ଜଙ୍ଗଲ ଜଳିଚାଲିଛି: ୧୭୪୬ଟି ସ୍ଥାନରେ ବନାଗ୍ନି, ୨୦୦ ଟପିଲା ବଡ଼ଧରଣର ଜଙ୍ଗଲ ନିଆଁ

କୋରାପୁଟ, ବ୍ରହ୍ମପୁର, ସମ୍ବଲପୁର ସର୍କଲ ଚିନ୍ତାଜନକ

ଭୁବନେଶ୍ୱର : କେଉଁଠି ୭ଦିନ ହେଲା ଜଙ୍ଗଲ ଜଳୁଛି ତ ଆଉ କେଉଁଠି ୪ଦିନ। ଶିମିଳିପାଳରୁ ଚନ୍ଦକା-ଡମପଡ଼ା ହେଉ ଅଥବା ସୁନାବେଡ଼ାରୁ ଦଶପଲ୍ଲା। ସବୁଠି ଏବେ ସମାନ ଚିତ୍ର। ଗୋଟିଏ ଗୋଟିଏ ରେଞ୍ଜର ୫ରୁ ୭ଟି ସ୍ଥାନରେ ନିଆଁ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ବନଖଣ୍ଡ ନିଆଁର ଆଁ ଭିତରକୁ ପ୍ରବେଶ କରୁଥିଲେ ମଧ୍ୟ ବନ ବିଭାଗର ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଏପର୍ଯ୍ୟନ୍ତ ଆୟତ୍ତକୁ ଆସିପାରୁନି ରାଜ୍ୟର ଜଙ୍ଗଲ ନିଆଁ। ଯେତେବେଳେ କି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ପରି ରାଜ୍ୟ ବନାଗ୍ନି ଆୟତ୍ତ କରିବା କ୍ଷେତ୍ରରେ ବହୁ ଆଗରେ ରହିଛନ୍ତି। ରବିବାର ମଧ୍ୟାହ୍ନରେ ଓଡ଼ିଶାର ୧୫୩ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇଥିଲା, ଯାହାକି ଆଜି ମଧ୍ୟାହ୍ନରେ ୨୦୨ରେ ପହଞ୍ଚିଛି। ଚଳିତବର୍ଷ ପ୍ରଥମ ଥର ଲାଗି ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ କୁହାଯାଇଛି। କାରଣ ଗତ ନଭେମ୍ବରରୁ ଏପର୍ଯ୍ୟନ୍ତ କେବେ ବି ବଡ଼ଧରଣ ବନାଗ୍ନି ସଂଖ୍ୟା ୨୦୦ ଛୁଇଁ ନ ଥିଲା।

ଆହୁରି ଚିନ୍ତାର ବିଷୟ ହେଉଛି ଯେ ମୋଟ ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଗତକାଲି ୧୮୪୦ଟି ସ୍ଥାନରେ ଜଙ୍ଗଲ ଜଳୁଥିଲା। ଆଜି ତାହା ସାମାନ୍ୟ ହ୍ରାସ ପାଇ ୧୭୪୬ରେ ପହଞ୍ଚିଛି ସତ। ମାତ୍ର ନୂଆ ନୂଆ ଅଞ୍ଚଳକୁ ନିଆଁ ବ୍ୟାପିବା ଦ୍ବାରା ବନ କର୍ମଚାରୀ ବି ହାତ ଟେକି ଦେଲେଣି। ଲଗାତାର ୧୨ ଦିନ ହେଲା କର୍ମଚାରୀମାନେ ନିଆଁ ଲିଭାଉଛନ୍ତି। ସେମାନଙ୍କୁ ଟିକିଏ ବି ନିସ୍ତାର ମିଳୁନାହିଁ। ଗୋଟିଏ ପଟେ କର୍ମଚାରୀ ଅଭାବ ଆଉ ଅନ୍ୟପଟେ ଜଙ୍ଗଲ ନିଆଁ ବଢ଼ିବା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କେତେକ ବନଖଣ୍ଡରେ କର୍ମଚାରୀମାନେ ୧୨ରୁ ୧୪ ଘଣ୍ଟା ଧରି ପରିଶ୍ରମ କରୁଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହେଉ ନାହାନ୍ତି। ପରିଣାମ ସ୍ବରୂପ ଗତ ୭ଦିନରେ ରାଜ୍ୟରେ ବଡ଼ଧରଣ ବନାଗ୍ନି ସଂଖ୍ୟା ୬୫୬ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଛତିଶଗଡ଼ରେ ମାତ୍ର ୨୪୧, କର୍ଣ୍ଣାଟକରେ ୨୨୭, ମଣିପୁରରେ ୨୧୭, ମିଜୋରାମରେ ୨୧୬ଟି ବଡ଼ଧରଣର ବନାଗ୍ନି ସଙ୍ଗଠିତ ହୋଇଛି। ନଭେମ୍ବରରୁ ଏପର୍ଯ୍ୟନ୍ତ ଦେଶରେ ୬୬୧୩ଟି ବଡ଼ଧରଣର ବନାଗ୍ନି ହୋଇଥିବା ବେଳେ ସେଥିରୁ କେବଳ ଓଡ଼ିଶାର ୧୧୪୩ଟି ରହିଛି। ସେହିପରି ନଭେମ୍ବରରୁ ଏପର୍ଯ୍ୟନ୍ତ ଓଡ଼ିଶାର ୧୭ ହଜାର ୮୭୦ଟି ସ୍ଥାନରେ ଛୋଟ ବଡ଼ ବନାଗ୍ନି ହୋଇଥିବା ବେଳେ ସେଥିରୁ ଗତ ୭ଦିନରେ କେବଳ ୭୯୪୨ଟି ଚିହ୍ନଟ କରାଯାଇଛି। କୋରାପୁଟ, ବ୍ରହ୍ମପୁର, ସମ୍ବଲପୁର ସର୍କଲ ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି।

ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଲିଭାଇବା ବଦଳରେ ସଚେତନତାକୁ ଗୁରୁତ୍ବ

ବନାଗ୍ନି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିଆଁ ଲିଭାଇବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ପାଖାପାଖି ମାସେ ହେଲା ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳିବା ପରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହ ସଚେତନତା ଲାଗି ବିଭିନ୍ନ ବର୍ଗକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଆଜିର ଦିନରେ ୧୭୪୬ଟି ସ୍ଥାନରେ ଜଙ୍ଗଲ ଜଳୁଥିଲେ ମଧ୍ୟ ତାହା କିଭଳି ପ୍ରଶମିତ ହେବ ସେନେଇ ବୈଠକରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ବରଂ ପୁଣି ଲୋକଙ୍କୁ ସଚେତନତା କରିବା କଥା କହି ମୁଣ୍ଡରୁ ଦୋଷ ‌ଖସାଇବାକୁ ଅଧିକାରୀମାନେ ଉଦ୍ୟମ କରିଛନ୍ତି।

Image Courtesy of News.18

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବନାଗ୍ନିକୁ ରୋକିବା ପାଇଁ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ବ୍ୟାପକ କରାଯିବ। ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ବନାଗ୍ନି ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଓ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମାଜିକ କର୍ମୀମାନଙ୍କୁ ସାମିଲ କରାଯିବ। ଜଙ୍ଗଲରେ ନିଆଁ ଲଗାଉଥିବା ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜୁନ ମାସ ପର୍ଯ୍ୟନ୍ତ ବନାଗ୍ନି ଭୟ ରହିଥିବାରୁ ଅନୁଧ୍ୟାନ ପ୍ରକ୍ରିୟାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀ ଓ ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇବା ସହ ସେମାନଙ୍କୁ ଅଧିକ ସଂଖ୍ୟକ ନିଆଁଲିଭା ଯନ୍ତ୍ର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଦେବୀଦତ୍ତ ବିଶ୍ୱାଳ, ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଜଙ୍ଗଲ ନିଆଁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ ଜଙ୍ଗଲି ଜନ୍ତୁଙ୍କ ଶିକାର ପାଇଁ ଶିକାରୀମା‌ନେ ନିଆଁ ଲଗାଉଛନ୍ତି। ଗତକାଲି କନ୍ଧମାଳ ଜିଲ୍ଲାରେ ନିଆଁ ଲଗାଇବା ବେଳେ ଜଣେ ଶିକାରୀ ଧରା ପଡ଼ିଛି। ନିଆଁ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି। ନିଆଁ ଲାଗିବା କ୍ଷଣି ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି ଏବଂ ନିଆଁ ଲିଭିବା ପରେ ଫଟୋ ଉଠାଇ ଅପଲୋଡ କରାଯାଉଛି। ନିଆଁ ଲଗାଉଥିବା ବେଳେ ଧରାପଡ଼ିଲେ ମାମଲା କରାଯିବା‌ ସହ କାର୍ଯ୍ୟାନୁଷ୍ଠାନ ହେଉଛି। ବନାଗ୍ନି ସମ୍ପର୍କରେ ଖବର ଦେଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାରର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର