ଟ୍ରାକିଂ ବେଳେ ହାତୀ ସହ ମୁହାଁମୁହିଁ : ବନରକ୍ଷୀ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ନଅରଖୋଲ ଜଙ୍ଗଲରେ ଆଜି ହାତୀପଲ ଟ୍ରାକିଂ ସମୟରେ ଅଘଟଣ ଘଟିଛି। ଶ୍ରୀମନ ପ୍ରଧାନ ନାମକ ଜଣେ ବନରକ୍ଷୀ ହାତୀ ସହ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶ୍ରୀମନଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ସହ ପ୍ରଚୁର ରକ୍ତସ୍ରାବ ହେଉଛି। ଏହାସହ ବାମ ଜଂଘ ଓ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି।

ଉତ୍ତର ଘୁମୁସର ବନଖଣ୍ଡରେ ୭ଟିକିଆ ହାତୀପଲ ଆତଙ୍କ ଜାରି ରଖିଛନ୍ତି। ଏହାସହ ଗତ କିଛି ଦିନ ତଳେ ତାରସିଂ ବନାଞ୍ଚଳରେ ହାତୀର ଗଳିତ ଶବ ମିଳିଥିଲା। ଫଳରେ ହାତୀ ଓ ଜନସାଧାରଣଙ୍କ ସୁରକ୍ଷା ଲାଗି ଉତ୍ତର ଘୁମୁସର ବନଖଣ୍ଡରେ ବନ ବିଭାଗ କର୍ମଚାରୀମାନେ ପଇଁତରାକୁ କଡ଼ାକଡ଼ି କରିଛନ୍ତି।

ପ୍ରତିଦିନ ଭଳି ଆଜି ମଧ୍ୟ ମୁଜାଗଡ଼ ସେକ୍ସନ୍ ଅଧୀନ ଲଂଗଳଖୋଳା ବିଟ୍‌ରେ ହାତୀପଲ ଥିବା ଖବର ପାଇ ନଅରଖୋଲ ଜଙ୍ଗଲ ମଧ୍ୟରେ ୫ଜଣ ବନ କର୍ମଚାରୀ ଟ୍ରାକିଂ କରୁଥିଲେ। ମୁଜାଗଡ଼ ବନପାଳ ସୁକାନ୍ତ କୁମାର, ବନରକ୍ଷୀ ଶ୍ରୀମନ ପ୍ରଧାନଙ୍କ ସମେତ ୨ଜଣ ପାରାଫରେଷ୍ଟ୍ ଷ୍ଟାଫ୍ ଓ ଜଣେ ଟ୍ରାକର୍ ଏଥିରେ ସାମିଲ୍ ହୋଇଥିଲେ। ସେମାନେ ଅଲଗା ହୋଇ ବିଭିନ୍ନ ଦିଗରେ ହାତୀଙ୍କ ଗତିବିଧି ନିରୀକ୍ଷଣ କରୁଥିବା ସମୟରେ ଶ୍ରୀମନ ହଠାତ୍ ଏକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ସମୟରେ ସେ ପ୍ରାଣବିକଳରେ ‌ଦୌଡ଼ିଥିଲେ। ତଥାପି ହାତୀର ଶୁଣ୍ଢ ତାଙ୍କୁ ବାଜିଯିବାରୁ ସେ କଚାଡ଼ି ହୋଇ ପଡ଼ିଯାଇଥିଲେ। ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ଆଉ ଶ୍ରୀମନଙ୍କୁ କାନ୍ଧରେ ବୋହି ଲଙ୍ଗଳଖୋଳା ଗ୍ରାମକୁ ଆଣିବା ପରେ ତାଙ୍କୁ ସେଠାରୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ମୁଜାଗଡ଼ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲ କହିଛନ୍ତି, ଗତକାଲି ବନାଞ୍ଚଳରେ ଗୋଟିଏ ଦନ୍ତା, ୩ଟି ମାଈ ଓ ୩ଟି ଛୁଆ ହାତୀ ରହିଥିଲେ। ଆଜି ଟ୍ରାକିଂ ବେଳେ ଏଭଳି ଅଘଟଣ ଘଟିଛି।

ସମ୍ବନ୍ଧିତ ଖବର