୪.୩୦ ଲକ୍ଷ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ଦିଆଯାଇଛି: ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ୬.୧୭ ଲକ୍ଷ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାମ୍ପରିକ ବନବାସୀ ଜଙ୍ଗଲ ଜମି ସତ୍ତ୍ୱ ପାଇବାକୁ ଆବେଦନ କରିଥିବା ବେଳେ ତନ୍ମଧ୍ୟରୁ ୪.୩୦ ଲକ୍ଷଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଏହା ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ,୫ ଲକ୍ଷ ୫୩ ହଜାର ୭୯୦ ଜଣ ଅନୁସୂଚିତ ଜନଜାତି ଜଙ୍ଗଲ ଜମି ପାଇବାକୁ ଆବେଦନ କରିଥିଲେ ଏବଂ ତନ୍ମଧ୍ୟରୁ ୪ ଲକ୍ଷ ୩୦ ହଜାର ୬୬୬ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ସଂପୃକ୍ତ ଜମିରେ ବସବାସ କରୁଥିବା ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ହେଲା ୩ ଲକ୍ଷ ୯୯ ହଜାର ୩୬। ସେହିପରି ୬୪,୧୪୫ ଜଣ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଜଙ୍ଗଲ ଜମି ସତ୍ତ୍ୱ ପାଇବାକୁ ଆବେଦନ କରିଥିବା ବେଳେ ମାତ୍ର ୭୩ ପରିବାରଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ସେହି ୭୩ପରିବାର ସଂପୃକ୍ତ ଜମିରେ ଜଙ୍ଗଲରେ ରହିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ।
ତେବେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି)ଆଇନ,୨୦୦୬ର ଧାରା-୪ ଉପଧାରା-୪ ଅନୁସାରେ ଜଙ୍ଗଲ ଜମିର ଅଧିକାର କେବଳ ପୁରୁଷାନୁକ୍ରମିକ ଅଟେ,କିନ୍ତୁ ଏହା ହସ୍ତାନ୍ତରିତ ବା ସ୍ଥାନାନ୍ତରିତ ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ।