ଭାସିଯାଉଥିବା ବେଳେ ୪ ନାବାଳକ ଉଦ୍ଧାର

ଆନନ୍ଦପୁର : ବୈତରଣୀ ନଦୀରେ ଗାଧୋଇବା ସମୟରେ ହଠାତ୍ ପାଣି ମାଡ଼ିଆସିଲା। ପ୍ରଖର ସୁଅରେ ଭାସିଗଲେ ୪ ନାବାଳକ। ସୌଭାଗ୍ୟକୁ ନଦୀ ମଝିରେ ଥିବା ଏକ ପଥରରେ ଯାଇ ସମସ୍ତେ ଲାଗିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏପରି ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ।

ପ୍ରାପ୍ତ ସୂଚନା ଅନୁସାରେ, ଶାଳପଡ଼ା କଲୋନିର ବେଣୁଧର ସାହୁ, ଦୀପକ କୁମାର ହାଁସଦା, ରିତେଶ ସାହୁ, ଦୀପ୍ତିରଂଜନ ହାଁସଦା (ସମସ୍ତଙ୍କ ବୟସ ୧୬) ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ବୈତରଣୀ ନଦୀର ଘସିପୁରା ବ୍ଲକ୍‌ ଘାଟରେ ଗାଧୋଉଥିଲେ। ଏହି ସମୟରେ ହଠାତ୍ ନଦୀରେ ଅଧିକ ପାଣି ଆସିବାରୁ ଚାରିଜଣ ଭାସି ଯାଇଥିଲେ। ସମସ୍ତେ ନଦୀ ମଝିରେ ଥିବା ଏକ ପଥରରେ ଯାଇ ଲାଗିଥିଲେ। ସେମାନଙ୍କ ଚିତ୍କାର ଶୁଣି ଉପସ୍ଥିତ ଲୋକେ ଆନନ୍ଦପୁର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂହ, ମୁଖ୍ୟ ଆଗ୍ନିକ ପ୍ରକାଶ କୁମାର ବଳ, ହିମାଂଶୁ ସ୍ବାଇଁ, ଓମ୍‌କାର କବାଟ ପ୍ରମୁଖ ପହଞ୍ଚି ନଦୀରେ ପଶି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ। ‌ଅଗ୍ନିଶମ ବାହିନୀର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର