ପୂର୍ବତନ ସାଂସଦ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ: ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଏଥସହ ସେ କଟକ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ। ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭୂମିକା ନିର୍ବାହ କରୁଥିଲେ। ସେ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଶ୍ର କାନୁନଗୋ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଜଗତସିଂହପୁର ଲୋକସଭା ଆସନରୁ ସେ ୧୯୯୯ ମସିହାରେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ତ୍ରିଲୋଚନ କାନୁନଗୋ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କଟକର ଶେଖ ବଜାରରେ ଗତ କିଛି ବର୍ଷ ହେବ ରହି ଆସୁଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ  ଶୋକର ଛାୟା ଖେଳିଯାଇଛି।

ଶ୍ର କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜର ଟୁଇଟରରେ ସେ ଲେଖିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ଜନସେବା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ବି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍ଵର୍ଗତ କାନୁନଗୋ ୩ ଥର ବିଧାୟକ ଭାବରେ ଓ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ବିଧାୟକ ଓ ସାଂସଦ ଭାବରେ କେବଳ ଗୋବିନ୍ଦପୁର ନୁହେଁ ସମଗ୍ର ଓଡ଼ିଶାର ଉନ୍ନତି ଓ ବିକାଶ ଦିଗରେ ସେ ସହାୟକ ହୋଇଛନ୍ତି। ସେ ରାଜନେତା କେବଳ ନୁହେଁ ଜଣେ ଅର୍ଥନୀତିଜ୍ଞ, ସମାଜସେବୀ ଓ ଭଲ ମଣିଷ ଭାବରେ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଶା ପାଇଁ ତାଙ୍କର ଅବଦାନ ଯୋଗୁଁ ସେ ସର୍ବଦା ମନେରହିବେ ବୋଲି ରାଜ୍ୟପାଳ ଶୋକ ବ୍ୟକ୍ତ କରିଛନ୍ତି।

ଏହି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କର ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଠିକ୍ ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର