ନରହନ୍ତା ହାତୀକୁ କାବୁ କଲା ବନବିଭାଗ ଟିମ୍‌

ମହାକାଳପଡ଼ା : ଗତ କିଛିଦିନ ହେଲା କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ହାତୀକୁ ରବିବାର ଦିନ ମହାକାଳପଡ଼ା ଅଂଚଳରେ କାବୁ କରାଯାଇଛି। ଦିନତମାମ କସରତ ପରେ ବନବିଭାଗ ଟିମ୍‌ ଟ୍ରାଙ୍କୁଲାଇଜର୍‌ ମାରି ହାତୀକୁ କାବୁ କରିଛି।

ଆଜି ସକାଳୁ ହାତୀଟି ମହାକାଳପଡ଼ା ବ୍ଲକ ଗଡ଼ରୋମିତ ଓ ତେରଗାଁ ପଞ୍ଚାୟତର ଚାଷଜମି ମଧ୍ୟରେ ଦେଖିବାକୁ ମିଳିଥିଲା। ହାତୀଟି ଚାଷଜମିରେ ପଶି ବ୍ୟାପକ ଧାନଫସଲ ଦଳିଚକଟି ନଷ୍ଟ କରି ପକାଇଥିଲା। ସ୍ଥାନୀୟ ଲୋକେ ହାତୀକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଟିମ୍‌ ପହଞ୍ଚି ହାତୀଟିକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନ ଥିଲା। ହାତୀଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିଲେ। କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍‌ ଶରତ କୁମାର ସାହୁ, ରେଞ୍ଜର୍‌ ଗୋବିନ୍ଦ ଚନ୍ଦ୍ର ରଥ, ଓୟୁଏଟି ମୁଖ୍ୟ ଡ. ଇନ୍ଦ୍ରମଣି ନାଥ, ସୁକିନ୍ଦା ରେଞ୍ଜର୍‌ ବିପିନ ବିହାରୀ ରାଉତରାୟ, ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି,ଏସିଏଫ୍‌ ଅଧୀର କୁମାର ବେହେରା, ଜମ୍ବୁ ରେଞ୍ଜର୍‌ ସାହାଜୀ ଚରଣ ବିଶ୍ବାଳ ପ୍ରମୁଖଙ୍କ ସମେତ ନନ୍ଦନକାନନର ଡାକ୍ତରୀ ଟିମ, ଓୟୁଏଟି ବିଶେଷଜ୍ଞ ଓ ଟ୍ରାଙ୍କୁଲାଇଜର ଟିମ୍‌ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ହାତୀଟିକୁ ଚାଷ ଜମି ମଧ୍ୟରୁ ଘଉଡ଼ାଇ ଆଣି ନିଶ୍ଚେତକ ପ୍ରୟୋଗ କରି କାବୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।

ହାତୀ ଘଉଡ଼ାଇବା ନିମନ୍ତେ ଚନ୍ଦକା, ନନ୍ଦନକାନନ ଆଦି ସ୍ଥାନରୁ ପ୍ରାୟ ୬୦ରୁ ସ୍ବତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀ ନିଆଁହୁଳା ଧରି ବାଣ ଫୁଟାଇଥିଲେ। ଦିନତମାମ କସରତ ପରେ ବି ହାତୀଟି ଚାଷଜମି ମଧ୍ୟରୁ ବାହାରକୁ ଆସି ନ ଥିଲା। ଶେଷରେ ଅପରାହ୍ନ ପ୍ରାୟ ସାଢେ ୫ଟାରେ ଚାଷଜମି ମଧ୍ୟରେ ହାତୀଟିକୁ ଲଘୁ ପ୍ରତିକ୍ରିୟା ବିଶିଷ୍ଟ ନିଶ୍ଚେତକ (ଲେସ୍‌ ଇଫେକ୍ଟିଭ୍‌ ଟ୍ରାଙ୍କୁଲାଇଜର୍‌) ପ୍ରୟୋଗ କରାଯାଇଥିଲା। ଫଳରେ ହାତୀଟି ଗୋଟିଏ ସ୍ଥାନରେ ଠିଆ ହୋଇ ରହିଥିଲା। ପରେ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍‌ର ସଦସ୍ୟମାନେ ତାକୁ ଲୁହା ଶିକୁଳିରେ ବାନ୍ଧି ଦେଇଥିଲେ। ଆସନ୍ତାକାଲି ସକାଳେ ହାତୀକୁ ନିଆଯାଇ ତା ନିଜ ଦଳ ହାତୀଙ୍କ ପାଖରେ ଛଡ଼ାଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ହାତୀକୁ ପ୍ରଥମେ ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ପରେ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଅଂଚଳରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ଦଳି ମାରି ଦେଇଥିଲା।

ସମ୍ବନ୍ଧିତ ଖବର