛି। ତଥାପି ଲଗାଣ ବର୍ଷା ଜାରି ରହିଥିବାରୁ ଉଭୟ ନଦୀ ଫୁଲିବା ସହ ପଡିଆ ବ୍ଲକବାସୀଙ୍କ ପାଇଁ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର