କର୍ତ୍ତବ୍ୟରେ ଅବହେଳା ଓ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ: ବନ ସଂରକ୍ଷକ ଓ ଫରେଷ୍ଟରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: କର୍ତ୍ତବ୍ୟରେ ଅବହେଳା ଓ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ  ରାଜ୍ୟ ସରକାର ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବାଲେଶ୍ବର ବନ୍ୟପ୍ରାଣୀ ଅନ୍ତର୍ଗତ କୁଲଡିହା ରେଂଜ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଂଜ ଅଧିନରେ କାର୍ଯ୍ୟାରତ ଫରେଷ୍ଟର ଭରତ କୁମାର ଘଡ଼େଇଙ୍କୁ ବାଧ୍ୟତାମୂଳକ ଭାବେ ଅବସର ମିଳିଛି। ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଭୟ ଅଧିକାରୀଙ୍କୁ ଜଙ୍ଗଲ ବିଭାଗର ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଏ.ସି.ଏଫ୍‌ ଲକ୍ଷ୍ମଣ ପ୍ରଧାନଙ୍କ ବିରୁଦ୍ଧରେ ଲୋକପାଳଙ୍କ ନିକଟରେ ବହୁ ଦୁର୍ନୀତି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ଓ ସେ ନିଲମ୍ବିତ ହୋଇଥିଲେ। ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗ ତାଙ୍କ ବିରୁଦ୍ଧରେ କର୍ତ୍ତବ୍ୟରେ ଅବହେଳା, ଆୟ ବହିର୍ଭୂତ ସଂପତ୍ତି ଠୁଳ ଯୋଗୁଁ ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ କରିଥିଲା। କୁଲଡିହା ବନ୍ୟପ୍ରାଣୀ ରେଂଜରେ ଦାୟିତ୍ବରେ ଥିବା ବେଳେ ସ୍ଥାନୀୟ ଜଙ୍ଗଲରେ ଗୋଟିଏ ମୃତ ଓ ଗଳିତ ପୁରୁଷ ହସ୍ତୀ ମିଳିଥିଲା, ଯାହାର ଦାନ୍ତ ୨ଟିକୁ କାଟି ନିଆଯାଇଥିଲା। ଏସିଏଫ୍‌ ଲକ୍ଷ୍ମଣ ପ୍ରଧାନ ଆଉ ଅଧିକ ଦିନ ଚାକିରିରେ ରହିବା ଜନସ୍ବାର୍ଥ ବିରୋଧୀ ବୋଲି ହୃଦୟଙ୍ଗମ କରି ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ବିଶ୍ରା ରେଜଂର ଫରେଷ୍ଟର ଭରତ କୁମାର ଘଡେଇଙ୍କ ବି‌ରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବାରମ୍ବାର ମାମଲା ଦାୟର କରିଥିଲା। ଆୟ ବର୍ହିଭୂତ ସଂପତ୍ତି ଠୁଳ, ଅପରାଧିକ କାର୍ଯ୍ୟକଳାପ ଆଦି କାରଣ ଯୋଗୁଁ ଏସବୁ ମାମଲା ଏବେ ବିଚାରାଧୀନ ରହିଛି। ଫରେଷ୍ଟର ଭରତ କୁମାର ଆଉ ଅଧିକ ଦିନ ଚାକିରିରେ ରହିବା ଜନସ୍ବାର୍ଥ ବିରୋଧୀ ବୋଲି ହୃଦୟଙ୍ଗମ କରି ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ସମ୍ବନ୍ଧିତ ଖବର