ସଙ୍ଗରୋଧ କେନ୍ଦ୍ରରେ ୩ ଗର୍ଭବତୀଙ୍କ ସମେତ ୪ ମହିଳା ପଜିଟିଭ୍ : ସମସ୍ତେ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର

ଜଣେ ଯିବାକୁ ଅମଙ୍ଗ ହେବାରୁ ପ୍ରଶାସନ ନାକେଦମ୍

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୨୪ଜଣ ଗର୍ଭବତୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲା। ଗତ ୧୧ ତାରିଖରେ ନମୁନା ସଂଗ୍ରହ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ୩ଜଣ ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେହିପରି ସଙ୍ଗରୋଧ କେନ୍ଦ୍ରରେ ଆଉ ଜଣେ ସାଧାରଣ ମହିଳା ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ୪ ଜଣଙ୍କୁ ସ୍ବତନ୍ତ୍ର ‌କୋଭିଡ୍-୧୯ ଆମ୍ବୁଲାନ୍ସ୍ ଯୋଗେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ତେବ‌େ ଆଜି ଜଣେ ଗର୍ଭବତୀ ସେହି ସଙ୍ଗରୋଧ କେନ୍ଦ୍ର ଛାଡ଼ି ଯିବା ଲାଗି ଅମଙ୍ଗ ହେବା ଓ ଜିଦ୍‌ ଧରି ବସିବାରୁ ସ୍ବାସ୍ଥ୍ୟବିଭାଗ ଓ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା। ଶେଷରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ଓ ଏଟିଓ ଅକ୍ଷୟ କୁମାର ମଲ୍ଲିକ ପହଞ୍ଚି ବୁଝାସୁଝା କରିବା ପରେ ଗର୍ଭବତୀ ଜଣକ ଯିବାକୁ ରାଜି ହୋଇଥିଲେ।

୨ଜଣ ଗର୍ଭବତୀ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ର ଓ ଜଣେ ପଞ୍ଚାୟତ ଅଙ୍ଗନବାଡ଼ି କେନ୍ଦ୍ରରେ ସଙ୍ଗରୋଧରେ ରହିଥିଲେ। ସେମାନଙ୍କ ନମୁନା ପଜିଟିଭ୍ ଚିହ୍ନଟ ହେବାରୁ ଆଜି ସମସ୍ତଙ୍କୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଆମ୍ବୁଲାନ୍ସ୍ ଯୋଗେ ‌କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପଜିଟିଭ୍ ଚିହ୍ନଟ ହୋଇଥିବା ସାଧାରଣ ମହିଳାଙ୍କ ସମେତ ୨ଜଣ ଗର୍ଭବତୀ ସେଥିରେ ବସିଥିଲେ। କିନ୍ତୁ ଆଉ ଜଣେ ଗର୍ଭବତୀ ‌କୋଭିଡ୍ ହସ୍ପିଟାଲ୍‌କୁ ଯିବା ପାଇଁ ରୋକ୍‌ଠୋକ୍ ମନା କରିଦେଇଥିଲେ। ‘ମୁଁ ଗର୍ଭବତୀ, କାହିଁକି ଯିବି ? ମୋତେ ଏଠି ରହିବାକୁ ସୁଯୋଗ ଦିଅ ବୋଲି କହି ଜିଦ୍‌ରେ ଅଡ଼ି ବସିଥିଲେ। ଏହାପରେ ସରପଞ୍ଚ ରାମକୃଷ୍ଣ ପଲାଇ ସଙ୍ଗେ ସଙ୍ଗେ ପ୍ରଶାସନ ଓ ପୁଲିସର ସହାୟତା ଲୋଡ଼ିଥିଲେ। ଆସିକା ଏସ୍‌ଡିପିଓ, ଶେରଗଡ଼ ଥାନାଧିକାରୀ, ଏଟିଓ ଅକ୍ଷୟ କୁମାର ମଲ୍ଲିକ ପହଞ୍ଚି ଦୀର୍ଘ ସମୟ ଧରି ତାଙ୍କୁ ବୁଝାସୁଝା କରିଥିଲେ। ପରେ ସମ୍ପୃକ୍ତ ଗର୍ଭବତୀଜଣକ ବହୁ କଷ୍ଟରେ ରାଜି ହୋଇ ଆମ୍ବୁଲାନ୍ସ୍‌ରେ ବସିଥିଲେ। ସାଧାରଣ ମହିଳାଙ୍କ ସମେତ ୩ ଜଣ ଗର୍ଭବତୀଙ୍କୁ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ଆସିକା ଏସ୍‌ଡିପିଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଥିବା ବେଳ‌େ ସବୁ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ଭୟର ବାତାବରଣ ଭିତରେ ରହିଛନ୍ତି। ସମସ୍ତ ଅନ୍ତେବାସୀଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ପଜିଟିଭ୍ ଚିହ୍ନଟଙ୍କୁ କୋଭିଡ୍ ହସ୍ପିଟାଲ୍ ନେବା ଓ ଅନ୍ୟ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦାବି କରିଛନ୍ତି। କିନ୍ତୁ ପ୍ରଶାସନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରୁ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବହୁ ସଂଖ୍ୟକ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ ହେଉଥିବାରୁ ପ୍ରବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର