ଅନୁଗୁଳ : ଟଙ୍କା ଖର୍ଚ୍ଚ ହେଉଛି, ଜଙ୍ଗଲ କଟୁଛି

ଅନୁଗୁଳ : ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବନୀକରଣ କରାଯାଉଛି। କିନ୍ତୁ, ସୁରକ୍ଷା ପାଇଁ ଉପଯୁକ୍ତ ଦୃଷ୍ଟି ଦିଆଯାଉନଥିବାରୁ ଗଛଗୁଡ଼ିକ ବଢ଼ିବା ପୂର୍ବରୁ ମରିଯାଇଛି। ଅପରପକ୍ଷରେ ସଂରକ୍ଷିତ ଜଂଗଲଗୁଡ଼ିକରେ ବି ଅବାଧ ଗଛକଟା ଚାଲିଛି।

ଅନୁଗୁଳ ଜିଲ୍ଲାର ଭୌଗଳିକ ସୀମା ୬୩୭୫ ବର୍ଗ କିଲୋମିଟର ଥିବାବେଳେ ୨୦୧୩ ମସିହାର ଏକ ସର୍ବେକ୍ଷଣ ଅନୁସାରେ ୪୨.୩୮ ପ୍ରତିଶତ ଏହାର ଜଂଗଲ ରହିଥିଲା। ପ୍ରତିବର୍ଷ ବନୀକରଣ କରାଯିବା ସହିତ ଜଂଗଲ ବୃଦ୍ଧି ପାଉଥିବା କାଗଜପତ୍ରରେ ଦର୍ଶାଯାଇଛି। ବିଭାଗୀୟ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଅନୁଗୁଳ ବନଖଣ୍ଡରେ ଥିବା ବିଭିନ୍ନ ବନାଞ୍ଚଳରେ ୨୦୧୩-୧୪ ଆର୍ଥିକ ବର୍ଷରେ ୭୯,୮୫୦ଟି ଗଛ ବିଭାଗ ପକ୍ଷରୁ ଲଗାଯାଇଥିଲା। ଏହା ବ୍ୟତୀତ ୭୪ ହଜାରଟି ଗଛ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ବଣ୍ଟାଯାଇଥିଲା। ୨୦୧୪-୧୫ ବର୍ଷରେ ୨୯,୨୧୫ଟି ଗଛ ବିଭାଗ ନିଜେ ଲଗାଇଥିବା ବେଳେ ୧୪,୪୦୦ ଗଛ ବାଣ୍ଟିିଥିଲା। ସେହିପରି ବନ ବିଭାଗ ନିଜେ ଗଛ ଲଗାଇଥିବା ଏବଂ ବାଣ୍ଟିଥିବା ଗଛ ସଂଖ୍ୟା ଯଥାକ୍ରମେ ୨୦୧୪-୧୫ ଆର୍ଥିକ ବର୍ଷରେ ୧୯,୦୫୦ ଓ ୧୪,୪୦୦, ୨୦୧୬-୧୭ରେ ୪୦,୫୦୦ ଓ ୧,୪୪,୩୦୦, ୨୦୧୭-୧୮ ଆର୍ଥିକ ବର୍ଷରେ ୨ ହଜାର ଓ ୧୦୪୩୪୬। ୨୦୧୮-୧୯ ଆର୍ଥିକ ବର୍ଷରେ ୯୨୫୦ ଗଛ ଲଗାଯାଇଥିବା ବେଳେ ୩,୦୦,୪୩୦ ଗଛ ବଣ୍ଟା ଯାଇଥିଲା। ବନ ବିଭାଗ ନିଜେ ଲଗାଇଥିବା ଓ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ଜରିଆରେ ଲଗାଯାଇଥିବା ଗଛ ହିସାବକୁ ନେଲେ ୮ ଲକ୍ଷରୁ ଅଧିକ ହେବ। ତେବେ ତଥ୍ୟ କହୁଛି, ବନ ବିଭାଗ ଯେତିକି ଗଛ ଲଗାଇଥିଲା, ସେଥିରୁ ୨୦୧୩-୧୪ ବର୍ଷରେ ୭୦ ପ୍ରତିଶତ, ୨୦୧୪-୧୫ ବର୍ଷରେ ୭୩ ପ୍ରତିଶତ, ୨୦୧୫-୧୬ ବର୍ଷରେ ୭୭ ପ୍ରତିଶତ, ୨୦୧୬-୧୭ ବର୍ଷରେ ୮୨ ପ୍ରତିଶତ, ୨୦୧୭-୧୮ ବର୍ଷରେ ୯୧ ପ୍ରତିଶତ ଓ ୨୦୧୮-୧୯ ବର୍ଷରେ ୯୫ ପ୍ରତିଶତ ଗଛ ବଞ୍ଚିଛି। ତେବେ ବାସ୍ତବତା କିନ୍ତୁ ଭିନ୍ନ।

ଉଦାହରଣ ଭାବେ କୁମଣ୍ଡରୁ ଡେରଜାଂଗ ପ୍ରକଳ୍ପ ପାଖ ପର୍ଯ୍ୟନ୍ତ କେନାଲ ହୁଡ଼ାର ବୃକ୍ଷରୋପଣକୁ ନିଆଯାଇପାରେ। କେନାଲର ଉଭୟ ପାର୍ଶ୍ବରେ ବିଭିନ୍ନ ପ୍ରଜାତିର ଗଛ ଲଗାଯାଇଥିଲା। ଗଛ ବଢ଼ିଲେ କେନାଲ ହୁଡ଼ା ସବୁଜ ସୁନ୍ଦର ଦିଶିବା ସାଂଗକୁ ଅଂଚଳର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ, କେନାଲ ହୁଡ଼ାରେ କେଉଁଠି କେମିତି ଗୋଟିଏ ଲେଖାଏଁ ଗଛ ବଞ୍ଚିଛି। ବୃକ୍ଷରୋପଣ ପରେ ୩ ବର୍ଷ ପର୍ଯ୍ୟନ୍ତ ଗଛଗୁଡ଼ିକର ଯତ୍ନ ନେବାକୁ ବି ପଡ଼ିଥାଏ। ଗଛକୁ ବଞ୍ଚାଇ ରଖିବା ନିମନ୍ତେ ଗଛ ପିଛା ୧୮ଟଙ୍କା ୫୭ ପଇସା ଖର୍ଚ କରାଯାଉଛି। ଗଛ ଲଗାଇବା ଆଉ ବଞ୍ଚାଇ ରଖିବା ପାଇଁ ଅର୍ଥ ଖର୍ଚ୍ଚ ହେଉଥିବା ଦର୍ଶାଯାଉଛି। ପରିଣାମ କିନ୍ତୁ ଓଲଟା ହେଉଛି। ଅନୁଗୁଳ ପୌରାଂଚଳର ବିିଭିନ୍ନ ସ୍ଥାନ ସହିତ ସହରର ମୁଖ୍ୟ ରାସ୍ତା ମଝିରେ ଗତ କିଛି ବର୍ଷ ମଧ୍ୟରେ ଲକ୍ଷାଧିକ ଗଛ ଲଗାଯାଉଛି। ‌ତେ‌ବେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅଧାରୁ ଅଧିକ ଗଛ ମରିଯାଇଛି। ଶିଳ୍ପାନୁଷ୍ଠାନ ଯୋଗୁଁ ଅନୁଗୁଳ ଜିଲ୍ଲାରେ ବହୁ ଜଂଗଲ ନ‌ଷ୍ଟ ହୋଇଛି। ଶିଳ୍ପାନୁଷ୍ଠାନଗୁଡ଼କ ସବୁଜ ବଳୟ ସୃଷ୍ଟି ଦିଗରେ ବି ଯତ୍ନବାନ ହେଉ ନାହାନ୍ତି। କାଗଜପତ୍ରରେ ଯେଉଁ ତଥ୍ୟ ରହୁଛି, ତାହା ବାସ୍ତବ ‌କ୍ଷେତ୍ରରେ ପରିଲକ୍ଷିତ ହୋଇନାହିଁ। ବୃକ୍ଷରୋପଣ ଆଳରେ ଅନେକ ଜାଗାରେ ଅର୍ଥ ହରିଲୁଟ୍ ହେଉଥିବା ଅଭଯୋଗ ହେଉଛି। ଅପରପକ୍ଷରେ ଜିଲ୍ଲାରେ ନବ ମାଫିଆଙ୍କ ସକ୍ରିୟତା ଯୋଗୁଁ ସଂରକ୍ଷିତ ଜଂଗଲଗୁଡ଼ିକ ନଷ୍ଟ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର