ଚାରି ମାସ ପରେ ଟିପିଆର୍ ୨%ତଳକୁ ଖସିଲା

ଏବେବି ପୁରୀ ଜିଲ୍ଲାରେ ଟିପିଆର୍‌ ୫% ଉପରେ
ପୁରୀକୁ ଛାଡ଼ି ସବୁ ଜିଲ୍ଲା ସବୁଜ ଜୋନ୍‌ରେ
୧୬ ଜିଲ୍ଲାରେ ଟିପିଆର୍‌ ୧% ତଳେ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସମୟରେ ଖୁସି ଖବର ଆସିଛି ଯେ, ଓଡ଼ିଶାର ଟିପିଆର୍ (ଟେଷ୍ଟ ପଜିଟିଭିଟି ରେଟ୍) ୨% ତଳକୁ ଖସିଛି। ପ୍ରାୟ ୪ମାସ ପରେ ରାଜ୍ୟରେ ଟିପିଆର୍‌ ୨% ତଳକୁ ଖସି ୧.୯୨%‌ରେ ପହଞ୍ଚିଛି। ଏପ୍ରିଲ ୩ରେ ରାଜ୍ୟର ଟିପିଆର୍‌ ୧.୬% ଥିବାବେଳେ ଏହା ପରେ ହୁ ହୁ ହୋଇ ବଢ଼ିଥିଲା। ଏପରିକି ମେ ମାସରେ ଟିପିଆର୍ ୨୫%କୁ ଛୁଇଁଥିଲା। ଟିପିଆର୍‌ ଦୀର୍ଘ ଦିନ ୨୦% ଉପରେ ରହିବା ପରେ ଏବେ ସ୍ଥିତି ପୂରା ନିୟନ୍ତ୍ରଣକୁ ଆସିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ୩୧ରେ ରାଜ୍ୟରେ ୭୪,୭୩୫ଟି ନମୁନା ପରୀକ୍ଷା ହୋଇଥିବାବେଳେ ୧୪୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୭୩ଜଣ ସୁସ୍ଥ ହୋଇଥିବାବେଳେ ୬୪ଜଣଙ୍କର କରୋନା ମୃତ୍ୟୁ ହୋଇଛି। ରାଜ୍ୟର କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବାବେଳେ ୨୯ଟି ଜିଲ୍ଲା ସବୁଜ ଜୋନ୍‌କୁ ଆସିଛି। କେବଳ ପୁରୀ ଜିଲ୍ଲା ହଳଦିଆ ଜୋନ୍‌ରେ ରହିଛି।

ରାଜ୍ୟରେ ଟିପିଆର୍‌ କମିଥିବାବେଳେ ପୁରୀ ଜିଲ୍ଲା ଏବେ ବି ଚିନ୍ତାଜନକ ସ୍ଥିତିରେ ଅଛି। ପୁରୀ ରାଜ୍ୟର ଏକମାତ୍ର ଜିଲ୍ଲା ଯେଉଁଠି ଟିପିଆର୍ ୫.୫% ରହିଛି। ବାକି ସବୁ ଜିଲ୍ଲାରେ ଟିପିଆର୍ ୫% ତଳେ ରହିଛି। ଏପରିକି ୧୬ଜିଲ୍ଲାରେ ଟିପିଆର୍‌ ୧% ତଳେ ରହିଛି। ନୂଆପଡ଼ାରେ ଟିପିଆର୍‌ ୦ ରହିଛି। ଏଠାରେ ୮୦୫ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ଏବେ କଟକରେ ଟିପିଆର୍ ୩.୮୬% ଥିବାବେଳେ ଖୋର୍ଦ୍ଧାରେ ୩.୭%, ଦେବଗଡ଼ରେ ୩.୨୮%, ବାଲେଶ୍ବରରେ ୨.୬୪%, ଜଗତସିଂହପୁରରେ ୨.୬୧%, ଯାଜପୁରରେ ୧.୯୯%, କେନ୍ଦ୍ରାପଡ଼ାରେ ୧.୯୫%, ଭଦ୍ରକରେ ୧.୮୧%, ମୟୂରଭଞ୍ଜରେ ୧.୭୫%, ଅନୁଗୁଳରେ ୧.୫୬%, ସୁନ୍ଦରଗଡ଼ରେ ୧.୨୫% ରହିଛି।

ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୯,୭୮,୭୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯,୫୮,୬୦୧ଜଣ ସୁସ୍ଥ ହୋଇଛନ୍ତି। ୫୯୬୬ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ସବୁଠୁ ଅଧିକ କରୋନା ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି। ଏଠାରେ ୧୧୫୩ଜଣଙ୍କର କରୋନା ମୃତ୍ୟୁ ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର